ବେଗୁନିଆ : ବେଗୁନିଆସ୍ଥିତ ଆଦର୍ଶ ବିଦ୍ୟାଳୟ ନିକଟରେ ଖୋଲାଯାଇଥିବା ବିଜୁ ଦକ୍ଷତା ବିକାଶ କେନ୍ଦ୍ରଟି ଏବେ ବହୁ ଅବ୍ୟବସ୍ଥା ଭିତରେ ଗତିକରୁଛି । ପ୍ରଶାସନର ନଜର ଆଢୁଆଳରେ ଏହି କେନ୍ଦ୍ରଟି ରହିଥିବା ଯୋଗୁଁ ଘରେ ଲାଗିଥିବା ସମସ୍ତ କବାଟ ସହିତ ଅନ୍ୟାନ୍ୟ ଜିନିଷ ଏବଂ ସିସିଟିଭି କ୍ୟାମେରା ଚୋରି ହୋଇଯାଇଥିବାର ସ୍ଥାନୀୟ ଜନସାଧାରଣ ଆଶଙ୍କା ପ୍ରକାଶ କରିଥିବାବେଳେ ପୋଲିସ ତଦନ୍ତ କଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ। ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ୨୦୧୮ ମସିହା ଡିସେମ୍ବର ମାସରେ ଏହି କେନ୍ଦ୍ରଟି ଏଠାରେ ଖୋଲିଥିଲେ । କିନ୍ତୁ ଯୁବକ ଯୁବତୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ଏହି କେନ୍ଦ୍ରଟିର ଭାଗ୍ୟ ଧୀରେ ଧୀରେ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଉଥିବାବେଳେ ସରକାରଙ୍କର ଲକ୍ଷ ହାସଲ ହୋଇପାରୁନାହିଁ ।ଏହି କେନ୍ଦ୍ରଟି ଏଠାରେ ଖୋଲିବା ପରେ କିଛିଦିନ ନର୍ସିଂ ଟ୍ରେନିଂ ପ୍ରୋଗ୍ରାମ ଚାଲିଥିଲା । ତାପରେ ୨୦୨୦ ମସିହା କରୋନା ଆରମ୍ଭ ହେବା ପୂର୍ବରୁ ଏହି ଘରର ମୁଖ୍ୟଦ୍ୱାରର ଭିତରପଟୁ ତାଲା ପଡି ରହିଥିବାବେଳେ ଆଗ ପଟେ ଏକ ସିସିଟିଭି କ୍ୟାମେରା ଲଗାଯାଇଥିଲା । କିନ୍ତୁ ଘରଟି କରୋନା ଆରମ୍ଭ ହେବା ପୂର୍ବରୁ ତାଲା ପଡିଥିବାବେଳେ ତା’ପରଠାରୁ କେହିକେବେ ଖୋଲିନଥିବାର ସ୍ଥାନୀୟ ଲୋକମାନଙ୍କଠାରୁ ଶୁଣିବାକୁ ମିଳୁଛି । ଏହି ଘରଟି ଏବେ ସରକାରଙ୍କର କେଉଁ ବିଭାଗ ଅଧୀନରେ ଅଛି ନାଁ କୌଣସି ବ୍ୟକ୍ତି ନିଜସ୍ୱ ମାଲିକାନାରେ ରଖିଛନ୍ତି ତାହା କେହି କହିପାରୁନାହାନ୍ତି । ଫଳରେ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଥିବା ଏବଂ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କୋଠା ଟିର ରକ୍ଷଣା ବେକ୍ଷଣ ଠିକ ଭାବରେ କରାଯାଉନଥିବାରୁ ଘରଟି ସମ୍ପୂର୍ଣ ଭୁତକୋଠିରେ ପରିଣତ ହୋଇଗଲାଣି ।
ଏଥିପ୍ରତି ପ୍ରଶାସନ ନଜର ନଦେବା ପରିତାପର ବିଷୟ । ଏବେ ଗତ କିଛିଦିନ ହେବ ଉକ୍ତ ଘର ଭିତରେ ଲାଗିଥିବା ସମସ୍ତ କୋଠରୀର କବାଟ ଗୁଡିକ କିଏ ଚୋରି କରିନେଇଯାଇଛି ନାଁ ଦାୟିତ୍ୱରେ ଥିବା କେହି ବ୍ୟକ୍ତି କେଉଁ କାରଣ ଯୋଗୁଁ ଖୋଲିଛନ୍ତି ସେ ସଂକ୍ରାନ୍ତରେ କିଛି ଜଣାପଡୁନାହିଁ । ଏପରିକି ଝରକାଗୁଡିକ ବନ୍ଦ ରହିଥିବା ବେଳେ ଏବେ ଖୋଲା ପଡିଛି । ସାମନା ପଟେ ଥିବା ଝରକାର ତଳୁ ଦୁଇଟି ରଡ଼ କଟାଯାଇଛି ଯେପରି ଜଣେ ଲୋକ ଭିତରକୁ ସହଜରେ ପସିଯାଇପାରିବ। ସେହିଘରେ ଥିବା ଜିନିଷ ପତ୍ରଗୁଡ଼ିକ ଏପଟ ସେପଟ ହୋଇ ପଡିଥିବାବେଳେ ଆଗପଟେ ଲାଗିଥିବା ସିସିଟିଭି କ୍ୟାମେରାଟି ଉପଯୁକ୍ତ ସ୍ଥାନରେ ନଥିବାର ଜଣାପଡିଛି । କିନ୍ତୁ ତାଲା ଭିତର ପଟେ ଯେମିତି ପଡିଥିଲା ସେମିତି ପଡିଛି । ଏହି ସବୁ ଘଟଣାକୁ ଦେଖି ସ୍ଥାନୀୟ ଲୋକମାନେ ସେହି ଘରୁ ସମସ୍ତ ଜିନିଷ ଚୋରି ହୋଇଯାଇଥିବାର ଆଲୋଚନା କରୁଥିବାବେଳେ ପ୍ରକୃତରେ ସେଠାରେ କଣ ଘଟିଛି ତାହା ପୋଲିସ ଅଗୋଚରରେ ମଧ୍ୟ ରହିଛି । ତେଣୁ ଘରର ଚାବି କାହା ପାଖରେ ରହିଛି ଏବଂ ପ୍ରକୃତରେ ଏଠାରୁ ଚୋରି ଯାଇଛି ନାଁ ଚାବି ରଖିଥିବା ବ୍ୟକ୍ତି ନିଜ ବ୍ୟବହାରରେ ଲଗାଇବା ପାଇଁ ଖୋଲି ନେଇଛନ୍ତି ପୋଲିସ ତାର ତଦନ୍ତ କଲେ ସତ୍ୟାସତ୍ୟ ଜଣାପଡିବ ବୋଲି ଜନସାଧାରଣ ମତ ପ୍ରକାଶ କରିଛନ୍ତି ।



