କଲକାତା: ଆଇପିଏଲ୍ରେ ଶୁକ୍ରବାର ଶିଖର ଧାୱଙ୍କ ଅର୍ଦ୍ଧଶତକ ବଳରେ କଲକାତା ନାଇଟ ରାଇଡର୍ସ (କେକେଆର୍)କୁ ୭ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଶୁବ୍ମାନ ଗିଲ୍ଙ୍କ ଦର୍ଶନୀୟ ଅର୍ଦ୍ଧଶତକ ଓ ଆେନ୍ଦ୍ର ରସେଲଙ୍କ ବିସ୍ଫୋରକ ଇନିଂସ ବଳେର ପ୍ରଥମେ ବ୍ୟାଟିଂକରି କେକେଆର୍ ୭ ୱିକେଟ ହରାଇ ୧୭୮ ରନ୍ କରିଥିଲା। ପରେ ଶିଖର ଧାୱନଙ୍କ ଅପରାଜିତ ୯୭ ଓ ଋଷଭ ପନ୍ତ୍ଙ୍କ ଲଢ଼ୁଆ ଇନିଂସ ବଳରେ ୭ଟି ବଲ୍ ବାକିଥାଇ ଦିଲ୍ଲୀ କ୍ୟାପିଟାଲ୍ସ ୩ ୱିକେଟ ହରାଇ ବିଜୟୀ ହୋଇଥିଲା। ଚଳିତ ସଂସ୍କରଣରେ କେକେଆର୍ ବିପକ୍ଷରେ ଦିଲ୍ଲୀ ଉଭୟ ଥର ବିଜୟୀ ହୋଇପାରିଛି। ଦିଲ୍ଲୀ କ୍ୟାପିଟାଲ୍ସ ୭ମ ମ୍ୟାଚ୍ରେ ୪ର୍ଥ ବିଜୟ ହାସଲ କରିଛି। କେକେଆର୍ ୭ମ ମ୍ୟାଚ୍ରେ ୩ୟ ପରାଜୟ ବରଣ କରିଛି।
୧୭୯ ରନ୍ର ପିଛା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ୩ ଓଭରରେ ୩୨ ରନ୍ କରି ପୃଥ୍ବୀ ସ’ଙ୍କ ୱିକେଟ ହରାଇଥିଲା। ପୃଥ୍ବୀ ୨ଟି ଛକା ସହ ୧୪ ରନ୍ କରିଥିଲେ। ୨୨ ରନ୍ କରିଥିବା ବେଳେ ଏକ ଜୀବନଦାନ ପାଇଥିବା ଶିଖର ଧାୱନ ଏହାର ଫାଇଦା ଉଠାଇ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଅଧିନାୟକ ଶ୍ରେୟାସ ଆୟର ୬ ରନ୍ କରି ବିଦାୟ ନେଇଥିଲେ। ପରେ ଦିଲ୍ଲୀର ଦୁଇ ବାମହାତି ଧାୱନ ଓ ଋଷଭ ପନ୍ତ୍ ଦୃଢ଼ତାର ସହ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହୋଇଥିଲେ। ଶେଷ ୩ ଓଭରୁ ଦିଲ୍ଲୀ ୧୭ ରନ୍ ଆବଶ୍ୟକ କରୁଥିବା ବେଳେ ପନ୍ତ୍ ୩୧ ବଲ୍ରୁ ୨ଟି ଛକା ଓ ୪ଟି ଚୌକା ସହ ୪୬ ରନ୍କରି ଆଉଟ ହୋଇଥିଲେ। ଫଳରେ ଧାୱନଙ୍କ ସହ ତାଙ୍କର ୧୦୫ ରନ୍ର ଭାଗିଦାରୀ ଭାଙ୍ଗି ଯାଇଥିଲା। ପରେ କଲିନ୍ ଇନ୍ଗ୍ରାମ୍ ଆସି ଧାୱନଙ୍କ ସହ ଦଳକୁ ଲକ୍ଷ୍ୟରେ ପହଞ୍ଚାଇଥିଲେ। ଧାୱନ ୬୩ ବଲ୍ରୁ ୨ଟି ଛକା ଓ ୧୧ଟି ଚୌକା ସହ ୯୭ ରନ୍କରି ଅପରାଜିତ ଥିଲେ। ଧାୱନଙ୍କର ଏହା ସର୍ବାଧିକ ଆଇପିଏଲ୍ ସ୍କୋର୍। ଇନ୍ଗ୍ରାମ୍ ୧୪ ରନ୍ରେ ଅପରାଜିତ ଥିଲେ। ଧାୱନ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଫିଲ୍ଡିଂ ନେବା ପରେ ଇନିଂସର ପ୍ରଥମ ବଲ୍ରେ ଘରୋଇ କଲକାତା ନାଇଟ ରାଇଡର୍ସର ଓପ୍ନର ଜୋ ଡେନ୍ଲି ଆଉଟ ହୋଇ ଯାଇଥିଲେ। ୨ୟ ୱିକେଟ ପାଇଁ ଶୁବ୍ମାନ ଗିଲ୍ ଓ ରବିନ୍ ଉଥପ୍ପାଙ୍କ ମଧ୍ୟରେ ୬୩ ରନ୍ର ଲଢ଼ୁଆ ଭାଗିଦାରୀ ହୋଇଥିଲା। ଉଥପ୍ପା ୩୦ ବଲ୍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୮ ରନ୍କରି ଆଉଟ ହୋଇ ଯାଇଥିଲେ। ପରେ ନୀତୀଶ ରାଣା ୧୧ ରନ୍କରି ବିଦାୟ ନେଇଥିଲେ। ଏହାପରେ ଆେନ୍ଦ୍ର ରସେଲ ସୋ’ ଆରମ୍ଭ ହୋଇ ଯାଇଥିଲା। ଶୁବ୍ମାନ ଗିଲ୍ ବେଶ୍ ଆକ୍ରମଣାତ୍ମକ ଇନିଂସ ଖେଳି ୩୯ ବଲ୍ରୁ ୨ଟି ଛକା ଓ ୭ଟି ଚୌକା ସହ ୬୫ ରନ୍କରି ବିଦାୟ ନେଇଥିଲେ। ୧୩ ଓଭରରେ ୯୫ ରନ୍ କରିଥିବା କେକେଆର୍ ଶେଷ ୭ ଓଭରରୁ ରସେଲ୍ଙ୍କ ପ୍ରହାର ଯୋଗୁଁ ୮୩ ରନ୍ କରିଥିଲା। ରସେଲ ମାତ୍ର ୨୧ ବଲ୍ରୁ ୪ଟି ଛକା ଓ ୩ଟି ଚୌକା ସହ ୪୫ ରନ୍ କରିଥିଲେ। ଦିନେଶ କାର୍ତ୍ତିକ ୨ ଓ କ୍ରେଗ୍ ବ୍ରାଥ୍ୱେଟ ୬ ରନ୍ କରିଥିବା ବେଳେ ପୀୟୂଷ ଚାୱଲା ୬ ବଲ୍ରୁ ୨ଟି ଚୌକା ସହ ୧୪ ରନ୍କରି ଅପରାଜିତ ଥିଲେ। କ୍ରିସ୍ ମରିସ୍, କାଗିସୋ ରାବାଡା ଓ କିମୋ ପଲ୍ ୨ଟି ଲେଖାଏଁ ୱିକେଟ ପାଇଥିଲେ।



