ଗୋପାଳପୁର: ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଭାବି ଜ୍ବାଇଁ ଆଶିଷ ପାଠକଙ୍କ ପକ୍ଷରୁ ଟାଟା ମୋର୍ଟସରେ ଜାଲ ନିଯୁକ୍ତି ପତ୍ର ପ୍ରଦାନ ମାମଲାରେ ବିଧାୟକଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ଜୋର ଧରିବା ସହ ଜନବିରୋଧୀ କାର୍ୟ୍ୟ ଯୋଗୁଁ ତାଙ୍କୁ ଦଳରୁ ବହିଷ୍କୃତ କରିବା ଘଟଣା ପରେ ଗୋପାଳପୁର ରାଜନୀତିରେ କମ୍ପନ ବଢିଯାଇଛି। ରବିବାର ଜିଲ୍ଲା କଂଗ୍ରେସର ଆହ୍ବାନ କ୍ରମେ ଗୋପାଳପୁର କଂଗ୍ରେସ ପକ୍ଷରୁ ଏସ ଧର୍ମରାଜ ରେଡ୍ଡୀଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଗୋପାଳପୁର ଥାନା ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ଏହାସହ ଗୋପାଳପୁର ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଠକେଇ ମାମଲାରେ ସମ୍ପୃକ୍ତ ବିଧାୟକଙ୍କୁ ତୁରନ୍ତ ଗିରଫ କରିବା ସହ ଯେଉଁ ବେକାର ଯୁବକମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ନିଯୁକ୍ତି ଦେବା ନାମରେ ହଡ଼ପ କରାଯାଇଛି ତାହା ସେମାନଙ୍କୁ ତୁରନ୍ତ ଫେରାଇବାର ବ୍ୟବସ୍ଥା କରିବା ଦାବି ଉପସ୍ଥାପନ କରାଯାଇଛି। ଏହାସହ ଏହି ଘଟଣାରେ ବିଧାୟକଙ୍କ ପ୍ରମୁଖ ସହଯୋଗୀ ସୂର୍ୟ୍ୟ ସାହୁଙ୍କୁ ମଧ୍ୟ ଗିରଫ କରିବାକୁ ଦାବିରେ ଉଲ୍ଲେଖ ରହିଛି। ଏହା ମଧ୍ୟରେ ଟଙ୍କା ଦେଇଥିବା ଯୁବକମାନଙ୍କୁ ବିଧାୟକଙ୍କ କେତେକ ସହଯୋଗୀ ଧମକ ଦେଉଛନ୍ତି।
ବାଲି ଓ ମୋରମ ଚୋରା ଚାଲାଣରେ ମଧ୍ୟ ବିଧାୟକ ସମ୍ପୃକ୍ତ ରହି କୋଟି କୋଟି ଟଙ୍କା ଆଦାୟ କରିଥିବାରୁ ଏହା ନେଇ ମଧ୍ୟ ତଦନ୍ତ କରିବାକୁ ଶ୍ରୀ ରେଡ୍ଡୀ ଉଲ୍ଲେଖ କରିଛନ୍ତି। ଏହି ଘଟଣା ନେଇ ଗୋପାଳପୁର ଥାନା ସମେତ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଏହାର ଏକ ନକଲ ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଦଳର କେ ତ୍ରିନାଥ ରେଡ୍ଡୀ,ଏମ ଚନ୍ଦ୍ରଶେଖର, ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି ରାଜିବ ରମଣ ଖୁଣ୍ଟିଆ, କେ ମୋହନ, ଏମ ମଧୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।



