ବାସୁଦେବପୁର: ଗ୍ରାମାଞ୍ଚଳକୁ ସହର ସହ ଯୋଡିବା ପାଇଁ ସରକାରଙ୍କ ବସ ସେବା । ମାତ୍ର ଏହି ବସ ସେବାର ଫାଇଦା ଉଠାଉଛନ୍ତି କେତେକ ଶିକ୍ଷକ ଶିକ୍ଷୟତ୍ରୀ । ସରକାରୀ ବସେଯାଗେ ଘରକୁ ଫେରିବା ପାଇଁ ସରକାରଙ୍କ ନିର୍ଦ୍ଧାରିତ ସମୟ ଅପରାହ୍ଣ ୪ଟା ପୂର୍ବରୁ ବିଦ୍ୟାଳୟ ଛୁଟି କରି ଦେଉଛନ୍ତି। ଏମିତି ଘଟଣା ବାସୁଦେବପୁର ବ୍ଲକ ଅଧିନ ନାୟକାଣିଡିହ ଓ କରଞ୍ଜଆଡିଆ ପଞ୍ଚାୟତର ବୋଲି ଜାଣିବାକୁ ମିଳିଛି।
ଉପାନ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟମାନଙ୍କରେ ଶିକ୍ଷକଶିକ୍ଷୟତ୍ରୀମାନେ ଠିକ ସମୟରେ ବିଦ୍ୟାଳୟ ପହଞ୍ଚି ପାରୁନଥିବା ସହିତ ଧାର୍ଯ୍ୟ ସରକାରୀ ସମୟ ପୁର୍ବରୁ ବିଦ୍ୟାଳୟରେ ତାଲା ପକାଇ ଘରକୁ ଫେରୁଛନ୍ତି ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଶିକ୍ଷା ବିଭାଗର ଏହା ଉପରେ ନଜର ପଡୁନଥିବା କାରଣରୁ ଏହି ପ୍ରକାରର ବେମାରୀ ଉପାନ୍ତ ଅଞ୍ଚଳରେ ବ୍ୟାପିବାକୁ ଲାଗିଛି ବୋଲି ସମାଜସେବୀ କିଶୋରକୁମାର ମହାପାତ୍ର କହିଛନ୍ତି। କରଞ୍ଜଆଡିଆ ପଞ୍ଚାୟତର ଗରୁଡେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ନାୟକାଣିଡିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଧାର୍ଯ୍ୟ ସରକାରୀ ସମୟ ପୁର୍ବରୁ ବିଦ୍ୟାଳୟ ଛୁଟି କରି ଘରକୁ ଫେରିଥିବା ଦେଖିବାକୁ ମିଳିଛି।ଏନେଇ ବିଇଓ ଜଗବନ୍ଧୁ ସାହୁ କୁହନ୍ତି, ଏହାକୁ ଗମ୍ଭିରତାର ସହକାରେ ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।



