ଭାରତ ଓ ସିଙ୍ଗାପୁର ମିଳିତ ଭାବେ ଶିକ୍ଷା ସହ ଦକ୍ଷତା ବିକାଶ ପାଇଁ କାମ କରିବେ: ଧର୍ମେନ୍ଦ୍ର ପ୍ରଧାନ

ଜି-୨୦ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ ଭାରତ ଓ ସିଙ୍ଗାପୁର କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ଜାତୀୟ ଶିକ୍ଷା ନୀତି ଆଧାରରେ ଦେଶର ଯୁବବର୍ଗଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଶିକ୍ଷା ଓ ଦକ୍ଷତା ପରିସଂସ୍ଥାନର ରୂପାନ୍ତରଣ କରିବା ଲକ୍ଷ୍ୟରେ ଭାରତ ଓ ସିଙ୍ଗାପୁର ମଧ୍ୟରେ ଆଲୋଚନା ହୋଇଛି । ଏହି ଦୁଇ ରାଷ୍ଟ୍ର ଆଗାମୀ ଦିନରେ ଶିକ୍ଷା ସହ ଦକ୍ଷତା ବିକାଶ ପାଇଁ କାମ କରିବେ । ମଙ୍ଗଳବାର ଭୁବନେଶ୍ୱରଠାରେ ଜି-୨୦ ଭାରତ ଶିକ୍ଷା ଓ୍ୱାର୍କିଂ ଗ୍ରୁପର ତୃତୀୟ ବୈଠକ ପରିପ୍ରକ୍ଷୀରେ ଭାରତ-ସିଙ୍ଗାପୁର ମଧ୍ୟରେ ଆୟୋଜିତ କର୍ମଶାଳାରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

‘ଫ୍ୟୁଚର ଅଫ୍ ଓ୍ୱାର୍କ୍ : ଭାରତ ଓ ସିଙ୍ଗାପୁରର ସ୍କିଲ ଆର୍କିଟେକଚର ଓ ଗଭର୍ଣ୍ଣାସ ମଡେଲ’ କଥାବସ୍ତୁ ଉପରେ ଆୟୋଜିତ ଏହି କର୍ମଶାଳାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତ ଓ ସିଙ୍ଗାପୁରର ରଣନୈତିକ ଭାଗିଦାରୀରେ ଦକ୍ଷତା ବିକାଶ ଏବଂ ଜ୍ଞାନ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଦୁଇ ଦେଶ ମିଳିତ ଭାବରେ କାମ କଲେ ଉଭୟ ରାଷ୍ଟ୍ର ପାଇଁ ଅନେକ ସୁଯୋଗ ରହିଛି । ବିଶେଷ ଭାବରେ ଭବିଷ୍ୟତର ଶ୍ରମବଳ ପ୍ରସ୍ତୁତ କରିବା ଦିଗରେ ଏହି ରାଷ୍ଟ୍ର ଦ୍ୱୟ କାମ କଲେ ଉଭୟ ଦେଶର ଲକ୍ଷ୍ୟ ସଫଳ ହେବ । ଏହି ଯୁଗ୍ମ କର୍ମଶାଳା ସିଙ୍ଗାପୁରର ପାରଦର୍ଶୀତା ଏବଂ ଜ୍ଞାନକୁ ଉପଯୋଗ କରିବା ଉପରେ ଧ୍ୟାନ ଦେବ । ସ୍କିଲ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ଦୂର କରିବା ସହ କୌଶଳ ପରିସଂସ୍ଥାନକୁ ପରିବର୍ତ୍ତନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

prayash

ଭବିଷ୍ୟତର କାର୍ୟ୍ୟଶୈଳି ଉପରେ ଭାରତ ଓ ସିଙ୍ଗାପୁର ମଧ୍ୟରେ ତିନି ପ୍ରସଙ୍ଗ ଯଥା ଦକ୍ଷତା ପାଇଁ ନୂଆ ପାଠ୍ୟକ୍ରମର ବିକାଶ, ଧନ୍ଦାମୂଳକ ଶିକ୍ଷା ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦକ୍ଷତା ପରିସଂସ୍ଥାନ ପାଇଁ ଫ୍ରେମଓ୍ୱାର୍କ ଏବଂ ଜୀବନବ୍ୟାପୀ ସ୍କିଲିଂ ପାଇଁ ଆପ୍ରେଣ୍ଟିସ୍-ସିପ୍ ଏବଂ ଫ୍ରେମଓ୍ୱାର୍କ ପାଇଁ ଆଲୋଚନା କରାଯାଇଛି । ଭବିଷ୍ୟତର କାର୍ଯ୍ୟଶୈଳୀକୁ ଦୃଷ୍ଟିରେ ରଖି ସ୍କିଲ ମ୍ୟାପିଂ ଉପରେ ଗୁରୁତ୍ୱ ଦିଆଯାଇଛି ।

ସିଙ୍ଗାପୁର ସରକାରଙ୍କ ଶିକ୍ଷା ତଥା ଦକ୍ଷତା ବିଭାଗର ଅଧିକାରୀ, ବୈଦେଶିକ ବିଭାଗର ଅଧିକାରୀମାନଙ୍କ ସହ ଭାରତ ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟ, ସ୍କୁଲ ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ବିଭାଗ ସ୍କୁଲଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଜାତୀୟ ଧନ୍ଦାମୂଳକ ଶିକ୍ଷା ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଭିଟି), ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ(ଡିଜିଟି), ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନସିଇଆରଟି), କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ), ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ମିଳିତ ଭାବେ ସିଙ୍ଗାପୁର ମଡେଲକୁ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କିପରି ଉପଯୋଗ କରାଯାଇପାରିବ ସେ ନେଇ ଉଭୟ ଦେଶ ଚର୍ଚ୍ଚା ଆଲୋଚନା କରିଛନ୍ତି । ଏ ନେଇ ସିଙ୍ଗାପୁରର ବୈଦେଶିକ ବିଭାଗ ମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆଧାରରେ ସ୍କିଲିଂକୁ ଧନ୍ଦାମୂଳକ ଶିକ୍ଷାରେ ଔପଚାରିକ ରୂପ ଦେବା ନେଇ ଏକ ମିଳିତ ପ୍ରୟାସର ଆବଶ୍ୟକତା ଅଛି । ସେଥିପାଇଁ ଏହି କର୍ମଶାଳା ଆୟୋଜନ କରାଯାଇଛି।

ଏହି କର୍ମଶାଳାରେ ଭାରତର ସିଙ୍ଗାପୁର ହାଇକମିଶନର ସିମନ ଓ୍ୱଙ୍ଗ, ସିଙ୍ଗାପୁରର ଉଚ୍ଚ ଶିକ୍ଷା, ଦକ୍ଷତା ଏବଂ ଶିକ୍ଷା ମନ୍ତ୍ରଣାଳୟର ଉପସଚିବ ମେଲିସା ଖୁ, ଭାରତର ଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ମନ୍ତ୍ରଣାଳୟ, ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ ଏବଂ ଶିକ୍ଷା ଓ ଦକ୍ଷତା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହାସହ ଭାରତ ଓ ସିଙ୍ଗାପୁରର ଶିକ୍ଷା ଓ ଦକ୍ଷତା କ୍ଷେତ୍ରର ଷ୍ଟେକହୋଲଡର, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Comments are closed.