ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଦାସୀନତା ଓ ଅପରିଣାମଦର୍ଶୀ କୃଷିନୀତି ଯୋଗୁଁ ଚାଷୀମାନେ ଆତ୍ମହତ୍ୟା କରି ଚାଲିଛନ୍ତି ଏବଂ ସେଥିପାଇଁ ରାଜ୍ୟର ନବୀନ ସରକାର ଚାଷୀ ହତ୍ୟାକାରୀ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ କଡ଼ା ସମାଲୋଚନା କରିଛନ୍ତି। ଏହି ଆତ୍ମହତ୍ୟା କରିଥିବା ସମସ୍ତ ଚାଷୀ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସେ ଦାବୀ କରିଛନ୍ତି।
ସେ କହିଛନ୍ତି ଯେ, ଓଡ଼ିଶାର ନବୀନ ସରକାର କେବଳ ଚାଷୀ ବିରୋଧୀ ନୁହନ୍ତି, ଚାଷୀ ହନ୍ତା ମଧ୍ୟ। ଚଳିତ ବର୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ୭ଜଣ ଚାଷୀ ଆତ୍ମହତ୍ୟା କରିସାରିଲେଣି। ଗତ ନଭେମ୍ବର ୧୬ ତାରିଖରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରର ଶାଳୀକୋଠା ଗ୍ରାମର ଚାଷୀ ଲକ୍ଷ୍ମୀ ନାରାୟଣ ଜେନା ବିଲରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ସେ ଅଭିଯୋଗ କରିଛନ୍ତି, ବିଧାନସଭାରେ ସର୍ବଦଳୀୟ ପ୍ରସ୍ତାବ ପାରିତ କରି ରାଜ୍ୟ ସରକାର ଧାନ କ୍ୱିଣ୍ଟାଲ ପ୍ରତି ସର୍ବନିମ୍ନ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ କରି କେନ୍ଦ୍ରକୁ ପତ୍ର ପଠାଇଥିଲେ। ରାଜ୍ୟ ସରକାର କେନ୍ଦ୍ରକୁ ଏହି ପତ୍ରଟି ପଠାଇ ଦେଇ ଚୁପ୍ ହୋଇ ବସିବା ଏକ ହାସ୍ୟାସ୍ପଦ।
ଚାଷୀମାନଙ୍କ ସମସ୍ୟାଗୁଡ଼ିକୁ ନେଇ ଆଗାମୀ ଦିନରେ ଶକ୍ତିଶାଳୀ ଚାଷୀ ଆନ୍ଦୋଳନ କଂଗ୍ରେସ ଆୟୋଜନ କରିବ ବୋଲି କଂଗ୍ରେସ ପ୍ରବକ୍ତା ଶ୍ରୀ ଦାସ କହିଥିବା ବେଳେ ଏଥିପାଇଁ ଆସନ୍ତା ଡିସେମ୍ବର ୧ ତାରିଖରେ ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯିବ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାନଙ୍କ ପ୍ରତି ଅଣଦେଖାକୁ ପ୍ରତିବାଦ କରାଯିବା ପାଇଁ ଏହି ବୈଠକରେ ଆନ୍ଦୋଳନର ରୂପରେଖ ଚୁଡ଼ାନ୍ତ ହେବ ବୋଲି ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।



