ବଡ଼ମ୍ବା; ମାଈ ହେଉ କି ଦନ୍ତା ହାତୀର ଦାନ୍ତ ଅଛି ଏ କଥା ସତ୍ୟ। ତେବେ ବଡ଼ମ୍ବା ବନାଞ୍ଚଳରୁ ଏସଟିଏଫ୍ ହସ୍ତକ୍ଷେପ ପରେ ଲଗାତର ମାଟିତଳୁ ଏକାଧିକ ହାତୀଙ୍କ କଙ୍କାଳ ମିଳିବା ଘଟଣାପରେ ବନବିଭାଗର ନିଦ ହଜିଛି। ଫଳସ୍ୱରୁପ କେବଳ ଶିକାରୀ ଗିରଫ ଏବଂ ଏଥିରେ ସଂପୃକ୍ତ ବନକର୍ମଚାରୀ ଗିରଫ ଏବଂ ନିଲମ୍ବନରେ ବିଭାଗୀୟ କତୃପକ୍ଷ ନିଜର କର୍ମତତ୍ପରତା ଜାହିର କରୁଥିବା ଲକ୍ଷକରାଯାଉଛି। ଅପରପକ୍ଷରେ ଲୁଟ ହୋଇଥିବା ହାତୀ ଦାନ୍ତ ଚାଲାଣ ତଥା ଏଥିରେ ସଂପୃକ୍ତ ନାମି ଅଭିଯୁକ୍ତଙ୍କ ଗିରଫ ନେଇ ସେଭଳି କୌ÷ଣସି ଠୋସ ସୁରାଗ ଏପର୍ଯ୍ୟନ୍ତ ନଜରକୁ ଆସିନଥିବା ମୁଖ୍ୟ ପ୍ରସଙ୍ଗ ହୋଇଛି। ଅପରପକ୍ଷରେ ଗୋଟିଏ ମାଈ ହାତୀକୁ ହତ୍ୟା କରିଥିବା ଅଭିଯୋଗରେ ତଥା ଘଟଣାରେ ସଂଶ୍ଳିଷ୍ଟ ଥିବା ପ୍ରମାଣପାଇ ଆଠଗଡ଼଼ ବନଖଣ୍ଡ ଅଧିକାରୀ ଜଣେ ଅଭିଯୁକ୍ତକୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ବନଖଣ୍ଡ ଅଧିକାରୀ ସୁଦର୍ଶନ ଯାଧବ ଗଣମାଧ୍ୟମକୁ ସୂଚନାଦେଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ନରସିଂହପୁର ବ୍ଲକ କାନପୁର ଥାନା ଅଧିନସ୍ଥ ଜେନାପାଳ ଗ୍ରାମର ସନ୍ତୋଷ ସାହୁ(୫୦)। ସଂପୃକ୍ତ ଅଭିଯୁକ୍ତ ବଡ଼ମ୍ବା ବନାଞ୍ଚଳ ଅନ୍ତର୍ଗତ ଗୋପପୁର ସେକ୍ସସନ ଅନ୍ତର୍ଗତ ଜାନିପଦର ବନାଞ୍ଚଳରୁ ଏସଟିଏଫ୍ ଦ୍ୱାରା ଜବତ୍ ହୋଇଥିବା ଏକ ମାଈ ହାତୀ କଙ୍କାଳ ଓ ତାର ମୃତ୍ୟୁ ଘଟଣାରେ ସଂପୃକ୍ତ ଥିବା ବନବିଭାଗ ତଦନ୍ତରୁ ଜାଣିବାକୁ ପାଇଛି। ଗିରଫ ଅଭିଯୁକ୍ତକୁ ମଙ୍ଗଳବାର ବଡ଼ମ୍ବା ବିଚାରବିଭାଗୀୟ ନ୍ୟାୟାଳୟରେ ହାଜର କରାଯାଇଥିଲା। ତେବେ ତାର ଜାମିନ ନାମାଞ୍ଜୁର ହେବାରୁ ଜେଲ ହାଜତକୁ ପଠାଯାଇଥିବା ଜଣାଯାଇଛି।
ଏହି ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ଆଠଗଡ଼଼ ବନଖଣ୍ଡ ଅଧିକାରୀ ଶ୍ରୀ ଯାଧବ ସାମାଜିକ ଗଣାମାଧ୍ୟମ ଜରିଆରେ ପ୍ରକାଶ କରିଛନ୍ତି। ଗତ ଜୁନ ୨ ତାରିଖରୁ ବଡ଼ମ୍ବା ବନାଞ୍ଚଳରେ ଏକାଧିକ ହାତୀ କଙ୍କାଳ ମାଟିତଳୁ ମିଳିବା ପରେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ବନ ବିଭାଗର ନିଦ ହଜିଛି। ତେବେ ହାତୀଙ୍କୁ ହତ୍ୟାକରି ହାତୀ ଦାନ୍ତ ଚୋରୀ ହୋଇଥିବା ତଥା ଏଥିରେ ସଂପୃକ୍ତ କିଙ୍ଗପିନ୍ ଏବଂ ହାତୀ ଦାନ୍ତ ଚାଲାଣ ସମ୍ପର୍କରେ ଏଯାବତ୍ କୌଣସି ପର୍ଦ୍ଦାଫାସ ହୋଇ ପାରିନଥିବା ବିଡ଼ମ୍ବନା ମନେ କରାଯାଉଛି। କେବଳ ଏକାଧିକ ସନ୍ଦିଗ୍ଧ ଶିକାରୀ ଏବଂ ବନ କର୍ମଚାରୀ ଘଟଣାରେ ସଂପୃକ୍ତ ଥିବାନେଇ କାର୍ଯ୍ୟାନୁଷ୍ଠାନ ସୀମିତ ଥିବା ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକାଶ କରାଯାଉଛି।



