www.samajalive.in
Monday, December 8, 2025
27.1 C
Bhubaneswar

ଖାସୋଗିଙ୍କୁ ହତ୍ୟା : ମୃତ୍ୟୁଦଣ୍ଡ ପାଇବେ ୫ ସାଉଦି ଅଧିକାରୀ

ରିୟାଦ : ସାମ୍ବାଦିକ ଜମାଲ ଖାସୋଗିଙ୍କୁ ହତ୍ୟା କରିବା ଅଭିଯୋଗରେ ସାଉଦି ଆରବର ୫ଜଣ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ୫ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ନେଇ ସାଉଦି ସରକାର ଗୁରୁବାର ଘୋଷଣା କରିଛନ୍ତି। ତେବେ ଖାସୋଗିଙ୍କ ହତ୍ୟା ମାମଲାରେ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‍ ସଲମାନଙ୍କୁ ଦୋଷମୁକ୍ତ କରାଯାଇଛି। ଖାସୋଗିଙ୍କ ହତ୍ୟାକୁ ନେଇ ଆନ୍ତର୍ଜାତିକ ସ୍ତରରେ ଉଦ୍‍ବେଗ ପ୍ରକାଶ ପାଇଥିବାବେଳେ ସାଉଦି ଆରବ ସରକାର ଏହି ଘୋଷଣା କରିଛନ୍ତି। ୱାଶିଂଟନ ପୋଷ୍ଟରେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ଖାସୋଗିଙ୍କୁ ଅକ୍ଟୋବର ୨ ତାରିଖରେ ତୁର୍କିର ରାଜଧାନୀ ଇସ୍ତାନବୁଲସ୍ଥିତ ସାଉଦି ଆରବର ଦୂତାବାସ ମଧ୍ୟରେ ହତ୍ୟା କରାଯାଇଥିଲା। ନିଜର ବିବାହ ସମ୍ପର୍କିତ କାଗଜପତ୍ର ଆଣିବା ଲାଗି ଖାସୋଗି ସାଉଦି ଆରବ ଦୂତାବାସକୁ ଯାଇଥିଲେ। ଏହି ସମୟରେ ଦୂତାବାସ କର୍ମଚାରୀମାନେ ନିଶା ଦେଇ ହତ୍ୟା କରିଥିଲେ। ପରେ ତାଙ୍କ ମୃତଦେହକୁ ଖଣ୍ଡବିଖଣ୍ଡ କରି ଏସିଡରେ ପକାଇ ନଷ୍ଟ କରିଦେଇଥିଲେ। ଏହି ହତ୍ୟାକାଣ୍ଡ ପାଇଁ ସାଉଦି ସରକାରଙ୍କୁ ଦାୟୀ କରାଯାଇ ଆନ୍ତର୍ଜାତିକ ସ୍ତରରେ ଉତ୍ତେଜନା ପ୍ରକାଶ ପାଇଥିଲା।
ତେବେ ହତ୍ୟାକାଣ୍ଡରେ ସାଉଦି ସରକାରଙ୍କୁ ଦୋଷମୁକ୍ତ କରାଯାଇ ଦୂତାବାସ କର୍ମଚାରୀଙ୍କୁ ଦୋଷୀ କରାଯାଇଛି। ହତ୍ୟାକାଣ୍ଡରେ ଜଡିତ ଦୂତାବାସର ୫ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାକୁ ଘୋଷଣା କରାଯାଇଛି। ଖାସୋଗି ସାଉଦି ଆରବର ନାଗରିକ ହୋଇଥିବାବେଳେ ସେ ଆମେରିକାରେ ଆତ୍ମନିର୍ବାସନରେ ରହିଥିଲେ। ୱାଶିଂଟନ ପୋଷ୍ଟରେ ସେ ସାଉଦି ଶାସକଙ୍କ ବିରୋଧରେ ବିଭିନ୍ନ ସମୟରେ ଲେଖା ପ୍ରକାଶ କରିଆସୁଥିଲେ।
ଖାସୋଗିଙ୍କ ହତ୍ୟା ଘଟଣାରେ ମୋଟ ୨୧ଜଣଙ୍କୁ ଅଭିଯୁକ୍ତ ପୂର୍ବକ ଅଟକ ରଖାଯାଇଛି। ଏଥିରୁ ୧୧ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବାବେଳେ ଅନ୍ୟମାନଙ୍କ ବିରୋଧରେ ତଦନ୍ତ ଚାଲୁ ରହିଛି। ତେବେ ଏହି ହତ୍ୟା ଘଟଣାର ଆନ୍ତର୍ଜାତିକ ତଦନ୍ତ ଲାଗି ତୁର୍କୀ ସରକାର ଦାବି କରିଛନ୍ତି। ଖାସୋଗିଙ୍କ ହତ୍ୟା ପରେ ସାଉଦି ଆରବ ଏବେ ଆନ୍ତର୍ଜାତିକ ସମୁଦାୟ ଠାରୁ କୂଟନୈତିକ ଚାପର ସମ୍ମୁଖୀନ ହେବାରେ ଲାଗିଛି। ଖାସୋଗିଙ୍କ ହତ୍ୟାକୁ ଲୁଚାଇବା ପାଇଁ ସାଉଦି ସରକାର ସମସ୍ତ ପ୍ରକାର ଉଦ୍ୟମ କରିଥିବାବେଳେ ଏଥିରେ ବିଫଳ ହୋଇଛନ୍ତି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories