‘ମହାନଦୀ ପାଣି’ରେ ଧୋଇଗଲା ଶୂନ୍ୟକାଳ

ଗୃହ ହୁଲସ୍ତୁଲ କଲା ଶାସକଦଳ, ଆଲୋଚନା ପାଇଁ ବିରୋଧୀ ରାଜି : ଜୟ, ବିବୃତି ରଖିବାକୁ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦେଶ

ଭୁବନେଶ୍ୱର : ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। ପ୍ରାୟ ୧୫ଟି ଜିଲାର ୨କୋଟିରୁ ଊର୍ଦ୍ଧ୍ବ ଲୋକେ ପାଣି ପାଇଁ ଏହା ଉପରେ ନିର୍ଭର କରନ୍ତି। ହେଲେ ଛତିଶଗଡ଼ ସରକାର ଏକତରଫା ଭାବେ ମହାନଦୀର ଉପରମୁଣ୍ଡରେ ବନ୍ଧ ବାନ୍ଧି ପାଣି ଅଟକାଉଛି। ଓଡ଼ିଶାବାସୀ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଶାସକଦଳ ସଭ୍ୟ ଅଭିଯୋଗ କରିବା ସହ ଏଥିନେଇ ଗୃହରେ ଜଳସମ୍ପଦ ମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ହୋ ହାଲ୍ଲା କରିଥିଲେ।
ଶୂନ୍ୟକାଳରେ ଶାସକଦଳର ବରିଷ୍ଠ ସଭ୍ୟ ଦେବୀ ପ୍ରସାଦ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଫେବୃଆରୀରୁ ନଭେମ୍ବର ପର୍ଯ୍ୟନ୍ତ ଛତିଶଗଡ଼ ସରକାର ମହାନଦୀ ପାଣି ଛାଡୁନାହିଁ। କେନ୍ଦ୍ରର ମୋଦୀ ସରକାର ମହାନଦୀକୁ ନେଇ ନିରବଦ୍ରଷ୍ଟା ସାଜିଛନ୍ତି। ଛତିଶଗଡ଼ରେ ପ୍ରଥମେ ବିଜେପି ସରକାର ଓ ପରେ କଂଗ୍ରେସ ସରକାର ଜୋର ଜବରଦସ୍ତ ମହାନଦୀର ଉପର ମୁଣ୍ଡରେ ପାଣି ଅଟକାଉଛନ୍ତି। ଗ୍ରୀଷ୍ମ ସମୟରେ ମହାନଦୀରେ ଟୋପାଏ ପାଣି ଆସୁନାହିଁ। ପ୍ରାୟ ୧୫ଟି ଜିଲାର ଜନଜୀବନ ସହିତ ପଶୁପକ୍ଷୀ ଏବଂ ବୃକ୍ଷଲତା ମହାନଦୀ ପାଣି ଉପରେ ନିର୍ଭର କରନ୍ତି। ଦୁର୍ଭାଗ୍ୟର ବିଷୟ ଯେ, ଛତିଶଗଡ଼ ସରକାର ଉପରମୁଣ୍ଡରେ ବନ୍ଧ ବାନ୍ଧି ସବୁ ପାଣି ଅଟକାଉଛନ୍ତି। ଗ୍ରୀଷ୍ମରେ ମହାନଦୀ ଶୁଖିଲା ପଡୁଛି। ଓଡ଼ିଶାର ଆପତ୍ତି ପରେ ବିଚାର ପାଇଁ ମହାନଦୀ ନ୍ୟାୟାଧିକରଣ (ଟ୍ରାଇବୁନାଲ) ଗଠନ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଟ୍ରାଇବୁନାଲରେ ୩୪ଟି ବୈଠକ ସରିଲାଣି, ହେଲେ ଓଡ଼ିଶାର ସମସ୍ୟା ତୁଟୁନାହିଁ। ଆଜି ଯେତେବେଳେ ସାରା ବିଶ୍ବ ଜଳ ଦିବସ ପାଳନ କରୁଛି ଓଡ଼ିଶା ସେତେବେଳେ ମହାନଦୀର ପାଣି ପାଇଁ ହାହାକାର ହେଉଛି। ମହାନଦୀର ସ୍ଥିତି କ’ଣ ଓ କାହିଁକି ଛତିଶଗଡ଼ ସରକାର ଗ୍ରୀଷ୍ମରେ ପାଣି ଛାଡ଼ିବେ ନାହିଁ, ସେ ସମ୍ପର୍କରେ ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀ ସବିଶେଷ ତଥ୍ୟ ରଖନ୍ତୁ। କାହିଁକି ଓଡ଼ିଶାର ଲୋକେ ପାଣି ପାଇବେ ନାହିଁ ତା’ର ଜବାବ ମଗାଯାଉ। ଅତୀତରେ ବିଧାନସଭା କମିଟି ଏହି ସମସ୍ୟା ଅନୁଧ୍ୟାନ ଲାଗି ଯାଇଥିଲା। ବାଚସ୍ପତି ଏଥିରେ ହସ୍ତକ୍ଷେପ କରି ସରକାରଙ୍କୁ ନିର୍ଦେଶ ଦେବାକୁ ଦୃ‌ଷ୍ଟି ଆକର୍ଷଣ କରିଥିଲେ।
ଶ୍ରୀ ମିଶ୍ରଙ୍କୁ ସମର୍ଥନ କରି ବିଜେଡି ବିଧାୟକମାନେ ବାଚସ୍ପତିଙ୍କଠାରୁ ନିର୍ଦେଶ ଦାବିରେ ହୋହଲ୍ଲା କରିଥିଲେ। ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜ ଆସନରେ ଛିଡା ହୋଇ ପାଣି ପାଇଁ ରୁଲିଂ ଦାବି କରିଥିଲେ। ବିଜେଡି ବିଧାୟକମାନେ ନିଜ ଆସନରେ ଛିଡ଼ା ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। କେନ୍ଦ୍ର ସରକାର ହାଏ ହାଏ, ମହାନଦୀ ପାଣି ଆମର ଦାବି ଆଦି ସ୍ଲୋଗାନରେ ଗୃହ କମ୍ପିଥିଲା। ପ୍ରବଳ ହୋହଲ୍ଲା ଭିତରେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ ଯେ, ଏହି ପ୍ରସଙ୍ଗରେ ଆଲୋଚନା ଲାଗି ବିଜେପି ଏକମତ। ମହାନଦୀରେ ଯେତେ ପାଣି ସମୁଦ୍ରକୁ ବହିଯାଉଛି, ରାଜ୍ୟ ସରକାର ତା’ର ସଂରକ୍ଷଣ କରିପାରୁନାହାନ୍ତି। ସମୁଦ୍ରକୁ ଚାଲି ଯାଉଥିବା ପାଣିକୁ ରଖି ବ୍ୟବହାର କରିବା ଲାଗି ରାଜ୍ୟ ସରକାର କୌଣସି ଉଦ୍ୟମ କରୁନାହାନ୍ତି। ଯଦି ସରକାରୀ ଦଳ ଚାହୁଁଛି ତେବେ ସ୍ବତନ୍ତ୍ର ଆଲୋଚନା ପାଇଁ ପ୍ରସ୍ତାବ ଆସୁ ଓ ସ୍ବତନ୍ତ୍ର ଭାବରେ ଏହି କଥା ଆଲୋଚନା କରାଯାଉ। ଏଥିରେ ବିରୋଧୀଦଳ ଭାଗ ନେବାକୁ ପ୍ରସ୍ତୁତ ରହିଛି।
ହେଲେ ବିଜେଡି ବିଧାୟକମାନେ ଆଲୋଚନା ପାଇଁ ରାଜି ନ ହୋଇ ତୁରନ୍ତ ବାଚସ୍ପତି ରୁଲିଂ ଦେବାକୁ ଅଡ଼ି ବସିଥିଲେ। ପ୍ରାୟ ୧୨ ମିନିଟ ଧରି ଗୃହରେ ହୋହଲ୍ଲା ହେବାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମହାନଦୀ ପ୍ରସଙ୍ଗରେ ଜଳସମ୍ପଦ ମନ୍ତ୍ରୀ ବିଧାନସଭାରେ ଏକ ବିବୃତି ଦେବାକୁ ନିର୍ଦେଶ ଦେଇଥିଲେ। ପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା। ଗୃହ ବାହାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଶାସକ ଦଳ ମହାନଦୀ ପ୍ରସଙ୍ଗ ଉଠାଇବା ଅର୍ଥ ଶୂନ୍ୟକାଳକୁ ବାତିଲ କରିବା ମୁଖ୍ୟ ଲକ୍ଷ୍ୟ। ମୌସୁମି ସମୟରେ ସମୁଦ୍ରକୁ ଅଧିକ ଜଳ ବହି ଯାଇଥାଏ, ଛତିଶଗଡ଼ ସରକାର ଯୋଜନା କରି ପାଣିକୁ ଅଟକାଇଛନ୍ତି। ଓଡ଼ିଶା ସରକାରଙ୍କୁ କିଏ ମନା କଲା ପାଣି ଅଟକାଇବା ପାଇଁ। କିଛି ପାଣି ସମୁଦ୍ରକୁ ଯିବ, ନଚେତ ନଦୀ ଭରିଯିବ ତେଣୁ ବିଧାନସଭାରେ ଏସମ୍ପର୍କରେ ଆଲୋଚନା କରିବା ପାଇଁ ଆମେ ପ୍ରସ୍ତୁତ ବୋଲି ସେ କହିଥିଲେ।

Comments are closed.