ବେପାର ନାଇଁ ହେବାର ଆଜ୍ଞା, ପାଠ୍‍ ପଢ୍‍ମି କେନ୍ତା କରି?

ବଲାଙ୍ଗିର: ହାତରେ ଅଳିଆ ବ୍ୟାଗ ନାହିଁ କି କାନ୍ଧରେ ପ୍ଲାଷ୍ଟିକ ସଂଗ୍ରହ କରିବାର ବସ୍ତାନି ନାହିଁ। କୌଣସି ହୋଟେଲରେ ବାସନ ଧୋଉ ନାହିଁ। ସ୍ୱାବଳମ୍ବୀର ବାର୍ତ୍ତା ବାଣ୍ଟୁଛି ୧୪ ବର୍ଷର ପିଲା। ତାଙ୍କ ଘର ଶ୍ରୀରାମ ନଗର। ନା ଅରୁଣ। ସକାଳେ ପାଠ ପଢେ ସନ୍ଧ୍ୟା ହେଲେ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ନିକଟ ମାର୍କେଟରେ ଛୋଟ ଛୁଆଙ୍କ ଖେଳଣା ସାମଗ୍ରୀ,ବେଲୁନ ବିକ୍ରି କରେ। ଏଥିରୁ ଯାହା ମିଳେ ପରିବାର ଚଳାଇବା ପାଇଁ ବାପା, ମା’ଙ୍କୁ ସହୟତାର ହାତ ବଢାଏ। ଏହା ସହ ଆଉ ବଳକା ଟଙ୍କା ଯାହା ବାକି ରହିଯାଏ ସେଥିରେ ପାଠ ପଢା ଖର୍ଚ୍ଚରେ ଲଗାଏ। ହେଲେ ଏହାରି ଭିତରେ ଦୀର୍ଘ ମାସ ହେଲା ଲକ୍‍ଡାଉନ, ସଟ୍‍ ଡାଉନ ଭିତରେ ସବୁ କିଛି ବନ୍ଦ ହୋଇଥିଲା। ଏବେ ମଧ୍ୟ କୋଭିଡ-୧୯ କଟକଣା ଯୋଗୁଁ ମନ୍ଦିର, ଦେବାଳୟ ବନ୍ଦ ରହିଛି। ମନ୍ଦିରକୁ ପ୍ରତିଦିନ ସନ୍ଧ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ ହେଉଥିଲା। ହେଲେ କରୋନା ଯୋଗୁଁ ବନ୍ଦ ଥିବାରୁ ଆଉ ତାହା ପରିଲକ୍ଷିତ ହେଉ ନାହିଁ। ତେବେ ଏସବୁ ଭିତରେ କିନ୍ତୁ ବେପାର ବେଉସା ହେଉ ନାହିଁ।

ଅରୁଣଙ୍କ କହିବା ଅନୁସାରେ, ବେପାର ନାଇଁ ହେବାର ଆଜ୍ଞା, ପାଠ୍‍ ପଢ୍‍ମି କେନ୍ତା କରି। ଦୁଇ ପଏସା ନାଇ ପାଏଲେ ଆମେ ଚଲ୍‍ମୁଁ କେନ୍ତା କରି। ମୁଇଁ ପାଠ ପଢ୍‍ବାର୍‍ ସାଙ୍ଗେ ସାଙ୍ଗେ ନିଜେ ଛୋଟ ବ୍ୟବସାୟଟେ ବି ଆରମ୍ଭ କରିଛେ। ମୋତେ ବି କିଛି ସାହାଯ୍ୟ ସହଯୋଗ ମିଲ୍‍ଲେ ମୁଇଁ ଆରୁ ଭଲ୍‍ କରି ପାଠ୍‍ ପଢି ପାରତି ବୋଲି ବେଶ ଦୃଢ ଇଚ୍ଛାଶକ୍ତି ପ୍ରକଟ କରି ନିଜ ମନ କଥା ପ୍ରକାଶ କରିଥିଲେ। ପାଠ ପଢିବା ଓ ଜୀବନରେ ଜଣେ ବଡ ମଣିଷ ହେବାର ଅଭିଳାଶ ବେଶ ସ୍ପଷ୍ଟ ବାରି ହୋଇ ପଡୁଥିଲା ତାଙ୍କ ମୁହଁରୁ। ଶିକ୍ଷା ବିଭାଗ, ଜିଲା ପ୍ରଶାସନ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଦି ସହୟତାର ହାତ ବଢାଇଲେ ଅରୁଣ ନୂଆ ଆଲୋକ ପାଆନ୍ତେ।

Comments are closed.