ଆସୁଛି ଭୟଙ୍କର ବାତ୍ୟା ‘ବିପର୍ଯ୍ୟୟ’

ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ଆଇଏମ୍‌ଡି ପକ୍ଷରୁ ସତର୍କତା ଜାରି, ଗୁରୁବାର ଅପରାହ୍ଣରେ ଛୁଇଁବ ସ୍ଥଳଭାଗ ୭୫୦୦ ସ୍ଥାନାନ୍ତର, ଏନ୍‌ଡିଆର୍‌ଏଫ୍‌ ସଜାଗ

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଆସନ୍ତା ୧୫ ତାରିଖ (ଗୁରୁବାର) ଅପରାହ୍ଣରେ ଗୁଜରାଟର ଜଖୌ ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ସମୟରେ ଏହା ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାର ରୂପ ​ନେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୋମବାର ପୂର୍ବାନୁମାନ କରିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୧୫୦ କିମି ବେଗରେ ପବନ ବହିବ। ବାତ୍ୟାକୁ ନେଇ ଆଇଏମଡି ଗୁଜରାଟର କଚ୍ଛ ଓ ସୌରାଷ୍ଟ୍ର ଉପକୂଳ ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଗୁଜରାଟର ଦକ୍ଷିଣ ଓ ଉତ୍ତର ଉପକୂଳରେ ମାଛଧରା କାର୍ଯ୍ୟକୁ ବନ୍ଦ କରାଯାଇଛି। କଚ୍ଛ, ପୋରବନ୍ଦର, ଜାମନଗର, ଦ୍ବାରକା, ଜୁନାଗଡ ଓ ମୋର୍ବି ଭଳି ଉପକୂଳ ଜିଲାର ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ବନ୍ଦରଗୁଡିକରେ ସତର୍କ ସୂଚନା ଜାରି କରାଯାଇଛି। ବାତ୍ୟାକୁ ନେଇ ସୋମବାର ଠାରୁ ମୁମ୍ବଇ ଓ ଗୁଜରାଟ ଉପକୂଳରେ ଉଚ୍ଚ ଜୁଆର ଆସୁଥିବା ଦେଖିବାକୁ ମିଳିଛି। ସୋମବାର ସନ୍ଧ୍ୟାରେ ମୁମ୍ବଇ ଉପକୂଳରେ ଉଚ୍ଚ ଜୁଆର ଯୋଗୁଁ ୬ଜଣ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ୪ଜଣଙ୍କ ସନ୍ଧାନ ମିଳିପାରି ନାହିଁ।
ବାତ୍ୟା ‘ବିପର୍ଯ୍ୟୟ’ର ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବୈଠକରେ ବାତ୍ୟା ଯୋଗୁଁ ହେବାକୁ ଥିବା ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତି କରାଯାଇଛି। ବିଶେଷକରି ଉପକୂଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ଉପରେ ଗୁରୁତ୍ବ ଦିଆଯାଇଛି। ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର, କ୍ୟାବିନେଟ ସଚିବ ରାଜୀବ ଗୌବା, ଅନ୍ୟ ବିଭାଗୀୟ ସଚିବ, ଆଇଏମଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ବାତ୍ୟାର ମୁକାବିଲା ନିମନ୍ତେ ଗୁଜରାଟ ମୁଖ୍ୟ ଶାସନ ସଚିବ ରାଜକୁମାର ମଧ୍ୟ ସୋମବାର ସମୀକ୍ଷା ବୈଠକ କରିଛନ୍ତି। ରାଜ୍ୟ ରିଲିଫ କମିସନରଙ୍କ କହିବା ଅନୁଯାୟୀ ବାତ୍ୟାକୁ ମୁକାବିଲା ନିମନ୍ତେ ଏନଡିଆରଏଫ୍‌ର ୧୨ଟି ଦଳ ଓ ଏସଡିଆରଏଫର ୧୨ଟି ଦଳକୁ ମୁତୟନ କରାଯାଇଛି। ୨୪୦୦୦ ଡଙ୍ଗାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେହିପରି ସମୁଦ୍ର ଉପକୂଳର ୫ରୁ ୧୦ କିମି ଦୂରତା ମଧ୍ୟରେ ରହୁଥିବା ୭,୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ୬୭ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି।
ବାତ୍ୟା ‘ବିପର୍ଯ୍ୟୟ’ ସୋମବାର ସକାଳ ୮ଟା ସୁଦ୍ଧା ପୋରବନ୍ଦରର ଦକ୍ଷିଣ-ପଶ୍ଚିମକୁ ୩୬୦ କିମି ଦୂରରେ ରହିଥିଲା। ଏହା ସହିତ ଦ୍ବାରକା ଠାରୁ ଦକ୍ଷିଣକୁ ୪୪୦ କିମି ଦୂରରେ ରହିଥିଲା। ବାତ୍ୟାଟି ଏବେ ଉତ୍ତରଦିଗକୁ ଘଣ୍ଟାପ୍ରତି ୭କିମି ବେଗରେ ଗତି କରୁଥିବା ଆଇଏମଡି କହିଛି। ଜୁନ୍ ୬ ତାରିଖରୁ ସୃଷ୍ଟି ହୋଇଥିବା ଏହି ବାତ୍ୟା ଆରବ ସାଗରର ସବୁଠାରୁ ଦୀର୍ଘ ବାତ୍ୟା ହେବାକୁ ଯାଉଛି।

Comments are closed.