ଫୁଲବାଣୀ: କରୋନା ସଂକ୍ରମିତଙ୍କୁ ନେଇ ହସ୍ପିଟାଲ ଆସୁଥିବା ଏକ କୋଭିଡ୍ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିବା ଫଳରେ ଗାଡ଼ିର ଡ୍ରାଇଭର ଓ ୨ ଜଣ କରୋନା ସଂକ୍ରମିତ ଗୁରୁତର ହୋଇଛନ୍ତି। ଦାରିଙ୍ଗିବାଡିରୁ ଚିହ୍ନଟ ହୋଇଥିବା ୨ ଜଣ କରୋନା ସଂକ୍ରମିତଙ୍କୁ ନେଇ ଆଜି ମଧ୍ୟାହ୍ନ ପ୍ରାୟ ୧ଟା ବେଳେ ଏକ ଆମ୍ବୁଲାନ୍ସ ଫୁଲବାଣୀ କୋଭିଡ୍ ହସ୍ପିଟାଲକୁ ଆସୁଥିବା ବେଳେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡର ତେଲିମୁଣ୍ଡା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛ ଦେହରେ ଧକ୍କା ଦେଇଥିଲେ। ଫଳରେ ଆମ୍ବୁଲାନ୍ସଟି ଓଲଟି ପଡିଥିଲା। ଘଟଣାରେ ଡ୍ରାଇଭର ଓ ବସିଥିବା ୨ କରୋନା ସଂକ୍ରମିତ ଗୁରୁତର ହୋଇଥିଲେ।

ସ୍ଥାନୀୟ ଫ୍ରେଣ୍ସ୍ କ୍ଲବର ସଦସ୍ୟମାନେ ସଙ୍ଗେ ସଙ୍ଗେ ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ସହ ପୁଲିସ୍ ଓ ଅଗ୍ନୀଶମ ବାହିନୀକୁ ଖବର ଦେଇଥିଲେ। ପୁଲିସ୍ ଓ ଅଗ୍ନୀଶମ ବାହିନୀ ଗୁରୁତର ୩ ଜଣଙ୍କୁ ପ୍ରଥମେ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଜଦନ୍ତ କରୁଥିବା ଥାନାଧିକାରୀ ପି ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଯେଉଁ ସ୍ଥାନରେ ଗାଡ଼ିଟି ଓଲଟି ପଡ଼ିଥିଲା ଓ ସେଥିରେ କରୋନା ସଂକ୍ରମିତ ଥିବା ଯୋଗୁଁ ଉକ୍ତ ସ୍ଥାନ ପାଖରେ ପ୍ରାୟ ୫୦ ପରିବାର ରହୁଥିବା ଯୋଗୁଁ ସଂପୃକ୍ତ ଅଞ୍ଚଳକୁ ତୁରନ୍ତ ସାନିଟାଇଜ୍ କରିବା ପାଇଁ ମଧ୍ୟ ଅଞ୍ଚଳବାସୀ ଦାବି କରିଛନ୍ତି।



