ନୂଆଦିଲ୍ଲୀ : ସରକାରଙ୍କ ବିଭିନ୍ନ ନୀତିଗତ ନିଷ୍ପତ୍ତି ସଂପର୍କରେ ବିଚାର ବିଭାଗୀୟ ସମୀକ୍ଷାର ଲକ୍ଷ୍ମଣ ରେଖା କେଉଁଠି ସେ ସଂପର୍କରେ ଅବଗତ ଅଛୁ, ତଥାପି ବିମୁଦ୍ରାୟନ ସଂପର୍କରେ ସମୀକ୍ଷା କରିବୁ ବୋଲି ବୁଧବାର ସ୍ପଷ୍ଟ କରି ଦେଇଛନ୍ତି ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠ।
ଜଷ୍ଟିସ୍ ଏସ୍.ଏ ନଜିରଙ୍କ ନେତୃତ୍ବାଧୀନ ୫ଜଣିଆ ସାମ୍ବିଧାନିକ ପୀଠ ବୁଧବାର ଦର୍ଶାଇଛନ୍ତି ୨୦୧୬ରେ କେନ୍ଦ୍ର ସରକାର ବିମୁଦ୍ରାୟନ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ବିରୋଧ କରି ହୋଇଥିବା ମାମଲାର ବର୍ତ୍ତମାନ ସମୟରେ ଏହା କେବଳ ଏକ ଶୈକ୍ଷିକ ବିଷୟବସ୍ତୁ ହୋଇ ରହିଯାଇଛି କି ନାହିଁ ସେ ସଂପର୍କରେ ସମୀକ୍ଷା କରାଯିବ। ବିମୁଦ୍ରାୟନକୁ ନେଇ ହୋଇଥିବା ମାମଲାକୁ ନେଇ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ସତ୍ୟପାଠ ଦାଖଲ କରିବାକୁ ପୀଠ ନିର୍ଦେଶ ଦେଇଥିଲେ। ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟରମାଣି ସୁପ୍ରିମକୋର୍ଟ ପୀଠ ସମ୍ମୁଖରେ ନିଜ ମତ ଉପସ୍ଥାପନ କରି କହିଥିଲେ ବିମୁଦ୍ରାୟନର ବିରୋଧ ପ୍ରସଙ୍ଗରେ ଉପଯୁକ୍ତ ଦୃଷ୍ଟିଭଙ୍ଗୀ ଯଦି ନ ରହେ ତେବେ ଏହା କେବଳ ଏକ ଶୈକ୍ଷିକ ବିଷୟ ହୋଇ ରହିଯିବ। ଅର୍ଥନୀତିରେ କଳାଟଙ୍କା କାରବାରକୁ ରୋକିବାକୁ ୧୯୭୮ରେ ବିମୁଦ୍ରାୟନ ଆଇନ ପାସ୍ ହୋଇଥିବା ସେ ସୂଚନା ଦେଇଥିଲେ। ଏହା ଉପରେ ସୁପ୍ରିମକୋର୍ଟଙ୍କ ପୀଠ ମତ ଦେଇଥିଲେ ବର୍ତ୍ତମାନ ସମୟରେ ବିମୁଦ୍ରାୟନ କେବଳ ଶୈକ୍ଷିକ ବିଷୟବସ୍ତୁ ହୋଇ ରହିଯାଇଛି କିମ୍ବା ନିଷ୍ଫଳ ପ୍ରସଙ୍ଗ ହୋଇ ରହିଯାଇଛି ସେ ସଂପର୍କରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ନିଷ୍ପତ୍ତି ନିଆଯିବ। ସରକାରଙ୍କ ନୀତିଗତ ନିଷ୍ପତ୍ତି ସଂପର୍କରେ ସମୀକ୍ଷା କରାଯିବା ନେଇ ବିଚାର ବିଭାଗର ଲକ୍ଷ୍ମଣ ରେଖା ସଂପର୍କରେ ସୁପ୍ରିମକୋର୍ଟ ଅବଗତ ଅଛନ୍ତି େତବେ ଯେପରି ଭାବେ ବିମୁଦ୍ରାୟନ କରାଗଲା ସେ ସଂପର୍କରେ ତର୍ଜମା କରାଯିବାର ଆବଶ୍ୟକତା ରହିଛି ବୋଲି ପୀଠ କହିଥିଲେ। କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ଉପସ୍ଥାପନ କରି କହିଥିଲେ ବିମୁଦ୍ରାୟନ ବର୍ତ୍ତମାନ କେବଳ ଏକ ଶୈକ୍ଷିକ ପ୍ରସଙ୍ଗ ହୋଇ ରହିଯାଇଥିବାରୁ ଏହି ମାମଲାର ଶୁଣାଣି କରି ସାମ୍ବିଧାନିକ ପୀଠର ସମୟ ଅପଚୟ କରାଯିବା ଅନୁଚିତ୍। ଅନ୍ୟପକ୍ଷରେ ଆବେଦନକାରୀ ବିବେକ ନାରାୟଣ ଶର୍ମାଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଶ୍ୟାମ ଦିବାନ୍ ସଲିସିଟର ଜେନେରାଲଙ୍କ ବକ୍ତବ୍ୟ ଉପରେ ଆପତ୍ତି ଉଠାଇଥିଲେ। ଅନ୍ୟଜଣେ ଆବେଦନକାରୀ ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପି.ଚିଦାମ୍ବରମ୍ ଯୁକ୍ତି ଉପସ୍ଥାପନ କରି କହିଥିଲେ ବିମୁଦ୍ରାୟନ କେବଳ ଶୈକ୍ଷିକ ପ୍ରସଙ୍ଗରେ ସୀମିତ ନୁହେଁ, ତେଣୁ ଏହାର ଶୁଣାଣି ପୀଠ କରିବାର ଆବଶ୍ୟକତା ରହିଛି। ବିମୁଦ୍ରାୟନ ପାଇଁ ସଂସଦରେ ନୂଆ ଆଇନ ପାସ୍ କରାଯିବାର ଆବଶ୍ୟକତା ରହିଛି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୯ରେ ହେବ ବୋଲି ସାମ୍ବିଧାନିକ ପୀଠ ଦିନଧାର୍ଯ୍ୟ କରିଥିଲେ।
ବିମୁଦ୍ରାୟନର ସମୀକ୍ଷା କରିବୁ : ସୁପ୍ରିମକୋର୍ଟ
Popular Categories



