ଭୁବନେଶ୍ବର : ଜୁନ୍ ମାସ ଆମ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। ମୌସୁମି ଆସୁଥିବାରୁ ଥଣ୍ଡା, ଜ୍ବର, କାଶ ଓ ସର୍ଦ୍ଦି ବଢିବ ତେଣୁ ସମସ୍ତେ ଘରେ ରହିବା ଦରକାର, ଜରୁରୀ କାମ ନ ଥିଲେ ବାହାରକୁ ବାହାରନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାତିରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ଆପଣ ବାହାରକୁ ନ ବାହାରିଲେ,କରୋନା ଆପଣଙ୍କ ଘରକୁ ଯିବ ନାହିଁ; ତେଣୁ ସାବଧାନତା ଓ ସତର୍କତା ଅବଲମ୍ବନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।
ଜୁନ୍ ମାସରେ ସପ୍ତାହକୁ ୨ଦିନ ଲେଖାଏଁ ମୋଟ୍ ୮ଦିନ ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ସଟ୍ ଡାଉନ ଲାଗୁ ହେବ। ଏହି ସମୟରେ ସମସ୍ତେ ଘରେ ରହିବା, ବାହାରକୁ ଯିବା ନାହିଁ। ଅନ୍ୟ ଦିନମାନଙ୍କରେ କେତେକ କୋହଳ ସହିତ ଲକଡାଉନ୍ ଲାଗୁ ହେଇଛି। ରାତି ୭ଟାରୁ ଭୋର ୫ଟା ଯାଏ କର୍ଫ୍ୟୁ ଲାଗୁ ହୋଇଛି। ତେଣୁ ଜୁନ୍ ମାସରେ ମୋଟ ୧୭ ଦିନ ଘରେ ରହିବା। କରୋନା ସଂକ୍ରମଣ ବର୍ତ୍ତମାନ ଶୀର୍ଷରେ ଅଛି। ତେଣୁ ଆମେ କଡାକଡି ଭାବେ ନିୟମ ପାଳନ କରିବା ଓ ଘରେ ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।
ଏ ନେଇ ମୁଖ୍ୟମନ୍ତ୍ରୀ ୫ଟି ପରାମର୍ଶ ଦେଇଛନ୍ତି :
୧. ଘରେ ରୁହନ୍ତୁ ଜରୁରୀ କାମ ନ ଥିଲେ ବାହାରକୁ ବାହାରନ୍ତୁ ନାହିଁ।
୨. ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ, ମାସ୍କ ପିନ୍ଧିଲେ ୯୦ ପ୍ରତିଶତ ସଂକ୍ରମଣ କମିବ।
୩. ଘରକୁ ଫେରିଲେ ୨୦ ସେକେଣ୍ଡ ପାଇଁ ସାବୁନରେ ହାତ ଧୁଅନ୍ତୁ।
୪. ହାଟ-ବଜାର, ଅଫିସ ଓ ଟ୍ରାଫିକରେ ସାମାଜିକ ଦୂରତା ବଜାୟ ରଖନ୍ତୁ।
୫. ୬୫ ବର୍ଷ ବୟସରୁ ଅଧିକ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷ ବୟସର କମ୍ ପିଲାଙ୍କ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ଏହି ବର୍ଗର ଲୋକଙ୍କୁ ଘରୁ ବାହାରିବାକୁ ଦିଅନ୍ତୁ ନାହିଁ।



