ଦ୍ୱିତୀୟ ଦିନରେ ବେଆଇନ୍ କ୍ରସର ଉପରେ କାର୍ଯ୍ୟାନୁଷ୍ଠାନ, ୧୦ସିଲ
ଗଡ଼ମଧୁପୁର: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଥିବା ବେଆଇନ କ୍ରସର ଉପରେ ଗତ ମଙ୍ଗଳବାରଠାରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆଜି ଦ୍ୱିତୀୟ ଦିନରେ କୁସୁନପୁର, ଚକ୍ରଧରପୁର ମୌଜାରେ ଥିବା ଏକାଧିକ କ୍ରସର ମଧ୍ୟରୁ ଗୋଟିଏ କ୍ରସରକୁ ଭାଙ୍ଗିଦେଇଥିବାବେଳେ ୧୦ଟି କ୍ରସରକୁ ସିଲ କରିଛି ପ୍ରଶାସନ। ଏହି ମୌଜାରେ ଆଜକୁ ଦୀର୍ଘ ବର୍ଷ ଧରି ବେଆଇନ ଭାବରେ ଚାଲିଆସୁଥିବା କ୍ରସର ଗୁଡିକ ଆଜି ମାଟିର ମିଶିବ ବୋଲି ସ୍ଥାନୀୟ ଲୋକେ ଭାବି ଅନେକ ସଂଖ୍ୟାରେ ଜମା ହୋଇଥିଲେ। ତେବେ ପ୍ରଶାସନ ଅନୁକମ୍ପା ପ୍ରଦର୍ଶନ କଲା ପରି ସେପରି କିଛି ହୋଇନଥିଲା। କେବଳ ଭାଙ୍ଗି ଦିଅ, କବାଡିଆକୁ ନେଇ ଦେଇଦି, ଏପରି କିଛି କହୁଥିବା ସୁଣିବାକୁ ମିଳିଥିଲା। ବିଛାଖଣ୍ଡି ପରି ଏହି ମୌଜାରେ ମଧ୍ୟ ପୂର୍ବରୁ ଏକାଧିକ ବାର ପ୍ରଶାସନିକ ଅଧିକାରୀ ଓ ବନ ବିଭାଗ ଚଢାଉକରି ସିଲ ଓ ୧୪୪ ଧାରା ଜାରି କରିଥିଲେ ମଧ୍ୟ ତାହା ଆଜି ପୁନଃର୍ବାର ଚାଲୁଥିବା ଦେଖିବାକୁ ମିଳିଥିଲା।
ଘଟଣା ସ୍ଥଳରେ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀମାନେ ଏଠାରେ ବେଆଇନ ଭାବରେ କ୍ରସର ଚାଲୁଥିବା ସ୍ୱୀକାର କରିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ତତପରତା ଦେଖାଇଛନ୍ତି। ଆଜି ଏଡିଏମ ଅକ୍ଷୟ କୁମାର ମଲିକ, ଉପ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଧର୍ମଶାଳା ତହସିଲଦାର,ପ୍ରଶାସନ୍ତ ସାମନ୍ତରାୟ, ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି, ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ସ୍ଥାନୀୟ ରାଜସ୍ୱ ନିରିକ୍ଷକଙ୍କ ସମେତ ଏକାଧିକ ରାଜସ୍ୱ ନିରିକ୍ଷକ ଓ ପଦସ୍ଥ ଅଧିକାରୀ ଆଜିର ଏହି କାର୍ଯ୍ୟାନୁଷ୍ଠାନରେ ସାମିଲ ହୋଇଥିଲେ।
ଜନସ୍ୱାର୍ଥ ମାମଲା ୨୫୬୪୦/୨୦୨୦ର ଆଦେଶମତେ ୯ ତାରିଖ ମଧ୍ୟରେ ବେଆଇନ କ୍ରସରକୁ ଉତ୍ସେଦ କରିବାକୁ ଜିଲାପାଳ ଏଇ ନିକଟରେ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଜିଲାପାଳଙ୍କ ନେତୃତ୍ୱରେ ଏକ ଟ୍ୟାକ୍ସ ଫୋର୍ସ ଗଠିତ ହୋଇଥିଲା। ଜିଲାପାଳ ବେଆଇନ ଭାବରେ ଚାଲୁଥବା ୨୭୫କ୍ରସର ଉଚ୍ଛେଦ ପାଇଁ ସେତେବେଳେ ନିଷ୍ପତ୍ତି ହୋଇଥିଲା। ଧର୍ମଶାଳା ତହସିଲ ଅଧିନରେ ୫୦୦ଶହରୁ ଅଧିକ ନୂଆପୁରୁଣା କ୍ରସର ରହିଥିବା ବେଳେ ୭୮ଟି ଏନଓସି ପ୍ରାପ୍ତ କ୍ରସର ରହିଛି।
ଆଜି ସିଲ କରାଯାଇଥିବା ଅନେକ କ୍ରସରକୁ ପୁର୍ବରୁ ନୋଟିସ ହେବା ସହିତ କାର୍ଯ୍ୟାନୁଷ୍ଠାନ ସ୍ୱରୁପ କ୍ରସର ସିଲ କରାଯାଇଥିଲା। ତେବେ ପୁର୍ବରୁ ଏହି କ୍ରସର କିପରି ଓ କାହାସ୍ୱାର୍ଥରେ ବା କହା ଇଙ୍ଗିତରେ ଚାଲୁଥିଲା ସେଥିନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାର୍ଯ୍ୟାନୁଷ୍ଠାନ ପାଇଁ ଯେଉଁ ବେଆଇନ କ୍ରସରକୁ ଅଧିକାରୀମାନେ ଗଲେ ସେଠାରେ କ୍ରସର ମାଲିକ ମାନେ କିଛି ନା କିଛି କାଗଜପତ୍ର ଦେଖାଇ କଳେବଳେ କୌଶଳେ କ୍ରସରକୁ ରକ୍ଷା ପାଇଁ ଚେଷ୍ଟା କରୁଥିବା ଦେଖାଯାଇଥିଲା। ଏସବୁ କାଗଜକୁ ଦେଖି ଅଧିକାରୀମାନେ ବିରକ୍ତ ହେବା ସହିତ ଏହାକୁ ଭାଙ୍ଗିକି ଉଡେଇଦିଅ କହୁଥିବା ଶୁଣାଯାଇଥିଲା। ସେମାନେ ଆମର କ୍ଲଷ୍ଟରରେ ରହିବାର ଲିଷ୍ଟ ରହିଛି କହିବାରୁ ସେହି କ୍ରସରକୁ କେବଳ ସିଲ କରିବା ସହିତ ମହଜୁଦ ଥିବା ଚିପ୍ସ ଓ କଳାପଥରକୁ ଆସେସମେଣ୍ଟ କରିଥିଲେ।
କୁସୁନପୁର ମୌଜାରେ ଥବା ମାଧବ ଜେନାଙ୍କ କ୍ରସରକୁ ଜେସିବି ମେସିନ ସାହାଯ୍ୟରେ ସାମାନ୍ୟ ଆଘାତ କରିଥିବା ଦେଖାଯାଇଥିଲା। ପ୍ରଶ୍ନ ଉଠୁଛି ଯଦି ଏହି ସବୁ କ୍ରସର ୟୁନିଟ ପ୍ରଶାସନର ମଞ୍ଜୁରୀପ୍ରାପ୍ତ ନୁହେଁ ତେବେ ତାହା କିପରି ଏତେ ଦିନ ଧରି ଚାଲୁଥିଲା। ଯେଉଁଠି ବିନା ସ୍ୱୀକୃତିରେ କ୍ରସର ବସାଯାଇ ଦଶ ପନ୍ଦର ବର୍ଷ ପରେ ମଞ୍ଜୁରି ପାଇଁ ଆବେଦନ କରଯାଉଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଅନେକ ବାର କ୍ରସର ଉତ୍ସେଦ ପରେ ଏହି ସବୁ କ୍ରସର ପୁନଃ କର୍ଯ୍ୟକ୍ଷମ ହେବା ପଛରେ ପ୍ରଶାସନର କୋହଳ ମନୋବୃତି ନା ସଲାସୁତରା କାର୍ଯ୍ୟ କରୁଛି ତାକୁ ନେଇ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ଏହି ଘଟଣା ପଛରେ କିଛି ନୂଆ ଯୋଜନା ଥିବା ଏବଂ ଆଗକୁ ଏକ ଉଚ୍ଚସ୍ତରୀୟ ତଦନ୍ତର ଭୟ ହେତୁ ପ୍ରଶାସନ ଏବେ ପୁନଃର୍ବାର କ୍ରସର କରିଡରକୁ ଓହ୍ଲାଇଥିବା ଚର୍ଚ୍ଚା ଜୋର ଧରିଛି। ଏହି ତହସିଲ ଅନ୍ତର୍ଗତ ବାଘୁଆଛକରୁ ମକୁନ୍ଦପୁର ଯିବା ରାସ୍ତାରେ ଅନେକ ଗୁଡିଏ ବେଆଇନ କ୍ରସର ପରିବେଶକୁ ନଷ୍ଟ କରୁଛି, ସେସବୁ ଉପରେ କେବେ କାର୍ଯ୍ୟାନୁଷ୍ଠାନ ତାହା ଦେଖିବାକୁ ବାକି।
Comments are closed.