ହରଭଙ୍ଗା: ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀର ୯ନଂ ଜିଲ୍ଲାପରିଷଦ ଜୋନ୍ ଏଥର ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଚଳିତ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ଏହି ଜିଲ୍ଲାପରିଷଦ ଜୋନରୁ ବିଜେଡିରୁ ପ୍ରଭାସିନୀ ଦାସ,ବିଜେପିରୁ ଅରୁପା ଦୀପ, କଂଗ୍ରେସରୁ ରାଜେନ୍ଦ୍ର ଦୀପ, ସି.ପି.ଆଇରୁ ରଞ୍ଜନ ଦଳାଇ ଏବଂ ସ୍ୱାଧିନଭାବେ ପ୍ରଦ୍ୟୁମ୍ନ ଦାସ ଭଳି ୫ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲେଇଛନ୍ତି । ଅନୁସୂଚିତ ଜାତି ପାଇଁ ଏହି ଆସନ ସଂରକ୍ଷିତ ରହିଛି । ସବୁଦଳ ଜଣେ ଜଣେ ନୂଆମୁହଁକୁ ଏହି ଆସନରୁ ପ୍ରାର୍ଥୀ କରିଛି । କେବଳ ବିଜେଡି ଏହି ଆସନରୁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଥିବାବେଳେ ଅନ୍ୟ ୪ଟି ରାଜନୈତିକ ଦଳ ଜଣେ ଜଣେ ପୁରୁଷ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲେଇଛନ୍ତି । କୁଶଙ୍ଗ ପଂଚାୟତର ପୂର୍ବତନ ସରପଂଚ ସ୍ୱର୍ଗତ ଶ୍ରୀରାମ ଦାସଙ୍କ ବୋହୁ ପ୍ରଭାସିନୀ ଦାସ ଏକ ମାତ୍ର ପ୍ରାର୍ଥୀ ରାଜନୈତିକ ପରିବାରରୁ ଆସିଛନ୍ତି। ଗରିବ ପରିବାରର ଅରୁପା ଦୀପକୁ ବିଜେପି ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ଗରିବ ପରିବାର ରାଜେନ୍ଦ୍ର ଦୀପକୁ ପ୍ରାର୍ଥୀ କରିଥିବାବେଳେ ସି.ପି.ଆଇ ରଞ୍ଜନ ଦଳାଇ ଭଳି ଜଣେ ଗରିବ ପରିବାରର ଯୁବକଙ୍କୁ ପ୍ରାର୍ଥୀ କରିଛି ।
୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିକୁ ଛାଡିଦେଲେ କାହାର ରାଜନୈତିକ ପୃଷ୍ଠଭୂମି ଟାଣଥିବା ସେତେଟା ଜଣାପଡୁନାହିଁ । ହରଭଙ୍ଗା, କୁଶଙ୍ଗ, ଛତ୍ରଙ୍ଗ, ମହାଲ୍ଲିକପଡା, ସଙ୍କୁଲେଇ, ଆଡେଣିଗଡ ଏବଂ ତଳଗାଁ ଭଳି ୭ଟି ପଂଚାୟତକୁ ନେଇ ୯ନଂ ଜିଲ୍ଲାପରିଷଦ ଜୋନ ଗଠିତ ହୋଇଛି । ଏହି ଜୋନରେ ୨୯ ହଜାର ୭୪ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ମହାଲ୍ଲିକପଡା ଭଳି ନୂଆ ପଂଚାୟତରୁ ବିଜେଡି ପ୍ରଭାସିନୀକୁ ପ୍ରାର୍ଥୀ କରିଥିବାବେଳେ ଟିକଟ ରେସରୁ କଟିଥିବା ପ୍ରଦ୍ୟୁମ୍ନ ସ୍ୱାଧିନଭାବେ ଏହି ପଂଚାୟତରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଶଙ୍କୁଲେଇ ପଂଚାୟତରୁ ବିଜେପି ଅରୁପାଙ୍କୁ ପ୍ରାର୍ଥୀ କରିଥିବାବେଳେ, ଏହି ପଂଚାୟତରୁ କଂଗ୍ରେସ ମଧ୍ୟ ରାଜେନ୍ଦ୍ରକୁ ପ୍ରାର୍ଥୀ କରିଛି । ମାତ୍ର ସି.ପି.ଆଇ ଛତ୍ରଙ୍ଗରୁ ରଞ୍ଜନକୁ ପ୍ରାର୍ଥୀ କରିଥିବା ଜଣାପଡିଛି ।୧ ୯୯୭ରୁ ୨୦୨୨ ପର୍ୟ୍ୟନ୍ତ ୫ଥର ଜିଲ୍ଲାପରିଷଦ ସଭ୍ୟ ନିର୍ବାଚିତ ହୋଇଛନ୍ତି । ସେଥିରୁ ୧୯୯୭ରେ ଜନତାଦଳ ପକ୍ଷରୁ ମାନଭଞନ ମାଝୀ ପ୍ରଥମ ଜିଲ୍ଲାପରିଷଦ ସଭ୍ୟ ନିର୍ବାଚିତ ହୋଇଥିଲେ। ୨୦୦୨ରେ କଂଗ୍ରେସର ବାସନ୍ତୀ ମଲ୍ଲିକ ୨୦୦୭ରେ ବିଜେଡିର ଅଲେଖ ପ୍ରଧାନ,୨୦୧୨ରେ କଂଗ୍ରେସର ନମିତା ରାଉତ ଏବଂ ୨୦୧୭ରେ ସି.ପି.ଆଇ ର ଅବକାଶ ସାହୁ ଏହି ଆସନରୁ ଜିଲ୍ଲାପରିଷଦ ସଭ୍ୟ ନିର୍ବାଚିତ ହୋଇଥିଲେ।
ବିଗତ ୫ଟି ଜିଲ୍ଲାପରିଷଦ ନିର୍ବାଚନକୁ ସମୀକ୍ଷା କଲେ ଏହି ଆସନ ସର୍ବାଧିକ ଦୁଇଥର କଂଗ୍ରେସ ,ଥରେ ଜନତା ଦଳ ,ଥରେ ବିଜେଡି ଏବଂ ଶେଷଥର ସି.ପି.ଆଇ ଅକ୍ତିଆର କରିଥିଲା।ଗତଥର ନିର୍ବାଚନରେ ବିଜେଡିର ସୁଦୃଢ ସଂଗଠନ ସତ୍ୱେ ଏହି ଆସନକୁ ସି.ପି.ଆଇ ହାତେଇ ବିଜେଡି ପ୍ରାର୍ଥୀକୁ ମାତ୍ ଦେଇ ପାଖାପାଖି ୧୭ଶହ ଭୋଟରେ ବିଜୟୀ ଲାଭକରିଥିଲା । ଚଳିତ ନିର୍ବାଚନରେ ବିଜେଡି ପାଇଁ ଏହି ଆସନ ଅତ୍ୟନ୍ତ ସମ୍ମାନର ପ୍ରଶ୍ନ ହୋଇରହିଛି।ମାତ୍ର ବିଜେଡିକୁ ଟକ୍କର ଦେବା ପାଇଁ ଆସନ ହାତେଇଥିବା ସ.ପି.ଆଇ ମଧ୍ୟ ନିଜ ରଣନୀତି ପ୍ରସ୍ତୁତ କରିଛି।ବିଜେପି ଏବଂ କଂଗ୍ରେସ ମଧ୍ୟ ଆସନ ଅକ୍ତିଆର ପାଇଁ ନିଜର ରଣକୌଶଳ ଆରମ୍ଭ କରିଛନ୍ତି।ମାତ୍ର ଗତଥର ସି.ପି.ଆଇର ଜିଲ୍ଲାପରିଷଦ ବିଜୟୀ ପ୍ରାର୍ଥୀ ଅବକାଶ ସାହୁ ନିଜ ଧର୍ମପନ୍ତ୍ରୀଙ୍କୁ ଛତ୍ରଙ୍ଗରୁ ସରପଂଚ ପ୍ରାର୍ଥୀ କରିଥିବାବେଳେ ତାଙ୍କର ଜିଲ୍ଲାପରିଷଦ ଆସନ ପାଇଁ ସେତେଟା ଆଗ୍ରହଥିବା ଜଣାପଡୁନାହିଁ । ଶାସକ ବିଜେଡି ସବୁଥିରେ ଆଗରେ ଥିବାବେଳେ ଏହାକୁ ମାତଦେବା ପାଇଁ ବିଜେପି ଏବଂ କଂଗ୍ରେସ ମଧ୍ୟ ଜୋରଦାର ଲଢେଇ ପାଇଁ ଆପ୍ରାଣ ଚେଷ୍ଟା ଚଳେଇଛନ୍ତି।ମାତ୍ର ସବୁଠାରୁ ବଡକଥା ହେଲା ଗତ ନିର୍ବାଚନରେ ୬ଟି ପଂଚାୟତରେ ବିଜେଡି ସମର୍ଥୀତ ସରପଂଚ ବିଜୟୀ ହୋଇଥିବାରୁ ଏହି ଆସନରେ ବିଜେଡିର ପଲ୍ଲାଭାରି ରହିଥିବା କୁହାଯାଉଛି। ଆଗକୁ ବିଜେଡିର ରଣନୀତିକୁ ମାତ ପାଇଁ ବିରୋଧୀ କଂଗ୍ରେସ ଏବଂ ବିଜେପି କେଉଁ ରଣକୌଶଳ ଆପଣାଉଛନ୍ତି ତାକୁ ନେଇ ରାଜନୈତିକ ଅଙ୍କକଷା ଜୋରଧରିଛି ।



