ସମାଜ ଡିଜିଟାଲ ଡେସ୍କ: ଦଲାଇ ଲାମାଙ୍କ ୯୦ତମ ଜନ୍ମ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇବା ପରେ ଏହାକୁ ଚୀନ ସୋମବାର ବିରୋଧ କରିଛି। ଧର୍ମଶାଳାରେ ଆୟୋଜିତ ଜନ୍ମ ଦିବସ ଉତ୍ସବରେ ଭାରତୀୟ ଅଧିକାରୀମାନେ ସାମିଲ ହୋଇଥିଲେ। ଚୀନ ଏହାକୁ ଆନୁଷ୍ଠାନିକ ଭାବେ ବିରୋଧ କରିବା ସହିତ ତା’ର ଆଭ୍ୟନ୍ତରୀଣ ମାମଲାରେ ଭାରତ ମୁଣ୍ଡ ନ ଖେଳାଇବା ଉଚିତ ବୋଲି କହିଛି।
ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମାଓ ନିଙ୍ଗ୍ ଗଣମାଧ୍ୟମରେ କହିଛନ୍ତି ଯେ, ଜିଜାଙ୍ଗ ସମ୍ପର୍କିତ ସମସ୍ୟାର ସମ୍ବେଦନଶୀଳତାକୁ ଭାରତ ବୁଝିବା ଦରକାର ଏବଂ ୧୪ଶ ଦଲାଇ ଲାମାଙ୍କ ବିଚ୍ଛିନ୍ନତାବାଦୀ ପ୍ରକୃତିକୁ ସ୍ଵୀକାର କରିବା ଆବଶ୍ୟକ। ଦଲାଇ ଲାମା ଚୀନରୁ ନିର୍ବାସିତ ହୋଇଛନ୍ତି। ସେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଜାରି ରଖିବା ସହିତ ଧର୍ମ ନାମରେ ଜିଜାଙ୍ଗ ପ୍ରଦେଶକୁ ଚୀନଠାରୁ ପୃଥକ କରିବାକୁ ଉଦ୍ୟମ କରିଆସୁଛନ୍ତି। ବେଜିଂ ପକ୍ଷରୁ ଆନୁଷ୍ଠାନିକ ଭାବେ ନୂଆଦିଲ୍ଲୀର ଏହି ପଦକ୍ଷେପକୁ ବିରୋଧ କରାଯାଇଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଦଲାଇ ଲାମା ତିବ୍ଦତରେ ରହୁଛନ୍ତି। ଚୀନ ଏହାକୁ କବଜା କରିବାକୁ ଚାହୁଁଛି। ଚୀନ ତିବ୍ଦତକୁ ଜିଜାଙ୍ଗ ସହର ନାମରେ ନାମିତ କରିଛି।



