ଦେଶରେ ନୂତନ ଆଇନ କାର୍ଯ୍ୟକାରୀ ପୂର୍ବରୁ ସଚେତନତା ଆବଶ୍ୟକ

ବୌଦ୍ଧ: ଦୁଇଶହ ବର୍ଷର: ବ୍ରିଟିଶ ଆଇନକୁ ପରିବର୍ତ୍ତିତ କରି ନୂଆ ରୂପରେ ଦେଶରେ ନୂତନ ଆଇନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିବାବେଳେ ଏହାର ଉଦଘାଟନ ପର୍ବ ଜିଲାସ୍ତରରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଆଦର୍ଶଥାନା ପରିସରରେ ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନ ସଭାରେ ଅତିଥି ଭାବରେ ପୂର୍ବତନ ବିଧାୟକ ସଚ୍ଚିଦାନନ୍ଦ ଦଲାଲ, ଜିଲା ଓକିଲ ସଂଘ ସଭାପତି ଧୂରୀଣ କୁମାର ଦେହୁରୀ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶିବ ପ୍ରସାଦ ମିଶ୍ର, ଅତିରିକ୍ତ ତହସିଲଦାର ମହମ୍ମଦ ରାଜେ ରସୁଲ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଓ ମହିଳା ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ନାଥ ଗୁରୁ ଯୋଗଦେଇ ପରିବର୍ତ୍ତିତ ନୂତନ ଆଇନ ବ୍ୟବସ୍ଥା ଉପରେ ନିଜ ନିଜର ମତ ପ୍ରକାଶ କରିଥିଲେ ।

ବରିଷ୍ଠ ଆଇନଜିବୀ ତଥା ପୂର୍ବତନ ବିଧାୟକ ଶ୍ରୀ ଦଲାଲ ନୂତନ ଭାବରେ କାର୍ଯ୍ୟକାରୀ ଆଇନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାରୁ ଦେଶରେ ଦୁଇଶହ ବର୍ଷରୁ କାର୍ଯ୍ୟକାରୀ ବ୍ରିଟିଶ ଆଇନ ପରିବର୍ତ୍ତନ ହୋଇଛି ଏବଂ ଦେଶବାସୀଙ୍କ ପାଇଁ ଏହା ଏକ ଐତିହାସିକ ସମୟ ବୋଲି ପ୍ରକାଶ କରିଥିଲେ । ତେବେ ନୂତନ ଆଇନ କାର୍ଯ୍ୟକାରୀ ପୂର୍ବରୁ ଅଧିକ ସମୀକ୍ଷା ଓ ସଚେତନତାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦଲାଲ ମତବ୍ୟକ୍ତ କରିଥିଲେ ।

ସେହିପରି ଜିଲା ଓକିଲ ସଂଘର ସଭାପତି ଶ୍ରୀଦେହୁରୀ ନୁତନ ଆଇନ ବ୍ୟବସ୍ଥାରେ ପୁଲିସକୁ ଅଧିକ କ୍ଷମତା ପ୍ରଦାନ କରାଯାଇଥିବାରୁ ବ୍ୟକ୍ତିଗତ ଉଦ୍ଦେଶ୍ୟରେ ଏହାର ଦୁରୁପଯୋଗ ଯେପରି ନହେବ ସେଥିପ୍ରତି ଗୁରୁତ୍ୱ ପ୍ରଦାନ କରିଥିଲେ । ଅତିଥିମାନେ ନୂତନ ଆଇନ କାର୍ଯ୍ୟକାରୀ ହୋଇଥିବାରୁ ସବୁବର୍ଗର ଲୋକଙ୍କୁ ଏନେଇ ବ୍ୟାପକ ସଚେତନ କରାଯିବା ନେଇ ସଭାରେ ମତପ୍ରକାଶ କରିଥିଲେ । ଥାନା ଅଧିକାରୀ ଶ୍ରୀ ମୁନି ନୂତନ ଆଇନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାରୁ ଏହାଦ୍ୱାରା ଅପରାଧ ନିୟନ୍ତ୍ରଣ ଓ ନ୍ୟାୟ ବ୍ୟବସ୍ଥାକୁ ସହଯୋଗ ମିଳିବ ବୋଲି ପ୍ରକାଶ କରିବା ସହିତ ପୁଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏନେଇ ବ୍ୟାପକ ତାଲିମ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ଏବଂ ଆଗାମି ତିନିମାସ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକ ଓ ସାଧାରଣଲୋକଙ୍କୁ ନୂତନ ଆଇନ ନେଇ ସଚେତନ କରାଯିବ ବୋଲି ପ୍ରକାଶ କରିଥିଲେ ।

ଏହି ଅବସରରେ ଜିଲା ସାମ୍ବାଦିକ ସଂଘର ସଭାପତି ଶଶାଙ୍କ ଶେଖର ମିଶ୍ର ନୂତନ ସାକ୍ଷ ଆଇନ ଦ୍ୱାରା ବୈଦ୍ୟୁତିକ ଗଣମାଧ୍ୟମର କ୍ଷମତା ଓ ଦାୟିତ୍ୱ ବୃଦ୍ଧି ହୋଇଥିବାବେଳେ ସାମ୍ବାଦିକମାନେ କାର୍ଯ୍ୟକ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ସେହିପରି ବରିଷ୍ଠ ସାମ୍ବାଦିକ ଦେବାଶିଷ ପୁରୋହିତ ନୂତନ ଆଇନ ବ୍ୟବସ୍ଥାକୁ ସ୍ୱାଗତ କରିବା ସହିତ ଏହା ଶୃଙ୍ଖଳିତ ସମାଜ ଗଠନରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଉଦଘାଟନୀ ସଭାରେ ସହରର ଅନେକ ବୁଦ୍ଧିଜିବୀ,ଛାତ୍ରଛାତ୍ରୀ ଏବଂ ସାମ୍ବାଦିକମାନେ ଯୋଗଦେଇଥିଲେ ।

Comments are closed.