www.samajalive.in
Thursday, December 11, 2025
27.1 C
Bhubaneswar

ଖଣ୍ଡ ଖଣ୍ଡ ୭ ହଜାର ଫୁଲ କୁଣ୍ଡ

ଭୁବନେଶ୍ବର,୧୭ା୧(ମ.ପ୍ର): ନାନା ରଙ୍ଗବେରଙ୍ଗ ଫୁଲରେ ହସୁଥିଲା କୁଣ୍ଡ। ପଥଚାରୀଙ୍କ ମନ ହରଣ କରୁୁଥିଲା। ଭଳିକି ଭଳି ଫୁଲ ସହିତ ଆକର୍ଷଣୀୟ ସବୁଜିମା ଗଛରେ ରାସ୍ତାପାର୍ଶ୍ବ ପ୍ରକୃତି ଶୋଭାବର୍ଦ୍ଧନ କରୁଥିଲା। ଚମକୁ ଥିଲା ପଥ। ଘଡ଼ିଏ ଲାଖିଯାଉଥିଲା ନେତ୍ର, କିନ୍ତୁ ଏବେ ଆଉ ଏହା ଦେଖିବାକୁ ମିଳୁ ନାହିଁ। ଟାଙ୍ଗରା ଭୂଇଁ ପରି ଦେଖାଯାଉଛି ରାସ୍ତାମଝି ଏବଂ ପାର୍ଶ୍ବ। ଲକ୍ଷ ଲକ୍ଷ ଟଙ୍କାରେ ସୃଷ୍ଟି ହୋଇଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଉଜୁଡ଼ି ଯାଇଛି। ପୋଡ଼ା ଜଙ୍ଗଲ ପରି ଅବସ୍ଥା ଦେଖିବାକୁ ମଳୁଛି। କାଁ ଭାଁ କେଉଁଠି ଛାଡ଼ି ଦେଲେ ସବୁଠି ସୌନ୍ଦର୍ଯ୍ୟକୁ ମାରି ଦିଆଯାଇଛି। ଅଧିକାଂଶ ଫୁଲକୁଣ୍ଡ ଭାଙ୍ଗି ଚୂରମାର ହୋଇଥିବାବେଳେ ହାତ ଗଣତି ଯେଉଁ କୋତୋଟି ରହିଛି ସେଗୁଡ଼ିକ ଏଣେତେଣେ ପଡ଼ିଛି। ହକି ବିଶ୍ବ କପ୍‌ ସମୟରେ ସୌନ୍ଦର୍ଯ୍ୟମୟ ହୋଇଥିବା ସ୍ମାର୍ଟସିଟି ଉଜୁଡ଼ା କ୍ଷେତ ପରି ଦେଖାଯାଉଛି। ବିଡିଏର ଖାମଖିଆଲି ନୀତି ଯୋଗୁଁ ରାସ୍ତାପାର୍ଶ୍ବ ସୌନ୍ଦର୍ଯ୍ୟ ଚୁଲି କି ଯାଇଛି।
୨୦୧୮ରେ ବିଡିଏ ସହରର ବିଭିନ୍ନ ରାସ୍ତାପାର୍ଶ୍ବ ଏବଂ ମଝି ସୌନ୍ଦର୍ଯ୍ୟକରଣ କରିଥିଲା। ଲାଣ୍ଡ କେପିଂ ହୋଇଥିଲା। ପାଖାପାଖି ୭ ହଜାର ଫଲକୁଣ୍ଡ ବ୍ୟବସ୍ଥା ହୋଇଥିଲା। ଏଥିରେ ନାନାପ୍ରକାର ଫୁଲ ଏବଂ ଶୋ’ ଗଛ ଲାଗିଥିଲା। ଗିନା, ଗୋଲାକାର, ଆୟତାକାର ଏବଂ ଥାଳି ଆକୃତିର କୁଣ୍ଡ ରଖାଯାଇଥିଲା। ପ୍ରାୟ ୨୩ ପ୍ରକାର ଫୁଲ ଓ ଶୋ’ ଗଛ ଲାଗିଥିଲା। କାଗଜ ଫୁଲଠୁ ଆରମ୍ଭ କରି ମନ୍ଦାର, କନିଅର, ସୁଗନ୍ଧରାଜ ଏବଂ ନିମ୍ବ, ପେସ୍ତା, ଖଜୁରି , ଲାଜକୁଳି ପ୍ରଭୃତି ଶୋ’ ଗଛ ଲାଗିଥିଲା। ଦୁଇରୁ ଊର୍ଦ୍ଧ୍ବ ପାଣି ଟ୍ୟାଙ୍କର ଏବଂ ୨୫ରୁ ଊର୍ଦ୍ଧ୍ବ ଲୋକ ଦେଖାଶୁଣା ନିମନ୍ତେ ନିୟୋଜିତ ଥିବାବେଳେ ଏହାର ପରିଚାଳନା ଦାୟିତ୍ବ ଏକ ଘରୋଇ ସଂସ୍ଥାକୁ ଦିଆଯାଇଥିଲା। ହେଲେ ଏବେ ଉକ୍ତ ସଂସ୍ଥା ଆଉ ଦାୟିତ୍ବ ସମ୍ଭାଳୁ ନ ଥିବା ଜଣାପଡ଼ିଛି। ଏହି ଦାୟିତ୍ବ ବିଡିଏର ଉଦ୍ୟାନ ବିଭାଗ ହାତରେ ରହିଛି। ସମ୍ପୃକ୍ତ ବିଭାଗର ଦାୟିତ୍ବହୀତନା ଯୋଗୁଁ ସୌନ୍ଦର୍ଯ୍ୟରେ ଗ୍ରହଣ ଲାଗିଛି।

ବାଣୀବିହାରରୁ ଶିଶୁ ଭବନ ଛକ ଯାଏ ସ୍ମାର୍ଟ ଜନପଥରେ ୪ଶହରୁ ଊର୍ଦ୍ଧ୍ବ ସିମେଣ୍ଟ ଫୁଲକୁଣ୍ଡ ବସିଥିଲା। ଶିଶୁ ଭବନ ଛକରୁ ରାଜମହଲ ଛକ ଯାଏ ବିଭିନ୍ନ କୁଣ୍ଡରେ ଗଛ ମରିଯାଇଥିବା ଦେଖିବାକୁ ମିଳିଛି। ସେହିପରି ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ ଡିଭାଇଡରରେ ଅଧିକାଂଶ କୁଣ୍ଡରେ ଫୁଲ କିମ୍ବା ଶୋ’ଗଛ ନାହିଁ। ୪୦ରୁ ଊର୍ଦ୍ଧ୍ବ ଭାଙ୍ଗିରୁଜି ଯାଇଛି। ଅନେକ ଓଲଟି ପଡ଼ି ନଷ୍ଟ ହୋଇଥିବେଳେ କିଛି ଫୁଲକୁଣ୍ଡ ମୂଳ ସ୍ଥାନରେ ନାହିଁ। ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଫୁଲକୁଣ୍ଡରେ ଗଛ ନାହିଁ। ଏଠାରେ ପାଖାପାଖି ୩୦ରୁ ଊର୍ଦ୍ଧ୍ବ ଫୁଲକୁଣ୍ଡର ଅବସ୍ଥା ଏପରି। ମାଷ୍ଟର କ୍ୟାଣ୍ଟିନରୁ ରାମମନ୍ଦିର ଡିଭାଇଡରରେ ଫୁଲକୁଣ୍ଡ ଆଉ ଦେଖିବାକୁ ମିଳୁନାହିଁ। ଶ୍ରୀୟା ଟକିଜ୍‌ରୁ ସତ୍ୟନଗର ଶ୍ମଶାନ ଯାଏ ୫୦ରୁ ଊର୍ଦ୍ଧ୍ବ ଫୁଲକୁଣ୍ଡ ଜରାଜୀର୍ଣ୍ଣ ଅବସ୍ଥା ଅଛି। କିଛି କିଛି କୁଣ୍ଡ ଖୋଳାପୋତା କାମରେ ନଷ୍ଟ ହୋଇଯାଇଛି। ରୁପାଲି ଛକରେ ମଧ୍ୟ ସମାନ ଅବସ୍ଥା। ଏଠାରେ ୫୦ରୁ ଊର୍ଦ୍ଧ୍ବ କୁଣ୍ଡ ଭାଙ୍ଗିରୁଜି ଯାଇଛି। ଫୁଲଗଛ ଦେଖିବାକୁ ମିଳୁ ନାହିଁ।
ରୁପାଲିଛକରୁ ବାଣୀ ବିହାରରେ ଡିଭାଇଡରରେ ଫୁଲକୁଣ୍ଡ ଥାଇ ନ ଥିବା ପରି। ଏଠାରେ ନା ଫୁଲ ଅଛି ନା‌ ସବୁଜିମା କେବଳ କାଁ ଭଁା ଫୁଲକୁଣ୍ଡରେ ମାଟି ଭର୍ତ୍ତି ହୋଇ ରହିଛି। ଅନେକ ନଷ୍ଟ ହୋଇ ରାସ୍ତାରେ ପଡ଼ି ପଥରୋଧ କରିଥିବା ଦେଖିବାକୁ ମିଳିଛି।
ସେହିପରି ରାଜ୍ୟ ସଂଗ୍ରହାଳୟ ସମ୍ମୁଖ, କଳ୍ପନା ଛକରୁ ରାଜମହଳ, ଏଜିରୁ ରାଜଭବନ, ପାୱାର ହାଉସରୁ କଳିଙ୍ଗ ଷ୍ଟାଡିଅମ, ଏଠାରୁ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ, ରମାଦେବୀ ବିଶ୍ବବିଦ୍ୟାଳୟ, ପାୱାର ହାଉସ୍‌ ଛକରୁ ଡିଏଭି ନଂ-୮ଦେଇ ସିଆରିପି ଛକ, ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିଠୁ କିଟ୍‌, ଏକାମ୍ରରୁ ଶିରିପୁର, ଏୟାରପୋର୍ଟ ଅଞ୍ଚଳ, ପିଏମ୍‌ଜି, ନିକୋ ପାର୍କ, ଡମଣା, ଇନ୍‌ଫୋସିଟି ପ୍ରଭୃତି ଅଞ୍ଚଳରେ ରାସ୍ତାପାର୍ଶ୍ବ ସୌନ୍ଦର୍ଯ୍ୟ ଉଜୁଡ଼ି ଯାଇଛି। ଅଧିକାଂଶ ସ୍ଥାନରେ ଫୁଲକୁଣ୍ଡ ନଷ୍ଟ ଦେବା କିଛି ସ୍ଥାନରୁ ଚୋରି ହୋଇଯାଇଛି।
ବିଡିଏ ମୁଖ୍ୟ ଉଦ୍ୟାନବିତ୍ ଏ.କେ ଧର କହିଛନ୍ତି, ଫୁଲକୁଣ୍ଡ ସମ୍ପର୍କରେ ମୋ ପାଖରେ ତଥ୍ୟ ନାହିଁ। ରାସ୍ତାପାର୍ଶ୍ବ ‌େସୗନ୍ଦର୍ଯ୍ୟର ରକ୍ଷଣାବେକ୍ଷଣ ହେଉଛି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories