ସୁଦର୍ଶନ କ୍ରିୟା ଅଭ୍ୟାସ ଦ୍ୱାରା ଜୀବନ ପରିବର୍ତନ ହୋଇପାରିବ
ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ଆର୍ଟ ଅଫ୍ ଲିଭିଙ୍ଗ ପକ୍ଷରୁ ହାପିନେସ ପ୍ରୋଗ୍ରାମ ଛଅ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ରାଜନପାଲି ୱାର୍ଡ ଅନ୍ତର୍ଗତ ରାଧାକୃଷ୍ଣ ମନ୍ଦିର ପରିସରରେ ଭୁବନେଶ୍ୱରରୁ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ୱାରା ପ୍ରଶିକ୍ଷିତ ରଞ୍ଜନ ସାହୁ ଏବଂ ମମତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୨୫ଜଣ ପୁରୁଷ ଓ ମହିଳା ଅଂଶଗ୍ରହଣ କରିଥିଲେ । ପ୍ରତ୍ୟେକ ଦିନ ସଂଧ୍ୟା ୬ଘଂଟା ଠାରୁ ୮ଘଂଟା ୩୦ ମିନିଟ ପର୍ଯ୍ୟନ୍ତ ଶରୀର ସୁସ୍ଥ ପାଇଁ ଆସନ ଓ ପ୍ରାଣାୟାମ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।
ସୁଦର୍ଶନ କ୍ରିୟା ଅଭ୍ୟାସ ମାଧ୍ୟମରେ ଶରୀରକୁ ସମସ୍ତ ରୋଗରୁ ନିରାକରଣ କରିବା ସହିତ ଜୀବନକୁ ପରିବର୍ତ୍ତନ କରି ନକରାତ୍ମକ ଚିନ୍ତା ଦୂର କରି ସକରାତ୍ମକ ଚିନ୍ତା ଗ୍ରହଣ କରାଯାଇ ପାରିବ ବୋଲି ମତପ୍ରକାଶ ପାଇଥିଲା । ବିନା ଗୁରୁ ଓ ପ୍ରଶିକ୍ଷଣ ଦ୍ୱାରା ସୁଦର୍ଶନ କ୍ରିୟାକୁ ନକରିବା ପାଇଁ ସଚେନତତା ସୃଷ୍ଟି କରାଯାଇଥିଲା । ଅନ୍ତିମ ଦିବସରେ ପ୍ରଶିକ୍ଷାର୍ଥୀମାନଙ୍କ ମଧ୍ୟରୁ ଲକ୍ଷ୍ମଣ ନାଏକ, ପ୍ରବୀର କୁମାର ଦାସ, ସୁଜ୍ଞାନ ପାତ୍ର, ପ୍ରତାପ କୁମାର ସାହୁ, ସୂର୍ଯ୍ୟକାନ୍ତ ଦଳବେହେରା, ମିନତି ସାହୁ, ସୁନୀତା ଦାଶ, କୃତିବାସ ପଲିଆ, ଚନ୍ଦ୍ରଜିତ ଦେଓ ନିଜ ନିଜ ଅନୁଭୂତି ସଂପର୍କରେ ଆଲୋଚନା କରିଥିଲେ । ଆୟୋଜକ ଦେବାଶିଷ ପୁରୋହିତ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିବା ସହିତ ଏହାକୁ ପ୍ରତିଦିନ ଅଭ୍ୟାସ କରିବା ପାଇଁ ଅନୁରୋଧ କରିଥିଲେ ।
ପ୍ରଶିକ୍ଷକ ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଜୟ କୁମାର ପ୍ରଧାନ, ସୁର୍ଯ୍ୟେନ୍ଦ୍ର କୁମାର ଶତପଥୀ, ଇଂ ଚିତରଂଜନ ମହାନ୍ତ, ସୁରେନ୍ଦ୍ର କୁମାର ମେହେର, ଡ. ସୁଜାତା ସାହୁ, ବିଜୟ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଆସନ୍ତା ସେପ୍ଟେମ୍ବର ମାସରେ ବୌଦ୍ଧରେ ଏକ ଶିବିର ଆୟୋଜନ କରିବା ପାଇଁ ଏଥିରେ କିପରି ଅଧିକ ସଂଖ୍ୟାରେ ଲୋକଙ୍କୁ ସାମିଲ କରିବା ପାଇଁ ଆୟୋଜକମାନେ ଦାୟିତ୍ୱ ନେଇଥିଲେ ।
Comments are closed.