www.samajalive.in
Monday, December 8, 2025
27.1 C
Bhubaneswar

କରୋନା ଆଳରେ ଜଗା ଟଙ୍କା ପ୍ରସଙ୍ଗ ଏଡ଼ାଇଗଲେ କି ସରକାର? ଅଭିଯୋଗ କଲା ବିଜେପି

ଭୁବନେଶ୍ବର : ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ରଖିବା ପ୍ରସଙ୍ଗରେ ଜବାବ ରଖିବାକୁ ଡରିଯାଇ କରୋନା ବାହାନା ଦେଖାଇ ରାଜ୍ୟ ସରକାର ବିଧାନସଭା ବନ୍ଦ କରିଛନ୍ତି। ଏପରି ସାଂଘାତିକ ଅଭିଯୋଗ ଆଣିଛି ବିରୋଧୀ ଦଳ ବିଜେପି। ଶନିବାର ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ ସରକାର ନିଜ ଅପାରଗତାକୁ ଲୁଚେଇବା ପାଇଁ କରୋନାକୁ ଆଳକରି ବିଧାନସଭା ବନ୍ଦ କରିଦେଇଛନ୍ତି। ପ୍ରଦିପ୍ତ ନାୟକ କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କରେ ଟଙ୍କା ଉଠାଣ ଉପରେ କଣକଣା ଜାରି କରିଥିବା ବେଳେ କିପରି ଜଗନ୍ନାଥଙ୍କ ଟଙ୍କା ମିଳିବ ତାହା ରାଜ୍ୟ ସରକାର ଉତ୍ତର ଦିଅନ୍ତୁ। ରାଜ୍ୟ ସରକାର ଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ରହିବା ପ୍ରସଙ୍ଗକୁ ତଦନ୍ତ କରିବା ପାଇଁ ନେଇ ଗୃହ କମିଟି ଗଠନ କରିଥିଲେ ମଧ୍ୟ ଏହା ନିରପକ୍ଷ ତଦନ୍ତ ହେବ ନାହିଁ ବୋଲି ପ୍ରଦିପ୍ତ ନାୟକ ଆଶଙ୍କା ପ୍ରକଟ କରୁଥିବା କହିଛନ୍ତି। ଏଥି ସହିତ ରାଜ୍ୟ ସରକାର ଗୃହରେ ଉପସ୍ଥାପିତ ହେବା ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଏଡେଇଯିବା ପାଇଁ ଏବଂ ବିରୋଧୀଙ୍କ ପ୍ରଶ୍ନବାଣକୁ ସାମ୍ନା କରି ନପାରିବା ଭୟରେ ପଳାୟନପନ୍ଥି ହୋଇଛନ୍ତି। ବିରୋଧୀ ଦଳ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ରହିବା ଏବଂ ଟଙ୍କା ସୁରକ୍ଷିତ ଭାବେ ଫେରିଆସିବ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ଏବଂ ରାଜ୍ୟ ସରକାର ଏକ ଶ୍ବେତପତ୍ର ଦିଅନ୍ତୁ ବୋଲି ଦାବି କରୁଥିଲେ କିନ୍ତୁ ରାଜ୍ୟ ସରକାର କରୋନା ପାଇଁ ବିଧାନସଭାକୁ ମାର୍ଚ୍ଚ ୨୯ ତାରିଖ ଯାଏଁ ମୁଲତବି ଘୋଷଣା କରିଛନ୍ତି। ବିଜେପି ଏହା ମଧ୍ୟ ଅଭିଯୋଗ କରିଛି କି ରାଜ୍ୟ ସରକାର ବାଚସ୍ପତିଙ୍କୁ ହାତବାରିଶ କରି ଗୃହକୁ ବନ୍ଦ କରିଛନ୍ତି।

ରାଜ୍ୟର ଅନ୍ୟତମ ବିରୋଧୀ ଦଳ କଂଗ୍ରେସର ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ମଧ୍ୟ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ରାଜ୍ୟ ସରକାର ସବୁ ଜାଣିଣୁଣି ଚୂପ ରହୁଛନ୍ତି। ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗରେ ଗୃହରେ ଉତ୍ତର ରଖିବା ଆବଶ୍ୟକ ଥିଲା କାରଣ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ସହ ସାରା ରାଜ୍ୟର ସମସ୍ତ ଜଗନ୍ନାଥ ଭକ୍ତଙ୍କ ଭାବାବେଗ ସହ ଜଡିତ। ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖିବା ପରେ ଗୃହ ମୁଲତବି କରିଥିଲେ ଅସୁବିଧା ହୋଇନଥାନ୍ତା।

- Advertisement -

ଅନ୍ୟପଟେ ବିଜୁ ଜନତା ଦଳର ବିଜେପି ଏବଂ କଂଗ୍ରେସର ଅଭିଯୋଗକୁ ଶସ୍ତା ରାଜନୀତି ବୋଲି ଅଭିଯୋଗ କରିଛି। ଆଜି ବିଜେଡି ରାଜ୍ୟ କାର୍ୟ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ସମଗ୍ର ବିଶ୍ୱ ‘କରୋନା’କୁ ନେଇ ଭୟଭୀତ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ବିଶ୍ୱ ମହାମାରୀ ଘୋଷଣା କରିସାରିଛି। ରାଜ୍ୟ ସରକାର ମଧ୍ୟ କରୋନା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟାପକ ପ୍ରସ୍ତୁତି କରୁଛନ୍ତି। କିନ୍ତୁ ରାଜ୍ୟ ବିଜେପି ଏହାକୁ ସମାଲୋଚନା କରିବା କେବଳ ଶସ୍ତା ରାଜନୀତି। ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବାକୁ ପୂର୍ବରୁ ଦେଶର ଅନ୍ୟ ବିଜେପି ଶାସିତ ରାଜ୍ୟ କିଭଳି ଓଡ଼ିଶା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ବିଜେପି ନେତାମାନେ ଅନୁଧ୍ୟାନ କରିବା ଉଚିତ୍। କରୋନା ଏବେ ଆନ୍ତର୍ଜାତିକ ବିପର୍ୟ୍ୟୟ ଭାବେ ଉଭା ହୋଇଛି। ଅଧିକାଂଶ ରାଜ୍ୟ ଏହାକୁ ବିପର୍ୟ୍ୟୟ ଭାବେ ଘୋଷଣା କରିବା ସହ କେନ୍ଦ୍ର ସରକାର ମଧ୍ୟ ବିପର୍ୟ୍ୟୟ ଭାବେ ଘୋଷଣା କରି ବିଭିନ୍ନ ପଦକ୍ଷେପ ନେଇଛନ୍ତି। ପ୍ରାଥମିକ ପର୍ୟ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ପାଇଁ ୨୦୦କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଆବଶ୍ୟକ ଅଧିକ ଅର୍ଥ ବ୍ୟୟବରାଦ କରାଯିବ ବୋଲି କହିଛନ୍ତି। ତେଣୁ ଓଡ଼ିଶା ବିଜେପି ଏହାର ଗୁରୁତ୍ୱକୁ ବୁଝିବା ଉଚିତ୍। ବିଧାନସଭା ମୁଲତବୀ ରଖାଯିବା ପ୍ରସଙ୍ଗରେ ବିଜେପି ସମେତ ସମସ୍ତ ବିରୋଧୀ ଦଳ ସହ ଆଲୋଚନା ହୋଇଥିଲା। ବିରୋଧୀ ଦଳ ନେତାଙ୍କ ସମେତ ସମସ୍ତ ରାଜନୀତିକ ଦଳକୁ ବିଶ୍ୱାସକୁ ନେଇ ବିଧାନସଭାକୁ ମୁଲତବୀ କରାଯାଇଛି। ତେଣୁ ବିଜେପି ସଦସ୍ୟମାନେ ଏନେଇ ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ ବୋଲି ସେ କହିଛନ୍ତି।

ସଞ୍ଜୟ ଦାସବର୍ମା ମଧ୍ୟ କହିଛନ୍ତି ୟେସ୍ ବ୍ୟାଙ୍କରେ ଜମା ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଆମେ ରିଜର୍ଭ ବ୍ୟାଙ୍କକୁ ବିଶ୍ୱାସ କରି ଏହି ଘଟଣାରେ ରାଜନୀତି କରିବା ଅନୁଚିତ୍। ପ୍ରସଙ୍ଗ ଯାହାବି ହେଉ, ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ। ବିଧାନସଭାରେ ୟେସ ବ୍ୟାଙ୍କ ପ୍ରସଙ୍ଗରେ ଆସିଥିବା ମୁଲତବୀ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଆମର ସାଂସଦମାନେ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲେ। ସେଠାରୁ ମଧ୍ୟ ନିର୍ଭର ପ୍ରତିଶ୍ରୁତି ମିଳିଛି। ଏବେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୧୨ଜଣ ସଦସ୍ୟଙ୍କୁ ନେଇ ଏକ ଗୃହ କମିଟି ଗଠନ କରାଯାଇଛି । ଗୃହ କମିଟି ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ନେବେ। ତା’ଛଡ଼ା ଘରୋଇ ବ୍ୟାଙ୍କରୁ ଅର୍ଥ ଉଠାଣ ନକରିବା ପାଇଁ ରିଜର୍ଭ ବ୍ୟାଙ୍କ ମଧ୍ୟ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି। ତେଣୁ ଶ୍ରୀଜଗନ୍ନାଥଙ୍କ ଅର୍ଥ ସୁରକ୍ଷିତ ଥିବା ନେଇ ରିଜର୍ଭ ବ୍ୟାଙ୍କ କହିସାରିଥିବାରୁ ଏହାକୁ ନେଇ ରାଜନୀତି ହେବା ଅନୁଚିତ୍ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories