www.samajalive.in
Tuesday, December 9, 2025
17.1 C
Bhubaneswar

ମହାନଦୀରେ ଚାଲିଛି ଅବାଧ ବିଷ୍ଫୋରଣ, କୀଟନାଶକ ଯୋଗୁଁ ଲୋପ ପାଉଛି ମତ୍ସ୍ୟ ସଂପଦ 

ବୌଦ୍ଧ : ଓଡିଶାର ଜୀବନରେଖା କୁହାଯାଉଥିବା ମହାନଦୀ ବୌଦ୍ଧଜିଲ୍ଲା ଦେଇ ପ୍ରାୟ ୧୧୦ କିଲୋମିଟର ମନମୁଣ୍ଡା ଠାରୁ ଆରମ୍ଭ ହୋଇ ହରଭଙ୍ଗା ବ୍ଲକ ନୟାଗଡ ସୀମା ପର୍ଯ୍ୟନ୍ତ ମହାନଦୀ ବୋହିଯାଇଛି। ହୀରାକୁଦର ଉପରମୁଣ୍ଡରେ ବହୁ ସଂଖ୍ୟାରେ ଡେମ ନିର୍ମାଣ ଯୋଗୁଁ କିଛିବର୍ଷ ହେଲା ମହାନଦୀ ଜଳ ସଙ୍କଟ ଦେଖାଦେଇଛି।  ରାଜ୍ୟ ସରକାରଙ୍କ ବହୁ ସାଧାନ ସତ୍ତ୍ବେ ମହାନଦୀରୁ ଜିଲାବାସୀଙ୍କୁ ପାନୀୟଜଳ ଯୋଗାଣ କଷ୍ଟ ହୋଇପଡୁଥିବାବେଳେ  ସହଜ ଉପାୟରେ ମାଛ ମାରିବା ପାଇଁ ଡିନାମାଇଇଟ ଓ କୀଟନାଶକ ଔଷଧ ବହୁଳ ମାତ୍ରାରେ ପ୍ରାୟୋଗ ଦ୍ୱାରା  ମହାନଦୀର ଜଳ ପ୍ରଦୂଷିତ ହେବାସହିତ ମତ୍ସ୍ୟ ସଂପଦ ମଧ୍ୟ ସଂପୁର୍ଣ୍ଣ ଲୋପ ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଯାହାକୁ ନେଇ ପରିବେଶବିତମାନେ ଚିନ୍ତା ପ୍ରକଟ କରୁଛନ୍ତି।

ଡିସେମ୍ବର-ଜାନୁଆରୀ ମାସ ଠାରୁ ଆରମ୍ଭ ହୋଇ ବର୍ଷାଋତୁରେ ନଦୀପାଣି ଗୋଳିଆ ହେବା ପର୍ଯ୍ୟନ୍ତ  ନଦୀରେ ଦିନ ତମାମ ଡିନାମାଇଟ ଓ କୀଟନାଶକ ଔଷଧ ପକାଇ ମାଛ ଓ ଚିଙ୍ଗୁଡି ମରାଯାଉଛି। ଡିନାମାଇଟ ପକାଇବା ଫଳରେ ବଡ ମାଛ ସହିତ ଛୋଟଛୋଟ ମାଛ ଯାଆଁଳା ଗୁଡିକ ମଧ୍ୟ ମରିଯାଉଛନ୍ତି। ଯାହା ଦ୍ୱାରା ମତ୍ସ୍ୟ ବଂଶ ଦିନକୁ ଦିନ ଲୋପ ପାଇଯାଉଛି। ସେହିପରି ନଦୀର ଜଳରେ କୀଟନାଶକ ଔଷଧ ପକାଇବା ଫଳରେ ନିର୍ଦ୍ଦିଷ୍ଟ ଅଞ୍ଚଳର ସମସ୍ତ ମାଛବଂଶ ଲୋପ ପାଇଯାଉଛି। କୀଟନାଶକ ପ୍ରୟୋଗ କରି ମରାଯାଉଥିବା ମାଛ ବଜାରକୁ ଆସି ବିକ୍ରି ହେବା ଫଳରେ ସାଧାରଣଲୋକମାନଙ୍କୁ ବିପଦପୂର୍ଣ୍ଣ ରୋଗର ଶୀକାର ହେଉଥିବା ଜଣାଯାଇଛି। ଏହାଦ୍ୱାରା  ନଦୀର ପାଣି ମଧ୍ୟ ବିଷାକ୍ତ ହୋଇଯାଉଛି ଓ ମାଛର ଗୁଣବର୍ତ୍ତା ମଧ୍ୟ ଲୋପ ପାଇ ଯାଉଛି ଏବଂ ପାଣି ବ୍ୟବହାର କରିବା ଫଳରେ ବିଭିନ୍ନ ଚର୍ମ ରୋଗ ହେଉଥିବା ଅଭିଯୋଗ ହେଉଅଛି।

- Advertisement -

ପୁର୍ବରୁ ନଦୀରେ ଜଳସଙ୍କଟ ଯୋଗୁଁ ଜବୀନ ଜିବିକା ପାଇଁ ମତ୍ସ୍ୟଜିବୀ ପରିବାରମାନେ ସଂଘର୍ଷ କରୁଥିବାବେଳେ ଏବେ କୀଟ ନାଶକ ପ୍ରୟୋଗ ଦ୍ୱାରା ନଦୀରେ ମାଛ ବଂଶ ଲୋପ ପାଇଯାଉଥିବାରୁ ମତ୍ସ୍ୟଜିବୀମାନେ ଜୀବିକା ହରାଇ ଆର୍ଥୀକ ଅନାଟନ ମଧ୍ୟରେ ଗତି କରୁଛନ୍ତି।  ଚିରସ୍ରୋତା ନଦୀରୁ ଜୀବିକା ହରାଇ ମତ୍ସ୍ୟଜିବୀମାନେ ଏବେ ନିଜର କୌଳିକ ବୃତି ଛାଡି କାମଧନ୍ଦା ପାଇଁ ବାହାରକୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି କିମ୍ବା ଦିନମଜୁରୀ ଓ ଛୋଟ ଛୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିବାକୁ ବାଧ୍ୟ ହେଉଛନ୍ତି।

ଜିଲାରେ ମୁଖ୍ୟତଃ କେଉଟ ବା କୈବର୍ତ୍ତ, ଧୀବର, ଗିଙ୍ଗିରା, ଝରା ଆଦି ଜାତି ସମାଜର ଲୋକମାନେ ନଦୀରୁ ମାଛ ମାରି ଜୀବିକା ନିର୍ବାହ କରିଥାନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୫ ହଜାରରୁ ଉଦ୍ଧ୍ୱର୍ ଲୋକ ପରିବାର ପ୍ରତିପୋଷଣ ପାଇଁ ମାଛ ମାରି ଜୀବିକା ନିର୍ଭର କରିଥାନ୍ତି। ପୂର୍ବରୁ ମହାନଦୀରେ ଚିଙ୍ଗୁଡି ସହିତ ରୋହୀ,ଭାକୁର, ମାଗୁର, ମାଟିରି, ଖଇଙ୍ଗା, ବୁଦ, ଜର୍ଡା, କୁକିଆ,ଟେଙ୍ଗିଣି ଓ ଜଲଙ୍ଗ ଆଦି ବିଭିନ୍ନ ପ୍ରଜାତିର ମାଛ ବହୁଳ ଭାବରେ ମିଳୁଥିବାବେଳେ ଏବେ ଆଉ ସେସବୁ ମାଛ ନଦୀରେ ଆସ୍ତେ ଆସ୍ତେ ଲୋପ ପାଇ ବସିଲେଣି। ସେପଟେ ସରକାର ମତ୍ସ୍ୟ ସଂପଦର ସୁରକ୍ଷା ଓ ମତ୍ସଜୀବିମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଥିବା କହୁଥିଲେ ମଧ୍ୟ ବୌଦ୍ଧରେ ମହାନଦୀ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ମତ୍ସ୍ୟଜିବୀମାନଙ୍କ ପାଇଁ ପେଟ ପୋଷିବା ଏବେ କଷ୍ଟକର ହୋଇଗଲାଣି।

ସରକାରଙ୍କ ଯୋଜନା ବୌଦ୍ଧ ଭଳି ଏକ ଅନୁନ୍ନତ ଓ ପଛୁଆ ଜିଲାରେ ସଠିକ କାର୍ଯ୍ୟକାରୀ ହେଉନଥିବାର ଅଭିଯୋଗ ହେଉଅଛି। ଏପରିକି ନଦୀଗୁଡିକରେ ମାଛ ମାରିବା ପାଇଁ ଡିନାମାଇଟ ପକାଯାଉଥିବା ବେଳେ ଅନେକ ଅଘଟଣ ମଧ୍ୟ ଘଟୁଛି। ତଥାପି ପ୍ରଶାସନ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଯାହାକୁ ନେଇ ମତ୍ସ୍ୟଜୀବି ମହଲରେ ଅସନ୍ତୋଷ ଦେଖାଦେଇଛି। ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ମହାନଦୀରେ ଡିନାମାଇଟ ଓ କୀଟନାଶକ ଔଷଧ ପକାଉଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ୍ସଜିବୀମାନେ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories