ଦୀପାବଳି ବାଣଫୁଟା : ଭୁବନେଶ୍ୱର ସମେତ ଅନେକ ସହରର ବାୟୁର ମାନ ହ୍ରାସ
ଡେସ୍କ : ଦୀପାବଳିରେ ବାଣଫୁଟା ଯୋଗୁଁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କେତେକ ସହରର ବାୟୁର ଗୁଣାତ୍ମକ ସୂଚକାଙ୍କ ବୃଦ୍ଧି ପାଇଛି। ଆତସବାଜିରେ ଥିବା କ୍ଷତିକାରକ ରାସାୟିକ ପଦାର୍ଥ ଓ ଧୂଳିକଣା ବାୟୁମଣ୍ଡଳରେ ପ୍ରବେଶ କରି ବାୟୁର ମାନକୁ ହ୍ରାସ କରିଛି। ରବିବାର ରାତି ଓ ସୋମବାର ସକାଳ ସୁଦ୍ଧା ଭୁବନେଶ୍ୱରର କେତେକ ସ୍ଥାନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୦୦ରୁ ୪୦୦ ପହଁଞ୍ଚିଥିବା ଜଣାପଡ଼ିଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଅଂଚଳରେ ରବିବାର ରାତି ଗୋଟାଏରେ ପ୍ରଦୂଷଣ ମାତ୍ରା ୯୯୯ ରେକର୍ଡ ହୋଇଥିବା ବେଳେ ପଟିଆ ଅଂଚଳରେ ୬୭୬ ରେକର୍ଡ ହୋଇଛି । ସେହିପରି କଟକରେ ରାତି ଗୋଟାଏରେ ପ୍ରଦୂଷଣ ସ୍ତର ୮୮୨ ରେକର୍ଡ ହୋଇଛି। ସାଧାରଣତଃ ନଭେମ୍ବର ମାସରେ ବାୟୁ ଚଳାଚଳ କମ୍ ରହିଥାଏ। ଫଳରେ ବାୟୁରେ ଥିବା ବିଭିନ୍ନ ପ୍ରଦୂଷଣକାରୀ ତଥା କ୍ଷତିକାରକ ପଦାର୍ଥ ଭୂମିପତନଠାରୁ ଅଳ୍ପଦୂରରେ ସ୍ଥିର ରହିଥାଏ।
ଏହି ପ୍ରଦୂଷିତ ବାୟୁକୁ ପ୍ରଶ୍ୱାସରେ ଗ୍ରହଣ କରିବା ଦ୍ୱାରା ଲୋକମାନେ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଭୋଗିଥାନ୍ତି। ସାଧାରଣତଃ ଶୂନରୁ ୫୦ ଏୟାର କ୍ୱାଲିଟି ଇଣ୍ଡେକ୍ସ ରହିଲେ ବାୟୁର ମାନ ଭଲ ଥାଏ। ୫୧ରୁ ୧୦୦ ମଧ୍ୟରେ ରହିଲେ ଏହା ସ୍ୱାଭାବିକ ସ୍ଥିତି ବୋଲି ବିବେଚିତ ହୋଇଥାଏ। ମାତ୍ର ଏହାଠୁ ଅଧିକ ହେଲେ ଏହା ବିଶେଷ କରି ଶ୍ୱାସରୋଗୀଙ୍କ ପାଇଁ ବିପଦ ବଢ଼ାଇଥାଏ। ବାୟୁର ଗୁଣାତ୍ମକମାନକୁ ସୁରକ୍ଷିତ ରଖିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ
ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ବନୀକରଣ ଠାରୁ ଆରମ୍ଭ କରି ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏପରିକି ଏହି ସମୟରେ ସହରାଞ୍ଚଳରେ ଧୂଳିକଣା ସୃଷ୍ଟି କରୁଥିବା ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ କେତେକ କଟକଣା ରହିଛି। ବାୟୁ ପ୍ରଦୂଷଣକୁ ରୋକିବା ଦିଗରେ ଜନଭାଗିଦାରୀକୁ ବଢ଼ାଇବା ପାଇଁ ସରକାର ବିଭିନ୍ନ ସଚେତନ ଧର୍ମୀ କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କୁ ପରାମର୍ଶ ଦେଉଛନ୍ତି।
Comments are closed.