କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ରେ ପହଞ୍ଚିଲା, ୯୯ ଘଣ୍ଟା ସଟ୍‍ଡାଉନ ଘୋଷଣା କଲେ ସରପଞ୍ଚ

-

ବୋଲଗଡ: କରେନା ମହାମାରୀ ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ବେଳେ ଏହାର ପ୍ରତିକାର ପାଇଁ କୌଣସି ଔଷଧ ନ ବାହାରିବା ପରିସ୍ଥିତିକୁ ଜଟିଳ କରିଛି। ସାମାଜିକ ଦୂରତା, ମାସ୍କ ପିନ୍ଧିବା, ଜନଗହଳି ସ୍ଥାନକୁ ନଯିବା, ପ୍ରତ୍ୟେକ ସମୟରେ ସାନିଟାଇଜର ବ୍ୟବହାର କରିବା ଦ୍ୱାରା କରୋନାକୁ ଏକ ପ୍ରକାର ଅଟକା ଯାଇପାରିବ। କିନ୍ତୁ କିଛି ଅମାନିଆ ବ୍ୟକ୍ତି କରୋନା ପ୍ରତିହତ ପାଇଁ ଥିବା କଟକଣାକୁ ନମାନି କରୋନା ମହାମାରୀକୁ ଆମନ୍ତ୍ରଣ କରିବା ସହିତ କରୋନାକୁ ପ୍ରସାର କରିବାର ମାଧ୍ୟମ ପାଲଟିଛନ୍ତି। ସୂଚନାରୁ ପ୍ରକାଶ ଗୁରୁବାର ବୋଲଗଡ ବ୍ଲକ ପରିସରରେ ର‍୍ୟାପିଡ୍‍ ଆଣ୍ଟିଜେନ ଟେଷ୍ଟ କ୍ୟାମ୍ପ ଓ ବାମନ ଉଚ୍ଚ ବିଦ୍ୟାଳୟ ପରିସରରେ କରୋନା ଟେଷ୍ଟ ପାଇଁ ର‍୍ୟାପିଡ୍‍ ଆଣ୍ଟିଜେନ ଟେଷ୍ଟ କ୍ୟାମ୍ପ କରାଯାଇ ୨୧୯ଜଣ ଟେଷ୍ଟ କରାଯାଇଥିଲା। ସେଥି ମଧ୍ୟରୁ ସରକାରୀ କର୍ମଚାରୀ ୪ଜଣ ଏବଂ ସ୍ଥାନୀୟ ବାସିନ୍ଦା ୯ ଜଣ ସଂକ୍ରମିତ ହୋଇଥିବାର ରିପୋର୍ଟ ଆସିଥିଲା। ପୁନର୍ବାର ଦ୍ୱିତୀୟ ପର୍ୟ୍ୟାୟରେ ଶୁକ୍ରବାର ସ୍ଥାନୀୟ ବାମନ ଉଚ୍ଚବିଦ୍ୟାଳୟ ପରିସରରେ ଏକ ର‍୍ୟାପିଡ ଟେଷ୍ଟ ବାଙ୍କୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୁଲ୍ୟରେ ବୋଲଗଡ ପଞ୍ଚାୟତର ନୋଡାଲ ଅଫିସର ପ୍ରକାଶ କୁମାର ବଳିୟାରସିଂହଙ୍କ ସହିତ ଲାବ୍‍ଟେକ୍‍ନିସିଆନ ଜ୍ୟୋତିବିନ୍ଦୁ ଜଗଦ୍ଦେବ, ପ୍ରସନ୍ନ କୁମାର ଲେଙ୍କା ଓ ରଶ୍ମିରଞ୍ଜନ ସାମନ୍ତରାୟଙ୍କ ସହଯୋଗରେ ୪୬ଜଣ ବ୍ୟକ୍ତିଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା। ଏଥି ମଧ୍ୟରୁ ୬ଜଣ ବ୍ୟକ୍ତିଙ୍କର ରିପୋର୍ଟ ପଜିଟିଭ ଆସିବାରେ ବୋଲଗଡ ପଞ୍ଚାୟତର ସରପଞ୍ଚ ବବିତା ସାହୁ ବୋଲଗଡର ଭୈାଗଳିକ ସ୍ଥିତି ଏବଂ ସରକାରୀ କାର୍ୟ୍ୟପାଇଁ ୧୯ଗୋଟି ପଞ୍ଚାୟତର ଲୋକମାନେ ନିର୍ଭର କରୁଥିବାରୁ ଗୋଷ୍ଠୀ ସଂକ୍ରମଣକୁ ଏଡାଇବା ପାଇଁ ଜିଲ୍ଲାପାଳଙ୍କ କ୍ଷମତାକୁ ପ୍ରୟୋଗକରି ପତ୍ରସଂଖ୍ୟା ୨୦୪ରେ ୨୧.୦୮.୨୦୨୦ରିଖ ଶୁକ୍ରବାର ସନ୍ଧ୍ୟା ୫ଟା ଠାରୁ ୨୫.୦୮.୨୦୨୦ରିଖ ମଙ୍ଗଳବାର ସନ୍ଧ୍ୟା ୮ଘଟିକା ପର୍ୟ୍ୟନ୍ତ ୯୯ଘଣ୍ଟିଆ ସଟ୍‍ଡାଉନ ଘୋଷଣା କରିଛନ୍ତି। ଏହି ସଟ୍‍ଡାଉନ ସମୟରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଥିବାରୁ ଡାକବାଜୀ ଯନ୍ତ୍ର ମାଧ୍ୟମରେ ପଞ୍ଚାୟତର ନାଏବ ସରପଞ୍ଚ ସତ୍ୟପ୍ରିୟ ପରିଡା ପ୍ରତ୍ୟକ୍ଷ ଭାବେ ‘ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ’ ସଚେତନତା ବାର୍ତ୍ତା ଦେଇଥିଲେ। ସେହିପରି ଉପପତ୍ର ସଂଖ୍ୟା ୨୦୫(୫)ମୁତାବକ ସ୍ଥାନୀୟ ମଣ୍ଡଳ ଉନ୍ନୟନ ଅଧିକାରୀ ତହସିଲାଦାର, ଥାନା ଅଧିକାରୀଙ୍କୁ ଜଣାଇବା ସହିତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଖୋର୍ଦ୍ଧାଙ୍କୁ ଅବଗତ କରାଇଥିବା ସରପଞ୍ଚ ସୂଚନା ଦେଇଛନ୍ତି।

Comments are closed.