ଡମପଡା: ଚତୁର୍ଥ ପର୍ଯ୍ୟାୟରେ ୨୬୨ ବୁଥରେ ହେବ ମତଦାନ, ୧୦୪୮ ପୁଲିଂ ଅଧିକାରୀ ଓ ସୁରକ୍ଷାକର୍ମୀ ନିୟୋଜିତ
ବାଙ୍କୀ: ବାଙ୍କୀ ନିର୍ବାଚନ ମଣ୍ଡଳୀର ଡମପଡା ବ୍ଲକର ୨୬୨ଟି ବୁଥରେ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ସକାଳ ୮ଟାଠାରୁ ଅପରାହ୍ନ ୩ଟା ସୁଦ୍ଧା ବ୍ଲକର ୧୭ଟି ପଞ୍ଚାୟତର ୨୬୨ ବୁଥ୍କୁ ଭୋଟ୍ ବାକ୍ସ ସହ ପୁଲିଂ ଓ ସୁରକ୍ଷା କର୍ମୀମାନେ ନିର୍ବାଚନ ପ୍ରସ୍ତୁତି ଶିବିରରୁ କେନ୍ଦ୍ରକୁ ଯାଇଥିବା ସୂଚନା ମିଳିଛି। ଡମପଡା ବ୍ଲକ ନିର୍ବାଚନ ଅଧିକାରୀ ଶ୍ୟାମଳ କୁମାର ରାୟଙ୍କ ତତ୍ୱାବଧାନରେ ସଂଚାଳିତ ନିର୍ବାଚନ ବ୍ୟବସ୍ଥାପନା(ଡିସପୋଜାଲ୍ କାଉଣ୍ଟର) କେନ୍ଦ୍ରରୁ ୨୬୨ଜଣ ପ୍ରଥମ ପୁଲିଂ ଅଧିକାରୀ,୨୬୨ ଦ୍ୱିତୀୟ ପୁଲିଂ ଅଧିକାରୀ, ୨୬୨ ପ୍ରିଜାଇଡିଂ ଅଫିସର ଏବଂ ୨୬୨ ଜଣ ସୁରକ୍ଷାକର୍ମୀଙ୍କୁ ମିଶାଇ ୧୦୪୮ ଜଣ ପୁଲିଂ ଓ ସୁରକ୍ଷାକର୍ମୀ ଭୋଟ୍ ପରିଚାଳନା ନିମନ୍ତେ ନିୟୋଜିତ ହୋଇଛନ୍ତି। ସମସ୍ତ କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବିବିଧ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସୂଚନା ଅନୁଯାୟୀ, ଏହି କାର୍ଯ୍ୟରେ ଦେଢ ପ୍ଲାଟୁନ୍ ପୋଲିସ, ୧୦ଟି ଭ୍ରାମ୍ୟମାଣ ପୋଲିସ ବ୍ୟବସ୍ଥା, ୨ଜଣ ଡିଏସପି ଏବଂ ୩ଜଣ ଇନସ୍ପେକ୍ଟର ନିୟୋଜିତ ହୋଇଥିବା ସମ୍ପର୍କରେ ଥାନା ଅଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ୪୧ଟି ସମ୍ବେଦନଶୀଳ ବୁଥ୍କୁ ପୁଲିସ କଡା ନଜର ରଖିଥିଲା ବେଳେ ଭୋଟ୍ ପୂର୍ବରୁ କୌଣସି ବୁଥରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଲେ ନିର୍ଭୟରେ ମତଦାନ କରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ଏହି ନିର୍ବାଚନରେ ୩୯,୮୭୧ଜଣ ପୁରୁଷ ଏବଂ ୩୬,୮୦୨ଜଣ ମହିଳା ଭୋଟରଙ୍କୁ ମିଶାଇ ମୋଟ୍ ୭୬,୬୭୩ଜଣ ମତଦାତା ମତଦାନ କରିବେ ବୋଲି ସୂଚନା ମିଳିଛି। ନିର୍ବାଚନରେ ୩୭ ଏବଂ ୩୮ ନମ୍ବର ଜିଲ୍ଲାପରିଷଦ ଜୋନରେ ମୋଟ୍ ୪୪୮ଜଣ ୱାର୍ଡ ସଭ୍ୟ, ୫୯ଜଣ ସରପଞ୍ଚ ପ୍ରାର୍ଥୀ, ୬୦ଜଣ ସମିତି ସଭ୍ୟ ପ୍ରାର୍ଥୀ ଏବଂ ୧୦ଜଣ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୫୭୭ଜଣ ପାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ମଙ୍ଗଳବାର ସକାଳ ୭ ଟାରୁ ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ ଭୋଟ୍ ପ୍ରଦାନ ଅନୁଷ୍ଠିତ ହେବ। ଭୋଟ୍ କାର୍ଯ୍ୟକୁ ତଦାରଖ କରିବା ପାଇଁ ୩୭ ନମ୍ବର ଜୋନରେ ୫ଜଣ ଏବଂ ୩୮ ନମ୍ବର ଜୋନରେ ୮ଜଣ ସେକ୍ଟର ଅଫିସର ନିୟୋଜିତ ଥିଲା ବେଳେ ରିଜର୍ଭରେ ୨ଜଣ ସେକ୍ଟର ଅଧିକାରୀ ନିୟୋଜିତ ଅଛନ୍ତି।
Comments are closed.