ଦାରୁଣ ଦୁର୍ଘଟଣା : କାର ଧକ୍କାରେ ଆଖି ବୁଜିଲେ ୩ ଛାତ୍ର

ଚାଳକ ସହ ୨ଯୁବକଙ୍କୁ ନିସ୍ତୁକ ମାଡ଼, ଶୋକରେ ଶରଧାପାଲି ଗାଁ

ସୋନପୁର : ପରୀକ୍ଷା ଥିଲା। ସକାଳୁ ସାଙ୍ଗମାନଙ୍କ ସହ ବେଶ୍‌ ହସଖୁସିରେ ଆସିଥିଲେ ବିଦ୍ୟାଳୟକୁ। ପରୀକ୍ଷା ଦେଲେ; କିନ୍ତୁ ଆଉ ଘରକୁ ଫେରିପାରିଲେ ନାହିଁ। ବିଦ୍ୟାଳୟ ଫାଟକ ଡେଇଁବା କ୍ଷଣି ବାଟରେ ଅପେକ୍ଷା କରିଥିଲା ମୃତ୍ୟୁଦୂତ। ଏକ ଦୁଃଖଦ ଘଟଣାକ୍ରମରେ ଛାତ୍ରଛାତ୍ରୀ ବିଦ୍ୟାଳୟରୁ ବାହାରିବା ବେଳେ ହଠାତ୍ ଏକ କାର୍‌ ଧକ୍କାରେ ଆଖି ବୁଜିଛନ୍ତି କୋମଳମତି ୩ ଛାତ୍ର। ଏଭଳି ଏକ ଅଭାବନୀୟ ଘଟଣା ସୁବର୍ଣ୍ଣପୁର ଜିଲା ସଦର ଥାନା ଶରଧାପାଲି ଗାଁରେ ବୁଧବାର ଘଟିଛି। ମର୍ମନ୍ତୁଦ ଦୁର୍ଘଟଣା ପରେ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀ କ୍ଷତିପୂରଣ ଦାବିରେ ଶରଧାପାଲି ଛକରେ ରାସ୍ତାରୋକ କରିଥିଲେ। ଖବର ପାଇ ଜିଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ।
ସୂଚନା ଅନୁସାରେ, ବୁଧବାର ପୂର୍ବାହ୍ନରେ ଶରଧାପାଲି ଗାଁ ବିଦ୍ୟାଳୟରୁ ପରୀକ୍ଷା ଦେଇ ବାହାରୁଥିବା ବେଳେ ହଠାତ ଏକ ଏକ କାର୍‌ ଭାରସାମ୍ୟ ହରାଇ ବିଦ୍ୟାଳୟ ଫାଟକ ଆଗକୁ ମାଡି ଯାଇଥିଲା। ବିଦ୍ୟାଳୟରୁ ବାହାରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ପଞ୍ଚମ ଶ୍ରେଣୀରେ ପଢ଼଼ୁଥିବା ରାଜା ପେରା, ଷଷ୍ଠ ଶ୍ରେଣୀର ସୁବ୍ରତ ଭୋଇ ଓ ରାଜେଶ ପେରା ସହ କପିଳ ଭୁଏ ଗୁରୁତର ହୋଇଥିଲେ। ସେମାନଙ୍କୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ଗାଡିରେ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ରାଜାର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। କିନ୍ତୁ ସୁବ୍ରତ ଓ ରାଜେଶଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ପ୍ରାଥମିକ ଚିକିତ୍ସା ପରେ ରାଜେଶଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିଲା। ରାସ୍ତାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ରାଜେଶକୁ ମୃତ ଘୋଷଣା କରିଥିଲେ। ସେହିପରି ଅନ୍ୟ ଗୁରୁତର ସୁବ୍ରତଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। କପିଳ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ଖବର ପାଇ ସୋନପୁର ଉପଜିଲାପାଳ ଡ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଡାକ୍ତରଖାନାରେ ପହଞ୍ଚି ଗୁରୁତର ଓ ମୃତକଙ୍କ ପରିବାରବର୍ଗଙ୍କୁ ଭେଟିଥି​ଲେ।‌ ଗୁରୁତରଙ୍କ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
ଦୁର୍ଘଟଣା ପରେ ଶରଧାପାଲିରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ କାର୍‌ ଛାଡି ଚାଳକ ଓ ଅନ୍ୟ ୨ ଜଣ ସେଠାରୁ ଫେରାର୍‌‌ ହେଉଥିବା ବେଳେ ଉତ୍ୟକ୍ତ ଗ୍ରାମବାସୀ ଗୋଡ଼ାଇ ଗୋଡାଇ ସେମାନଙ୍କୁ ଧରି ଉତ୍ତମ ମଧ୍ୟମ ଦେଇଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ ସୁଦ୍ଧା ଗ୍ରାମବାସୀ ସେମାନଙ୍କୁ ଚିକିତ୍ସା ପାଇଁ ଛାଡି ନଥିଲେ। ଏପରିକି ଜିଲା ମୁଖ୍ୟ ଚିକିତ୍ସାଳୟରେ ୨ ଛାତ୍ରଙ୍କ ମୃତ୍ୟୁ ହେବା ଖବର ପ୍ରଚାରିତ ହେବାକ୍ଷଣି ଉତ୍ତ୍ୟକ୍ତ ଲୋକେ ବିନିକା-ସୋନପୁର ମୁଖ୍ୟରାସ୍ତାରେ ରାସ୍ତାରୋକ କରିଥିଲେ। ଜିଲାପାଳ ଅବୋଲି ସୁନୀଲ ନରବଣେ, ଏସ୍‌ପି ଅମରେଶ ପଣ୍ଡା, ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ, ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ମେହେର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସରକାରୀ ବ୍ୟବସ୍ଥା ଅନୁସାରେ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଅଟକ ଥିବା କାର୍‌ ଚାଳକ ଓ ଅନ୍ୟ ୨ ଜଣଙ୍କୁ ଅପରାହ୍ନରେ ପୁଲିସ ସହାୟତାରେ ଜିଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କାର୍‌ ଚାଳକ ଶିବତୁଲା ଗ୍ରାମର ସୌରଭ ନାଏକ (୨୧) ବୋଲି ଜଣାପଡ଼ିଛି। ସେହିପରି ସାଙ୍ଗରେ ଥିବା ଯୁବକ ୨ ଜଣଙ୍କ ମଧ୍ୟରୁ ଜଣେ ପୁଇଁନ୍ତଲା ଥାନା ଅନ୍ତର୍ଗତ ଅର୍ଜୁଣ୍ଡା ଗ୍ରାମର ପ୍ରୀତିଶ ଡାଙ୍ଗ (୨୧) ଓ ତରଭା ଥାନା ଦେଓଗାଁ ଗ୍ରାମର ଅନୁଭବ ମଲ୍ଲିକ (୧୮) ବୋଲି ପୁଲିସ ସୂଚନା ଦେଇଛି।

ମୃତକଙ୍କ ପରିବାରକୁ ୩ଲକ୍ଷ ଅନୁକମ୍ପା

ଆହତଙ୍କୁ ଚିକିତ୍ସା ଓ ୫୦ହଜାର ସହାୟତା
ଭୁବଶ୍ବେର/ସୋନପୁର : ସୋନପୁରର ସଦର ବ୍ଲକ୍‌ର ଶରଧାବାଲି ସ୍କୁଲଠାରେ କାର୍‌ ଦୁର୍ଘଟଣାରେ ୩ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ଛାତ୍ରମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହିତ ଆହତ ଛାତ୍ରମାନଙ୍କ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କ ପାଇଁ ୫୦ ହଜାର ଟଙ୍କାର ଲେଖାଏଁ ସହାୟତା ମଧ୍ୟ ଘୋଷଣା କରିଛନ୍ତି।

Comments are closed.