ବିଏସଏନଏଲ ନେଟୱର୍କ ସେବା ବ୍ୟାଘାତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ବହୁଦିନ ଧରି ବିଏସଏନଏଲ ନେଟୱର୍କ ସେବା ବ୍ୟାଘାତ ହେଉଥିବା ଯୋଗୁଁ ଗ୍ରାହକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଉକ୍ତ ବିଏସଏନଏଲ ନେଟୱର୍କ ସବୁବେଳେ ଅଚଳ ରହୁଛି । ବିଦ୍ୟୁତ ଚାଲିଗଲେ ମଧ୍ୟ ବିଏସଏନଏଲ ନେଟୱର୍କ ରହୁନାହିଁ ତାହା ବି ଚାଲିଯାଉଛି । ଏଥିରେ ଥିବା ବ୍ୟାଟେରୀ, ଜେନେରଟର ମଧ୍ୟ କାର୍ଯ୍ୟ କରୁନାହିଁ । ଏହି ବ୍ଲକରେ ସମିତି କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଭାରତୀୟ ଷ୍ଟେଟବ୍ୟାଙ୍କ, ମିନିବ୍ୟାଙ୍କ, ଡାକଘର, ସ୍ୱାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ, ମହାବିଦ୍ୟାଳୟ, ସମସ୍ତ ଜନସେବା କେନ୍ଦ୍ରରେ ବିଏସଏନଏଲ ନେଟୱର୍କ ଦ୍ୱାରା କାର୍ଯ୍ୟ କରି ଆସୁଥିଲେ । ବର୍ତ୍ତମାନ ନେଟୱର୍କ ବ୍ୟାଘାତ ହେବା ଯୋଗୁଁ କାର୍ଯ୍ୟାଳୟରେ କାମଗୁଡିକ ସୁଚାରୁ ରୂପେ କରାଯାଇ ପାରୁନାହିଁ । ଯାହା ଫଳରେ ଗ୍ରାହକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଏସଏନଏଲ ନେଟୱାର୍କ ଦ୍ୱାରା ଗ୍ରାହକମାନେ ଅସୁବିଧାରେ ପଡୁଥିବା ଯୋଗୁଁ କିଛି ଜନସେବା କେନ୍ଦ୍ର ଓ କାର୍ଯ୍ୟାଳୟମାନଙ୍କରେ ଏୟାରଟେଲ ଏବଂ ଜିଓ ନେଟୱର୍କ ଉପରେ ଭରସା କରି ବ୍ୟବହାର କରିବାକୁ ଲାଗିଲେଣି । ତୁରନ୍ତ ବିଏସଏନଏଲ ନେଟୱର୍କ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ବିଏସଏନଏଲ ଲାଇନକୁ ସଜାଡିବାକୁ ସାଧାରଣରେ ଦାବି ହେଉଛି । ବହୁ ବର୍ଷ ହେବ ବିଏସଏନଏଲ ସେବା ଏହିଭଳି ଅବ୍ୟବସ୍ଥାରେ ରହିଥିବାରୁ ବ୍ଲକବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ବିଏସଏନଏଲ କର୍ମଚାରୀମାନେ ଦୃଷ୍ଟି ଦେଉନାହାନ୍ତି । ସେମାନେ ଶୀତଳ ଗୃହରେ ବସି ମୋଟା ଅଙ୍କରେ ଟଙ୍କା ନେଉଛନ୍ତି। ସେଥିପାଇଁ ସରକାରଙ୍କୁ ବହୁ କ୍ଷତି ସହିବାକୁ ପଡୁଛି । ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡିକରେ ବିଏସଏନଏଲ ନେଟୱର୍କ ଲାଇନ ସଂଯୋଗ ରହିଥିବା ଯୋଗୁଁ ଅବ୍ୟବସ୍ଥା କାରଣରୁ ଅନେକ ସରକାରୀ କାର୍ଯ୍ୟ ବିଳମ୍ବ ହେବା ସହ ଠପ ହୋଇଯାଇଛି । ଯାହାଫଳରେ ସାଧାରଣ ଜନତା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

kalyan agarbati

Comments are closed.