ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ବିଶ୍ବରେ ୨୧୦ରୁ ଅଧିକ ଦେଶରେ ବ୍ୟାପି ସାରିଛି। ଏହି ସମୟରେ ଲୋକମାନେ ଏପରି ଏକ ପ୍ରଭାବଶାଳୀ ଏବଂ ନିରାପଦ ଟିକାକୁ ଅପେକ୍ଷା କରିଛନ୍ତି, ଯାହା ସାଧାରଣ ଟୀକାକରଣ ପାଇଁ ଯଥାଶୀଘ୍ର ଉପଲବ୍ଧ ହେବ। ରୁଷିଆ ଏବଂ ଚୀନ୍ ରେ ଏହି ଟିକାକୁ ଅନୁମୋଦନ ମିଳି ସାରିଥିବା ବେଳେ ଭାରତ ସମେତ ଅନେକ ଦେଶ ଏହି ଟିକା ଉପରେ ସଫଳତାର ନିକଟତର ହୋଇଛନ୍ତି। ଟୀକା ଆରମ୍ଭ ନହେବା ପର୍ଯ୍ୟନ୍ତ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରାଯାଉଛି। ଏହି ସମୟ ମଧ୍ୟରେ ଆମେରିକାର ଏକ ଅନୁସନ୍ଧାନମୂଳକ ରିପୋର୍ଟ ସମସ୍ତଙ୍କ ଚିନ୍ତା ବଢାଇଛି। ଏହି ଅଧ୍ୟୟନ ଦାବି କରାଯାଇଛି ଯେ, ସହରୀ ପ୍ରଦୂଷଣ କୋଭିଡ ମହାମାରୀକୁ ଅଧିକ ମାରାତ୍ମକ କରିପାରେ।
ଏହି ଅନୁସନ୍ଧାନ ରିପୋର୍ଟରେ କୁହାଯାଇଛି ଯେ, ଦୀର୍ଘ ଦିନର ସହରୀ ପ୍ରଦୂଷଣ ବିଶେଷ କରି ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ସଂସ୍ପର୍ଶରେ ଆସିଲେ କୋଭିଡ -୧୯ ଅଧିକ ମାରାତ୍ମକ ହୋଇପାରେ। ଦି ଇନୋଭେସନ୍ ପତ୍ରିକାରେ ପ୍ରକାଶିତ ତଥ୍ୟରେ ଆମେରିକାରେ ଜାନୁୟାରୀରୁ ଜୁଲାଇ ପର୍ଯ୍ୟନ୍ତ ପ୍ରଦୂଷଣ ମାତ୍ରା ଏବଂ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଭଳି ପ୍ରମୁଖ ବିଷୟରେ ବିଶ୍ଳେଷଣ କରାଯାଇଛି।
ଆମେରିକାର ଇମୋରି ବିଶ୍ୱବିଦ୍ୟାଳୟର ଡୋଙ୍ଗାଇ ଲିଆଙ୍ଗ କହିଛନ୍ତି ଯେ, ସ୍ୱଳ୍ପକାଳୀନ ହେଉ ଅବା ଦୀର୍ଘକାଳୀନ ପ୍ରଦୂଷଣ ସଂସ୍ପର୍ଶରେ ଆସିଲେ ମାନବ ଶରୀର ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରଭାବ ପଡିଥାଏ। ଶ୍ୱାସକ୍ରିୟା ସଂକ୍ରମଣ ହେବାର ଆଶଙ୍କା ଥାଏ।
ଅନୁସନ୍ଧାନରୁ ଜଣାପଡିଛି ଯେ କୋଭିଡ-୧୯ ରେ ମୃତ୍ୟୁ ସହିତ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ର ଦୃଢ ସମ୍ପର୍କ ରହିଛି। ବାୟୁରେ ଏନ୍ଓ-୨ ଅର୍ଥାତ୍ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ (NO2) ବୃଦ୍ଧି ହେବା ଦ୍ବାରା ୧୧.୩ ପ୍ରତିଶତ କୋଭିଡ ରୋଗୀଙ୍କ ମୃତ୍ୟୁ ହେଉଛି।
ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ବାୟୁରେ ଥିବା ୪.୬ ପିପିବି ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ (4.6 ppb NO2) ହ୍ରାସ କରିବା ଦ୍ବାରା ୧୪,୬୭୨ କୋଭିଡ-୧୯ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ।



