କମ୍ବୁପାଣି ସାମନ୍ତଙ୍କୁ ‘ଭଞ୍ଜ ସୌରଭ ସମ୍ମାନ’
ଭୁବନେଶ୍ୱର : ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠାପନ୍ନ ପ୍ରକାଶନ ସଂସ୍ଥା ଏଥେନା ବୁକ୍ସର ବର୍ଷ ବ୍ୟାପୀ ରୌପ୍ୟ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଆଜି ଏକ ମନୋଜ୍ଞ ସାରସ୍ୱତ ସମାରୋହ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନ ସମ୍ମେଳନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ କଥାଶିଳ୍ପୀ ରମେଶ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହକୁ ଆନ୍ତର୍ଜାତିଜ ଖ୍ୟାତି ସଂପନ୍ନ ଭାଷାତତ୍ତ୍ୱବିଦ୍ ପଦ୍ମଶ୍ରୀ ପ୍ରଫେସର୍ ଦେବୀପ୍ରସନ୍ନ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭ ଉଦଘାଟନ କରିଥିଲେ। ପ୍ରାରମ୍ଭରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଆମନ୍ତ୍ରିତ ଅତିଥିଗଣ ଏହି ସାରସ୍ୱତ ସମାରୋହର ଶୁଭାରମ୍ଭ କରିଥିଲେ।
ରୌପ୍ୟ ଜୟନ୍ତୀ ସାରସ୍ୱତ ସମାରୋହ ଅବକାଶରେ ଭଞ୍ଜ ସାହିତ୍ୟର କୃତବିଦ୍ୟ ଗବେଷକ, ଲୋକ ସଂସ୍କୃତିର ସୁଖ୍ୟାତ ସମାଲୋଚକ ଡକ୍ଟର୍ କମ୍ବୁପାଣି ସାମନ୍ତଙ୍କୁ ଉପଢୌକନ, ପୁଷ୍ପ ସ୍ତବକ ଓ ପ୍ରଶସ୍ତିପତ୍ର ପ୍ରଦାନ ପୂର୍ବକ ‘ଭଞ୍ଜ ସୌରଭ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଡ. କମ୍ବୁପାଣି ସାମନ୍ତଙ୍କ ସମାଲୋଚନା ଗ୍ରନ୍ଥ ‘ଲୋକ ସଂସ୍କୃତିର ଭିନ୍ନ ଚର୍ଚ୍ଚା’ ଓ ପ୍ରଫେସର୍ ଡ. ପ୍ରଦୀପ୍ତ କୁମାର ସାମନ୍ତଙ୍କ ଦ୍ୱାରା ସଂକଳିତ ପୁସ୍ତକ ‘ଡ. କମ୍ବୁପାଣି ସାମନ୍ତଙ୍କ ସାରସ୍ୱତ ଯାତ୍ରା : ଏକ ସୂଚୀପତ୍ର’ ଉଦ୍ଘାଟକ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଓ ଅନ୍ୟ ଅତିଥିମାନଙ୍କ କରକମଳରେ ଲୋକାର୍ପିତ ହୋଇଥିଲା। ଡ. କମ୍ବୁପାଣି ସାମନ୍ତ ସମ୍ବର୍ଦ୍ଧନାର ଉତ୍ତରରେ ତାଙ୍କ ଲେଖକୀୟ ଜୀବନ ସଂପର୍କରେ ଉଲ୍ଲେଖ କରିଥିବା ବେଳେ ଡ. ପ୍ରଦୀପ୍ତ କୁମାର ସାମନ୍ତ ‘ସାରସ୍ୱତ ଯାତ୍ରା : ସୂଚୀପତ୍ର’ ସଂକଳନ ବିଷୟରେ ମନ୍ତବ୍ୟ ପ୍ରକାଶ କରିଥିଲେ।
ରୌପ୍ୟ ଜୟନ୍ତୀ ସମ୍ବତ୍ସର ସମିତିର କାର୍ଯ୍ୟକାରୀ ସଭାପତି ଡ. କୁଳମଣି ଓଝାଙ୍କ ସଂଯୋଜନାରେ ସଂଚାଳିତ ଏହି ସମାରୋହରେ ପଦ୍ମଶ୍ରୀ ପ୍ରଫେସର୍ ଦେବୀପ୍ରସନ୍ନ ପଟ୍ଟନାୟକ ଉଦଘାଟକ, ଭୁବନେଶ୍ୱର ଦୂରଦର୍ଶନର ପ୍ରାକ୍ତନ ନିର୍ଦ୍ଦେଶକ ତଥା ସୁଖ୍ୟାତ ସମାଲୋଚକ ଡ. ଶାନ୍ତନୁ କୁମାର ରଥ ସମ୍ମାନିତ ଅତିଥି, ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ମୁଖ୍ୟବକ୍ତା ଓ ଶାନ୍ତି ନିକେତନ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ସହକାରୀ ପ୍ରଫେସର୍ ଡ. ଶରତ କୁମାର ଜେନା ସମ୍ମାନିତ ବକ୍ତା ରୂପେ ଯୋଗଦେଇ ଏଥେନା ବୁକ୍ସର ପଚିଶ ବର୍ଷର ଅବାରିତ ଯାତ୍ରା, ଏହାର ସ୍ୱତ୍ୱାଧିକାରୀ ରାଜକିଶୋର ଦାସଙ୍କ ଐକାନ୍ତିକ ନିଷ୍ଠା ଓ ପ୍ରତିବଦ୍ଧତା ପ୍ରସଙ୍ଗ ଉଲ୍ଲେଖ ପୂର୍ବକ ସମ୍ବର୍ଦ୍ଧମାନ୍ ବ୍ୟକ୍ତିତ୍ୱ ଭଞ୍ଜ ସାହିତ୍ୟର ପ୍ରବୀଣ ଆଲୋଚକ, ପ୍ରାଜ୍ଞ ଗବେଷକ ଡ. କମ୍ବୁପାଣି ସାମନ୍ତଙ୍କ ସାରସ୍ୱତ ସାଧନା ଓ ସମାଲୋଚକୀୟ ଭିନ୍ନତା ପ୍ରସଙ୍ଗରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏଥେନା ବୁକ୍ସ ସହିତ ଦୀର୍ଘ ଦୁଇ ଦଶନ୍ଧି ବ୍ୟାପୀ ସଂପୃକ୍ତ ରହି ଆସିଥିବା ଜଣାଶୁଣା ମୁଦ୍ରାକର ଓ ବାଇଣ୍ଡର୍ ଦିଲୀପ କୁମାର ପାତ୍ର, ଏଥେନା ବୁକ୍ସର କମ୍ପ୍ୟୁଟର୍ ବିଭାଗରେ କାର୍ଯ୍ୟରତ ଶ୍ରୀମତୀ ରଞ୍ଜନା ପଟ୍ଟନାୟକ, ସୁଶ୍ରୀ ପ୍ରିୟଦର୍ଶନୀ ମହାରଣା, ସୁଶ୍ରୀ ପ୍ରଗତି ମହାପାତ୍ର, ପ୍ରଚ୍ଛଦ ଶିଳ୍ପୀ ଓ ଡିଜାଇନର୍ ସୁଶ୍ରୀ ପିଙ୍କିନା ଖଟୁଆ, କାର୍ଯ୍ୟାଳୟ କର୍ମଚାରୀ ଲକ୍ଷ୍ମଣ କୁମାର ବିଶ୍ୱାଳ ଓ ଦୈତାରି ମହାରଣା ପ୍ରମୁଖଙ୍କୁ ଉପାୟନ, ପ୍ରଶସ୍ତିପତ୍ର ଓ ପୁଷ୍ପସ୍ତବକ ଅର୍ପଣ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।
ଡ. କୁଳମଣି ଓଝା, ଡ. ହୃଷୀକେଶ ପଣ୍ଡା, ଡ. ବିଭୂତି ଭୂଷଣ ଆଚାର୍ଯ୍ୟ, ଦୁର୍ଗାଚରଣ ଷଡ଼ଙ୍ଗୀ, ଡ. ବାସନ୍ତୀ ମହାନ୍ତି, ଅଧ୍ୟାପକ ଅମ୍ବିକା ସାମନ୍ତରାୟ ଓ ପଦ୍ମିନୀ ମିଶ୍ର ପ୍ରମୁଖ ପ୍ରଶସ୍ତିପତ୍ର ପାଠ କରିଥିଲେ। ରୌପ୍ୟ ଜୟନ୍ତୀ ସମ୍ବତ୍ସର ସମିତି ସଭାପତି ସତ୍ୟ ନାରାୟଣ ମହାପାତ୍ର ଏଥେନା ବୁକ୍ସ ପ୍ରକାଶନର ସଂକ୍ଷିପ୍ତ ଇତିବୃତ୍ତ ସଂପର୍କରେ ସୂଚନା ପ୍ରଦାନ କରିଥିଲେ।
ଶେଷରେ ଏଥେନା ବୁକ୍ସର ସ୍ୱତ୍ଵାଧିକାରୀ ରାଜକିଶୋର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାରୋହରେ ଡ. ବିବେକାନନ୍ଦ ପାଣିଗ୍ରାହୀ, ଡ. ସୁରେଶ ଛୋଟରାୟ, ଗାଳ୍ପିକ ସଦାନନ୍ଦ ତ୍ରିପାଠୀ, ଦୁର୍ଗାଚରଣ ଷଡ଼ଙ୍ଗୀ, କଥାଶିଳ୍ପୀ ସୁନୀଲ ମିଶ୍ରଙ୍କ ସମେତ ବହୁ ସାହିତ୍ୟିକ ଓ ସାହିତ୍ୟାନୁରାଗୀ ଯୋଗ ଦେଇଥିଲେ।
Comments are closed.