୨୭ ବର୍ଷରେ ବିଜେଡି- ୨୩ ବର୍ଷ ନିରଙ୍କୁଶ କ୍ଷମତାରେ ନବୀନ

ଭୁବନେଶ୍ବର : ବିଜୁ ଜନତା ଦଳ (ବିଜେଡି)କୁ ୨୬ ବର୍ଷ ପୂରଣ ହୋଇଛି। ୨୭ ବର୍ଷରେ ପଦାର୍ପଣ କରିଛି ଦଳ। ୨୬ ଡିସେମ୍ବର ୧୯୯୭ ମସିହାରେ ପ୍ରତିଷ୍ଠିତ ଓଡ଼ିଶାର ଏହି ସର୍ବବୃହତ ଆଞ୍ଚଳିକ ଦଳର ବିଶେଷତ୍ବ ହେଲା-ଏହି ଦଳ ଜନ୍ମ ନେବା ପରଠାରୁ କେବେ ବି ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇନି ବା କ୍ଷମତାରୁ ଦୂରେଇ ରହିନି। ୨୦୦୦ ମସିହାରୁ ଆଜିଯାଏଁ ଓଡ଼ିଶାବାସୀ ବିଜୁ ଜନତା ଦଳ ଉପରେ ଆସ୍ଥା ପ୍ରକଟ କରିଆସୁଛନ୍ତି। ଦଳ ଗଠନରୁ ଏପର୍ଯ୍ୟନ୍ତ ସଭାପତି ଥିବା ନବୀନ ପଟ୍ଟନାୟକ କ୍ରମାଗତ ୫ମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଦୀର୍ଘବର୍ଷ କ୍ଷମତାରେ ରହିବା ସତ୍ତ୍ବେ ଦଳ ଆଜି ଓଡ଼ିଶାରେ ଏକ ମଜଭୁତ ବା ଶକ୍ତିଶାଳୀ ସ୍ଥିତିରେ ରହିଛି, ଯାହା ବିରୋଧୀ ଦଳଗୁଡ଼ିକ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି।
ଆଗକୁ ୨୦୨୪ ନିର୍ବାଚନ। ସାଧାରଣ ନିର୍ବାଚନ ସହ ଓଡ଼ିଶାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଓଡ଼ିଶାରେ ପୁଣିଥରେ କ୍ଷମତା ଦଖଲ କରିବା ଲକ୍ଷ୍ୟରେ ବିଜେଡି ନିଜର ସାଙ୍ଗଠନିକ ଶକ୍ତିକୁ ବୃଦ୍ଧି କରିଚାଲିଛି। ନିକଟରେ ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ସ୍ବେଚ୍ଛାକୃତ ଅବସର ନେବା ପରେ ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କୁ ଏପର୍ଯ୍ୟନ୍ତ କୌଣସି ଦଳୀୟ ପଦ ମିଳିନଥିଲେ ବି ଆଗକୁ ସେ ନିର୍ବାଚନରେ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବେ। ଶ୍ରୀ ପାଣ୍ଡିଆନ୍ ବିଭିନ୍ନ ଜିଲାକୁ ଯାଇ ସେଠାରୁ ବିରୋଧୀଙ୍କୁ ଶାଣିତ ଆକ୍ରମଣ କରୁଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ ଦଳ ପ୍ରୟାସ ଜାରି ରଖିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ନବୀନଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରି ସାରା ଦେଶରେ ରେକର୍ଡ ସୃଷ୍ଟି କରିବାକୁ ଦଳର ଯୋଜନା ରହିଛି। ଅପରପକ୍ଷରେ ଦଳର ସାଙ୍ଗଠନିକ ଶକ୍ତି ବଢ଼ିବା ସାଙ୍ଗକୁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଅଧିକ ହେଲାଣି। ଟିକଟ ନମିଳିଲେ ସେମାନେ ବିରୋଧୀ ଶିବିରକୁ ଡେଇଁବାର ମଧ୍ୟ ସମ୍ଭାବନା ରହିଛି। ନିର୍ବାଚନମଣ୍ଡଳୀୱାରୀ ନେତାଙ୍କୁ ଥଇଥାନ ଆଗାମୀ ଦିନରେ ବିଜେଡି ପାଇଁ ବଡ଼ ଆହ୍ବାନ ହୋଇପାରେ।
୨୬ ବର୍ଷ ତଳେ ଗଠିତ ବିଜେଡି ଆଞ୍ଚଳିକ ଦଳ ଭାବେ ଏହାର ସ୍ଥିତିକୁ ମଜଭୁତ କରିଛି। ବିଜେଡି ଆଜି କେବଳ ଏକ ରାଜନୈତିକ ଦଳ ହୋଇ ରହିନି; ବରଂ ଏହା ସାମାଜିକ ଆନ୍ଦୋଳନର ରୂପ ନେଇ ଓଡ଼ିଶାବାସୀଙ୍କ ନିକଟତର ହୋଇ ପାରିଛି। ପ୍ରତିଥରର ନିର୍ବାଚନୀ ସଫଳତା ଏହା ହିଁ ସୂଚାଉଛି। ଦଳର ଭୋଟ୍ ହାର ବୃଦ୍ଧି ପାଉଛି। ବିଗତ ବର୍ଷଗୁଡ଼ିକରେ ଅନେକ ଆଞ୍ଚଳିକ ଦଳ ଓଡ଼ିଶାରେ ଜନ୍ମ ନେଇଥିଲେ ହେଁ ସେଥିରୁ କିଛି ସମୟ କ୍ରମେ ବିଲୀନ ହୋଇଯାଇଛନ୍ତି। ବିଜେଡି ସେ ଦୃଷ୍ଟିରୁ ଏକ ବ୍ୟତିକ୍ରମ। ୧୯୯୭ ମସିହା ଏପ୍ରିଲ ୧୭ରେ ବିଜୁବାବୁଙ୍କ ଦେହାନ୍ତ ପରେ ରାଜ୍ୟରେ ଅଣକଂଗ୍ରେସ ରାଜନୀତିର ନେତୃତ୍ବ ନେବାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲ‌ା। ଠିକ୍ ଏହି ସମୟରେ ବିଜୁବାବୁଙ୍କ ନାମରେ ଦଳ ଗଠନ ଏବଂ ନବୀନ ପଟ୍ଟନାୟକଙ୍କ ଆବିର୍ଭାବ ରାଜ୍ୟ ରାଜନୀତିରେ ଅଣ କଂଗ୍ରେସ ନେତୃତ୍ବର ଶୂନ୍ୟସ୍ଥାନକୁ ପୂରଣ କଲା। ରାଜନୀତିରେ ସମ୍ପୂର୍ଣ୍ଣ ନବାଗତ ଥିବା ନବୀନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଅତୀତରେ ଅନେକ ପ୍ରଶ୍ନ ଉଠାଯାଇଥିଲା; କିନ୍ତୁ ସେ ସମସ୍ତ ଆକ୍ଷେପକୁ ଭୁଲ ପ୍ରମାଣିତ କରି ବିରୋଧୀଙ୍କ ମୁହଁ ବନ୍ଦ କରିବାରେ ସକ୍ଷମ ହୋଇଛନ୍ତି।
ବିଜେଡି ଗଠନ ହେବା ଦିନଠାରୁ ସଫଳତା ପାଇଆସୁଛି। ୨୦୦୦ ଏବଂ ୨୦୦୪ ନିର୍ବାଚନରେ ବିଜେପି ସହ ମେଣ୍ଟ କରି ବିଜେଡି କ୍ଷମତାରେ ଥିଲା; କିନ୍ତୁ ମେଣ୍ଟ ଭାଙ୍ଗିବା ପରେ ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ଏକାକୀ ବିଜେଡି ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରି କ୍ଷମତାସୀନ ହୋଇଛି। ବିଭିନ୍ନ ସମୟରେ ଅନେକ ଆହ୍ବାନର ମୁକାବିଲା କରି ଦଳ ଏବଂ ଏହାର ନେତା ପାଲଟିଛନ୍ତି ଅପରାଜେୟ। ରାଜ୍ୟରେ ଦୁଇଟି ପ୍ରମୁଖ ଜାତୀୟ ଦଳ ରହିଥିବାବେଳେ କଂଗ୍ରେସ ବିଭିନ୍ନ କାରଣରୁ ଦୁର୍ବଳ ସ୍ଥିତିକୁ ଚାଲିଆସିଛି। ବିଗତ ନିର୍ବାଚନରେ ବିଜେଡିର ଜୟଯାତ୍ରାରେ ବିଜେପି ପ୍ରତିବନ୍ଧକ ହେବ ବୋଲି ରାଜନୈତିକ ସମୀକ୍ଷକମାନେ
ଯାହା ଆକଳନ କରୁଥିଲେ, ତାହା ମଧ୍ୟ ସଫଳ ହୋଇପାରିନି। ଜାତୀୟସ୍ତରରେ ୨୦୧୪ ନିର୍ବାଚନରେ ମୋଦୀ ହାୱା ଯେଉଁ ପ୍ରଭାବ ପକାଇଲା, ଓଡ଼ିଶାରେ ତାହାର ଝଲକ ଦେଖିବାକୁ ମିଳିଲାନି। ୨୦୧୯ରେ ମଧ୍ୟ ବିଜେଡିକୁ କ୍ଷମତାଠୁ ଦୂରେଇବାରେ ବିଜେପିର ରଣନୀତି କାମ ଦେଲା ନାହିଁ। ଗତବର୍ଷ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଦଳ ଏକପାଖିଆ ବିଜୟ ହାସଲ କରିଛି। ୩୦ ଜିଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇ ବିରଳ ରେକର୍ଡ ସୃଷ୍ଟି କରିଛି ବିଜେଡି। ସେହିପରି ବିଭିନ୍ନ ଉପନିର୍ବାଚନରେ ମଧ୍ୟ ଦଳର ପତିଆରା ଜାରି ରହିଛି। କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ବିଜେଡିର ପ୍ରଭାବ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି।
ଆଞ୍ଚଳିକ ଦଳ ଭାବେ ବିଜେଡି ଏବେ ସୁଦୃଢ଼ ସ୍ଥିତିରେ ଥିଲେ ବି ଆଗାମୀ ନିର୍ବାଚନ ଦଳ ପାଇଁ ନିଷ୍କଣ୍ଟକ ହୋଇ ନ ପାରେ। କାରଣ କଂଗ୍ରେସକୁ ପଛରେ ପକାଇ ଗତ ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଥିବା ବିଜେପି ଏବେ ବିଜେଡିର ମୁକାବିଲା ପାଇଁ ଅଣ୍ଟା ଭିଡୁଛି। ସେପଟେ ତୃତୀୟ ସ୍ଥାନକୁ ଚାଲିଯାଇଥିବା କଂଗ୍ରେସ ମଧ୍ୟ ପରିବର୍ତ୍ତନର ଡକରା ଦେଇ ଏହାର ପାରମ୍ପରିକ ପକେଟ ଭୋଟ ଅକ୍ତିଆର କରିବା ପାଇଁ ଉଦ୍ୟମ ଚଳାଇଛି। ନିକଟ ଅତୀତରେ ବିଜେପି ରାଜ୍ୟ ସଭାପତି ବଦଳିଥିବାବେଳେ ଏବେ ରାଜ୍ୟ କଂଗ୍ରେସର ପ୍ରଭାରୀ ବଦଳିଛନ୍ତି। ତେଣୁ ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ କଂଗ୍ରେସର ନୂଆ ପ୍ରଭାରୀ ଅଜୟ କୁମାର ସେମାନଙ୍କର ରାଜନୈତିକ ପରାକାଷ୍ଠା ପ୍ରଦର୍ଶନ କରିବାକୁ ନିଶ୍ଚିତ ଉଦ୍ୟମ କରିବେ। ଏହାଛଡ଼ା ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆରମ୍ଭ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଘେରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ, ଦଳର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ଏବଂ ବିଜୟ ପଟ୍ଟନାୟକ ବିଭିନ୍ନ ଅଞ୍ଚଳ ଗସ୍ତ କରି କଂଗ୍ରେସ ସଙ୍ଗଠନକୁ ସକ୍ରିୟ କରିବାର ପ୍ରଚେଷ୍ଟା ଚଳାଇଛନ୍ତି। ତେଣୁ ଆଗାମୀ ଦିନରେ ବିରୋଧୀଙ୍କୁ ମୁକାବିଲା କରିବାକୁ ବିଜେଡି ଏହାର ରଣନୀତିକୁ ଆହୁରି ଶାଣିତ କରିପାରେ।
ମଙ୍ଗଳବାର ବିଜେଡି ପକ୍ଷରୁ ୨୭ତମ ପ୍ରତିଷ୍ଠା ଦିବସ ସମାରୋହ ସମସ୍ତ ନିର୍ବାଚନମଣ୍ଡଳୀ/ବ୍ଲକ୍‌/ପୌରାଞ୍ଚଳରେ ପାଳନ କରାଯିବ। ଏହି ଦିବସରେ ଗଣଦୌଡ଼, ରକ୍ତଦାନ ଶିବିର, ଚାରାରୋପଣ ଭଳି କାର୍ଯ୍ୟକ୍ରମ ଦଳ ପକ୍ଷରୁ ଆୟୋଜିତ ହେବ। ପ୍ରତିଷ୍ଠା ଦିବସରେ ଶ୍ରୀଜଗନ୍ନାଥ ଚେତନା ମୂଳାଧାରରେ ପୂର୍ଣ୍ଣ ବିକଶିତ ଓଡ଼ିଶା ଗଠନ ପାଇଁ ପୁନଃ ଅଙ୍ଗୀକାରବଦ୍ଧ ହେବେ ଦଳୀୟ କର୍ମକର୍ତ୍ତା। ସକାଳ ୭ଟାରେ ଶଙ୍ଖ ଭବନଠାରେ ଦଳୀୟ ପତାକା ଉତ୍ତୋଳନ କରାଯିବ। ସକାଳ ୮ଟାରୁ କଟକ ଆନନ୍ଦ ଭବନରୁ ଏକ ବିଶାଳ ସାଇକଲ ଶୋଭାଯାତ୍ରା ବାହାରି ଭୁବନେଶ୍ବର ବିମାନ ବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିବ। ଏହାସହ ଶଙ୍ଖ ଭବନରେ ଆୟୋଜିତ ହେବ ଏକ ବିଶାଳ ରକ୍ତଦାନ ଶିବିର। ସେହିପରି ପୂର୍ବାହ୍ଣ ୧୦ଟା ୩୦ରେ ଫରେଷ୍ଟ ପାର୍କସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରିବା କାର୍ଯ୍ୟକ୍ରମ ରହିଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି।
୨୩ ବର୍ଷ ନିରଙ୍କୁଶ…

Comments are closed.