ବ୍ୟବସାୟ ପାଇଁ ବିଜ୍ଞାପନ କିଛି ନୂଆ କଥା ନୁହେଁ । ଆଗେ ବିକ୍ରେତାମାନେ ଘରଘର, ସାହିସାହି, ଗାଁ ଗାଁ ବୁଲି ଜିନିଷ ବିକ୍ରି କରୁଥିଲେ । ଏବେ ବି ସେ ଧାରା ଅବ୍ୟାହତ ରହିଛି; କିନ୍ତୁ ଆଧୁନିକତାର ସ୍ପର୍ଶ ତାକୁ ଏପରି ସ୍ତରକୁ ନେଇ ଗଲାଣି ଯେ ଏହା ଏବେ ଏକ ମୁଣ୍ଡବ୍ୟଥାର କାରଣ ପାଲଟିଗଲାଣି। ଯେତେ ଯେତେ ନୂତନ ବୈଷୟିକ ଯନ୍ତ୍ର ଆବିଷ୍କାର ହେଉଛି ସେସବୁ ଲୋକଙ୍କୁ ସମର୍ପିତ ହେବା ପୂର୍ବରୁ ବିଜ୍ଞାପନଦାତାମାନେ ତାକୁ କାବୁ କରି ନେଉଛନ୍ତି। ଟିଭି ଖୋଲିଲେ ‘ଅନ୍ ଲାଇନ୍ ସେଲ୍’ର ଉତ୍କଟ ଗର୍ଜନ, ଦୂରଭାଷ ଯନ୍ତ୍ର ଖୋଲିଲେ କୌଣସି ଏକ ଟିଭି ଚାନେଲ୍ ବା ଧାରାବାହିକର ନାମ ଦର୍ଶନ, ଫୋନ୍ କଲେ ଶୁଭେ ବିଜ୍ଞାପନ, ଖବରକାଗଜ ଓଲଟାଇଲେ ପ୍ରତି ପୃଷ୍ଠାରେ ଵିଜ୍ଞାପନ। ରେଡିଓ ଲଗାଇଲେ ଆଗ ଶୁଭିବ ଵିଜ୍ଞାପନର ଶବ୍ଦ। ଏହା ବାଦ୍ ବସ୍ ଭିତରେ, ରେଳବଗିରେ, ଟ୍ରାଫିକ୍ ପୋଷ୍ଟ୍ରେ ଗାଡି ଅଟକି ଥିବାବେଳେ, ହାଟବଜାରରେ, ମେଳା ମହୋତ୍ସବରେ, ଯାନିଯାତ୍ରାରେ, ସିନେମାଥିଏଟର୍ ହଲ୍ରେ, ବସ୍ ଓ ରେଳରହଣି ଜାଗାରେ, ଧାର୍ମିକ ସ୍ଥଳରେ ସବୁଜାଗାରେ ବିଭିନ୍ନ ପ୍ରକାରେ ପ୍ରଚାରିତ ହୁଏ ବିଜ୍ଞାପନ। ଗଳିକନ୍ଦିରେ ବୁଲା ବିକାଳିଙ୍କର ଡାକ କିମ୍ବା ଡାକବାଜି ଯନ୍ତ୍ରରେ ବିଜ୍ଞାପନ ବେପାର କରିବାର ଅନ୍ୟ ଏକ ଉପାୟ। ଘର ବି ସେଥିରୁ ମୁକ୍ତ ନୁହେଁ । ବୀମାବାଲାଙ୍କ କଥା ତ ନ କହିଲେ ଭଲ। ପୂଜାପାର୍ବଣ ବା ପର୍ବପର୍ବାଣିରେ ତ ବିଜ୍ଞାପନର ମାତ୍ରା ସୀମା ଟପିଯାଏ । ମନେହୁଏ କୋଟିପତି ବ୍ୟବସାୟୀଙ୍କର ବିଜ୍ଞାପନ ପ୍ରୀତି ଜଣେ ବୁଲାବିକାଳିଠାରୁ ବି ହୀନ। ବିଜ୍ଞାପନର ବହୁଳତା ଏତେ ସୁଦୂରପ୍ରସାରୀ ହୋଇଗଲାଣି ଯେ ଏହା ବ୍ୟକ୍ତିଗତ, ପାରିବାରିକ, ସାମାଜିକ, ରାଜନୈତିକ ତଥା ପେସାଗତ ଜୀବନକୁ ବି ଅନେକାଂଶରେ ପ୍ରଭାବିତ କଲାଣି। ବ୍ୟକ୍ତିଗତ ଜୀବନରେ ଆତ୍ମପ୍ରଶଂସା, ସାମାଜିକ ସ୍ତରରେ ଆତ୍ମବଡିମା ବା ବିଭିନ୍ନ ଗୁରୁ ଓ ବାବାଙ୍କର କାରନାମାର ପ୍ରଚାର, ରାଜନୀତିରେ ଲବି, ଅଫିସ୍ ବା ଅନ୍ୟ କୌଣସି କର୍ମ ସ୍ଥାନରେ କାମ ଅପେକ୍ଷା ଦାମ (ବାହୁସ୍ଫୋଟ ବା ଆତ୍ମପ୍ରଚାର) ଇତ୍ୟାଦି ଘଟଣାରୁ ଜଣା ପଡେ ଯେ ଯାହାର ପ୍ରଚାର କ୍ଷମତା ଯେତେ ବେଶୀ ତା’ର ପତିଆରା ସେତେ ବେଶୀ। ବିଜ୍ଞାପନର ଏହି ଧାରାକୁ ଅନୁଧ୍ୟାନ କଲେ ଦେଖାଯାଏ ଯେ ଆଗେ ଲୋକମାନେ ବିଜ୍ଞାପନର ଭାଷା ଶୁଣିଲେ (ଯଥା ନାଗରା ବା ଡେଙ୍ଗୁରାର ଶବ୍ଦ, ମାଛ, ଫଳ ବା ପରିବା ବିକାଳିର ଡାକ) ସେଠାରେ ସ୍ୱତଃପ୍ରବୃତ୍ତ ଭାବରେ ଜମା ହୋଇ ଯାଉଥିଲେ । ଏବେ କିନ୍ତୁ ତାକୁ ଏଡେଇ ଯାଉଛନ୍ତି। ଏହା ବିଜ୍ଞାପନ ପ୍ରକ୍ରିୟାର ଏକ ନିମ୍ନଗତିର ସୂଚନା।
ବିଜ୍ଞାପନର କିଛି ଅାବଶ୍ୟକତା ଓ ପ୍ରଭାବ ଅବଶ୍ୟ ରହିଛି। ସଦ୍ୟ ଆବିଷ୍କୃତ ଘଟଣା, ପ୍ରଯୁକ୍ତି ଅଥବା କୌଣସି ପଦାର୍ଥକୁ ଲୋକଲୋଚନକୁ ଆଣିବା, ପ୍ରଥମଥର ପାଇଁ ବଜାରକୁ ଛଡାଯାଉଥିବା ଏକ ନୂତନ ଉତ୍ପାଦକୁ ଲୋକଙ୍କ ସହିତ ପରିଚିତ କରେଇବା, ପ୍ରଚଳିତ ବସ୍ତୁ ବା ଜିନିଷର ପରିବର୍ତ୍ତନ, ପରିମାର୍ଜନ ବା ମାନବୃଦ୍ଧିକୁ ଲୋକଙ୍କୁ ଜଣେଇବା, କୌଣସି ପଦାର୍ଥ ବା ଯନ୍ତ୍ରପାତିର ଉପକାରିତା ବା ବ୍ୟବହାର କୌଶଳ ବିଷୟରେ ଶିକ୍ଷା ଦେବା ଇତ୍ୟାଦି ପାଇଁ ବିଜ୍ଞାପନ ଏକ ସୁଚିନ୍ତିତ ମାଧ୍ୟମ; କିନ୍ତୁ ପରିତାପର ବିଷୟ ଯେ ବ୍ୟବସାୟୀ ଓ ବିଜ୍ଞାପନଦାତାମାନଙ୍କର ଅଧିକ ଲାଭଖୋର ମନୋବୃତ୍ତିି ଯୋଗୁ ବିଜ୍ଞାପନ ତା’ର ମୌଳିକ ଉଦ୍ଦେଶ୍ୟ ଠାରୁ ଦୂରେଇ ଯାଉଛି ଓ ବୁଝି ବି ବୁଝି ନଥିବା ଭଳି ଏକ ବାସ୍ତବ କଥା ହେଲା; ଗୋଟିଏ ସାମଗ୍ରୀର ମାନ ଓ ଗୁଣବତ୍ତା ଖାଉଟିମାନଙ୍କ ଦ୍ବାରା ଥରେ ବ୍ୟବହୃତ, ପ୍ରମାଣିତ ଓ ପରୀକ୍ଷିତ ହୋଇଗଲେ ସେଥିରେ ଏକ ‘ଛାପ’ (ବ୍ରାଣ୍ଡ୍) ଲାଗିଯାଏ ଯାହା ’ତୁଣ୍ଡ ବାଇଦ ସହସ୍ର କୋଶ’ ନ୍ୟାୟରେ ସର୍ବତ୍ର ପରିଚିତ ହୋଇଯାଏ। ସେଥିପାଇଁ କୌଣସି ପ୍ରଚାର ବା ପ୍ରସାରର ଆବଶ୍ୟକତା ନଥାଏ; ବରଂ ଗ୍ରାହକମାନେ ତାକୁ ପାଇବାକୁ ଖୋଜି ବୁଲନ୍ତି। ଏହା ବିଜ୍ଞାପନଠାରୁ ଅଧିକ ପ୍ରଭାବଶାଳୀ ଯାହାକୁ ବ୍ୟାବସାୟିକ ଭାଷାରେ ସୁନାମ (ଗୁଡ଼ୱିଲ୍) କୁହାଯାଏ ଏବଂ ଏହା ଯେ କୌଣସି ବ୍ୟବସାୟର ସବୁଠାରୁ ମୂଲ୍ୟବାନ ମୂଳଧନ।
ଅଥଚ ବିଜ୍ଞାପନଜନିତ ଏକ ସାଧାରଣ ଅବୁଝାମଣା ବେଳେବେଳେ ଖୁବ୍ ମହଙ୍ଗା ସାବ୍ୟସ୍ତ ହୁଏ। ଭାତହାଣ୍ଡିରୁ ଗୋଟିଏ ଭଳି ଏଠାରେ ମାତ୍ର ଗୋଟିଏ ଦୃଷ୍ଟାନ୍ତର ଅବତାରଣା କରାଯାଇପାରେ। ତା’ ହେଲା ସବୁଠାରୁ ଲୋକପ୍ରିୟ ମାଧ୍ୟମ ଭବରେ ଜଣାଶୁଣା ‘ଟେଲିଭିଜନ’। ବ୍ୟସ୍ତବହୁଳ ଜୀବନରେ କେବେ କେମିତି ଫୁରସତ୍ ମିଳିଲେ ମନକୁ ଟିକେ ହାଲ୍କା କରିବା ପାଇଁ ଜଣେ ଯେତେବେଳେ ଟିଭିଟିଏ ଲଗାଇଦେଇ ସତୃଷ୍ଣ ନୟନରେ ତାକୁ ଚାହିଁ ରହେ ସେତେବେଳେ ସେ ଦେଖିବାକୁ ପାଏ ବିଜ୍ଞାପନ ଆଉ ବିଜ୍ଞାପନ। ବିଜ୍ଞାପନ ସଂସ୍ଥାମାନଙ୍କ ଭିତରେ ତୀବ୍ର ପ୍ରତିଯୋଗିତା । କୌଣସି ମନୋରଞ୍ଜନଧର୍ମୀ ଧାରାବାହିକ କିମ୍ବା ଚଳଚ୍ଚିତ୍ର ପ୍ରଦର୍ଶନର ବହୁ ପୂର୍ବରୁ ତାର ପ୍ରସାରଣ ପାଇଁ ଦିନକୁ ଶତାଧିକ ବାର ବିଜ୍ଞାପନ ମାଧ୍ୟମରେ ଏପରି ବାରମ୍ବାର ସୂଚନା ଦିଆଯାଏ ଯେ ତାକୁ ଦେଖିବାକୁ ଥିବା ଆଗ୍ରହ ଶେଷରେ ବିରକ୍ତିରେ ପରିଣତ ହୋଇଯାଏ। ଦେଉଳକୁ ମୁଖଶାଳା ବଳିଲା ପରି କାର୍ଯ୍ୟକ୍ରମଠାରୁ ବିଜ୍ଞାପନ ବଳିପଡେ। ଦର୍ଶକମାନଙ୍କର ଉତ୍କଣ୍ଠା ବଢିଚାଲିଥିବା ବେଳେ ହଠାତ୍ ପରଦା ଉପରକୁ ଧସେଇ ପଶେ ବିଜ୍ଞାପନର ଝଲକ ଆଉ ଉଭେଇଯାଏ କଥାବସ୍ତୁ। କଥା ଫେରିଲା ବେଳକୁ ଦର୍ଶକର ଆଗ୍ରହରେ ଭଟ୍ଟା ପଡିଯାଇଥାଏ କିମ୍ବା କାର୍ଯ୍ୟବ୍ୟସ୍ତତା ହେତୁ ସେ ଆଉ ଦେଖିପାରେନା। ଏପରି କି ସମ୍ବାଦ ପରିବେଷଣ ସମୟରେ କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିବାବେଳେ ବିଜ୍ଞାପନର ଝଲକ ଅବାରିତ ଜାରିରହି ଶ୍ରୋତାଙ୍କୁ ଅନ୍ୟମନସ୍କ କରିଦିଏ। ଫଳରେ ଯେଉଁମାନଙ୍କ ପାଇଁ କାର୍ଯ୍ୟକ୍ରମଟି ଉଦ୍ଦିଷ୍ଟ ସେମାନେ (ଅତି ନିକମା ନ ହୋଇଥିଲେ) ହତାଶ ହୁଅନ୍ତି। ତାଙ୍କର ମନକଥା ସଂପୃକ୍ତ କାର୍ଯ୍ୟକର୍ତ୍ତାମାନେ ଜାଣିପାରୁଥିଲେ ବି ପ୍ରଯୋଜକ-ପ୍ରାୟୋଜକ ମଧୁଚନ୍ଦ୍ରିକାରେ ନୀରବ ରହିବାକୁ ପସନ୍ଦ କରନ୍ତି; କାରଣ ସେ ବାବଦରେ ସମସ୍ତ ଖର୍ଚ୍ଚ ସେମାନେ ଗ୍ରାହକମାନଙ୍କ ଉପରେ ଲଦି ଦିଅନ୍ତି। ବିଜ୍ଞାପନଦାତାମାନେ ହୁଏତ ଭୁଲିଯାଆନ୍ତି ଯେ ଗୋଟିଏ କଥାକୁ ବାରମ୍ବାର ଦୋହରାଇଲେ ତା’ର ଅବମୂଲ୍ୟାୟନ ହୁଏ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଠକିବା। ମନେ ରଖିବା ଉଚିତ ଯେ ‘କହି ବୋଲି ଜାଣେ ଯିଏ ପଚା ମାଛ ବିକେ ସିଏ’ ଅଥବା ‘କହି ଜାଣିଲେ କଥା ସୁନ୍ଦର’ ନୀତିରେ ଏଭଳି ଭ୍ରମାତ୍ମକ ବିଜ୍ଞାପନ ହୁଏତ ସାମୟିକ ଲାଭ ଦେଇପାରେ; କିନ୍ତୁ ତା ସହିତ ଆଣେ ଅପୂରଣୀୟ କ୍ଷତି ।
ଅଲେଖ ଚନ୍ଦ୍ର ମିଶ୍ର
‘‘ସାରଦାଶ୍ରୀ”,୯୦୪, ଶାସ୍ତ୍ରୀନଗର,
ୟୁନିଟ-୪, ଭୁବନେଶ୍ୱର
ଦୂରଭାଷ: ୯୪୩୮୬୭୩୮୯୮


