ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା-୨୦୨୨ର ଦଶମ ଦିବସରେ ଭାରତୀୟ କ୍ରୀଡ଼ାବିତ୍ଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ମଙ୍ଗଳବାର ଭାରତ ୨ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୫ଟି କାଂସ୍ୟ ସହ ୯ଟି ପଦକ ପାଇଛି। ଦୌଡ଼କୁଦରେ ଭାରତ ସର୍ବାଧିକ ସଫଳତା ହାସଲ କରିଛି। ଏହାଛଡ଼ା କାନୋଇଂ ଓ ମୁଷ୍ଟିଯୁଦ୍ଧରେ ମଧ୍ୟ ଭାରତକୁ ପଦକ ମିଳିଛି।
ପୁରୁଷ ୮୦୦ ମିଟର ଦୌଡରେ ଅଫ୍ସାଲଙ୍କୁ ରୌପ୍ୟ
ପୁରୁଷ ୮୦୦ ମିଟର ଦୌଡ଼ରେ ଭାରତକୁ ମହମ୍ମଦ ଅଫସାଲଙ୍କୁ ରୌପ୍ୟ ପଦକ ମିଳିଛି। ଏଥିରେ ଅନ୍ୟତମ ଭାରତୀୟ ଆଥ୍ଲେଟ୍ କୁମାର କ୍ରିଷ୍ଣନ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ।
ମହିଳା ମୁଷ୍ଟିଯୁଦ୍ଧରେ ପ୍ରୀତିଙ୍କୁ କାଂସ୍ୟ
ଦଶମ ଦିନରେ ମହିଳା ମୁଷ୍ଟିଯୁଦ୍ଧରେ ଭାରତକୁ କାଂସ୍ୟ ପଦକ ମିଳିଛି। ପ୍ରୀତି ପାନୱାର ୫୪ କିଗ୍ରା ବର୍ଗରେ ସେମିଫାଇନାଲରେ ପରାଜିତ ହୋଇ କାଂସ୍ୟ ପଦକ ଜିତିଛନ୍ତି। ପ୍ରୀତି ସେମିଫାଇନାଲ ମ୍ୟାଚରେ ଚୀନ ପ୍ରତିଯୋଗୀ ଚାଙ୍ଗ ୟୁଆନଙ୍କଠାରୁ ୦୫ ନିଷ୍ପତ୍ତିରେ ପରାଜିତ ହୋଇଛନ୍ତି। ଏଥି ସହିତ ପ୍ରୀତି ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାର ସୁଯୋଗକୁ ହାତଛଡ଼ା କରିଛନ୍ତି। ପ୍ରୀତିଙ୍କ ନିକଟରେ ସେମିଫାଇନାଲ ଜିତି ଫାଇନାଲରେ ପ୍ରବେଶ ସହ ଅଲିମ୍ପିକ୍ସ ଯୋଗ୍ୟତା ନେଇ ସୁଯୋଗ ରହିଥିଲା। କିନ୍ତୁ ସେ ଚୀନ୍ ପ୍ରତିଯୋଗୀଙ୍କଠାରୁ ଶୋଚନୀୟ ଭାବେ ପରାଜିତ ହୋଇଥିଲେ। ଏସୀୟ କ୍ରୀଡ଼ାର ନିୟମାନୁଯାୟୀ, ସେମିଫାଇନାଲରେ ପ୍ରବେଶ କରିଥିବାରୁ ପ୍ରୀତିଙ୍କୁ କାଂସ୍ୟ ପଦକ ମିଳିଛି।
କାଂସ୍ୟ ଜିତିଲେ ଅର୍ଜୁନ, ସୁନୀଲ
ପୁରୁଷ ଯୁଗଳ କାନୋଇଂ୧୦୦୦ ମିଟର ବିଭାଗରେ ଅର୍ଜୁନ ସିଂହ ଓ ସୁନୀଲ ସିଂହ ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ଜିତିଛନ୍ତି। ଅର୍ଜୁନ ଓ ସୁନୀଲ ଫାଇନାଲ ରେସ୍କୁ ୩:୫୩.୩୨୯ ସେକେଣ୍ଡରେ ଅତିକ୍ରମ କରି ତୃତୀୟ ସ୍ଥାନରେ ରହିଥିଲେ। ସେହିପରି ଉଜବେକିସ୍ତାନର ସୋକମୁର୍ଦ କୋଲିମୁଦାଭ ଏବଂ ନୁରିସ୍ଲୋମ ତୁକତାସିନ ୩:୪୩.୭୯୬ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ଓ କାଜାକିସ୍ତାନର ତିମୋଫି ୟାମାଲୋଭା ଓ ସର୍ଗି ୟାମାଲୋଭା ୩:୪୯.୯୯୧ ସେକେଣ୍ଡ ସମୟ ନେଇ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିିତିଛନ୍ତି। ଚଳିତ ଏସୀୟ କ୍ରୀଡ଼ାରେ ପୁରୁଷ ଯୁଗଳ କାନୋଇଂରେ ଭାରତକୁ ପ୍ରଥମ ଓ ମୋଟ ଉପରେ ଦ୍ବିତୀୟ ପଦକ। ପୂର୍ବରୁ ୧୯୯୪ ହିରୋସୀମା ଏସୀୟ କ୍ରୀଡ଼ାରେ ପୁରୁଷ ଯୁଗଳ କାନୋଇଂରେ ପ୍ରଥମ ପଦକ ମିଳିଥିଲା।
ଡେକାଥେଲନରେ ତେଜସ୍ବିନଙ୍କୁ ରୌପ୍ୟ
ଏସୀୟ କ୍ରୀଡ଼ା- ୨୦୨୨ରେ ଭାରତ ପାଇଁ ଆଉ ରୌପ୍ୟ ପଦକ ଆଣିଛନ୍ତି ତଜସ୍ପିନ ଶଙ୍କର। ପୁରୁଷ ଡେକାଥେଲନରେ ତେଜସ୍ବିନ ମୋଟ ୭୦୩୭ ପଏଣ୍ଟ ସ୍କୋର କରି ଦ୍ବିତୀୟ ସ୍ଥାନ ହାସଲ କରିଥିଲେ।
ଏହି ବିଭାଗରେ ଚୀନର ସନ୍ ଚୁ ହାଓ ୭୩୨୬ ପଏଣ୍ଟ ପାଇ ସ୍ବର୍ଣ୍ଣ ଜିତିଥିବା ବେଳେ ଜାପାନର ମାରୁୟାମା ୬୯୨୦ ପଏଣ୍ଟ ପାଇ ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ଜିତିଛନ୍ତି। ୧୯୭୪ ପରେ ଏସୀୟ କ୍ରୀଡ଼ା ପୁରୁଷ ଡେକାଥେଲନରେ ଭାରତକୁ ରୌପ୍ୟ ପଦକ ମିଳିଛି।
ବାଧାଦୌଡ଼ରେ ଭିତ୍ୟାଙ୍କୁ କାଂସ୍ୟ
ମହିଳା ୪୦୦ ମିଟର ବାଧା ଦୌଡ଼ରେ ଭାରତ ପାଇଁ କାଂସ୍ୟ ପଦକ ଜିତିଛନ୍ତି ଭିତ୍ୟା ରାମରାଜ୍। ଫାଇନାଲରେ ଭିତ୍ୟା ୫୫.୬୮ ସେକେଣ୍ଡ ସହ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି। ଏସୀୟ କ୍ରୀଡ଼ାରେ ଭିତ୍ୟାଙ୍କ ଏହା ପ୍ରଥମ ପଦକ। ବାହାରିନ ପ୍ରତିଯୋଗୀ ଆଡିକୋୟା ମୁଜୁଦାଗ୍ ୫୪.୫୪ ସେକେଣ୍ଡ ନେଇ ସ୍ବର୍ଣ୍ଣ ଜିତିଥିବା ବେଳେ ଚୀନର ମୋ ଜିଅା ଦାଇ ୫୫.୦୧ ସେକେଣ୍ଡ ନେଇ ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛନ୍ତି।
ତ୍ରିପଲ ଜମ୍ପରେ ପ୍ରବୀଣଙ୍କୁ କାଂସ୍ୟ
ପୁରୁଷ ତ୍ରିପଲ ଜମ୍ପରେ ପ୍ରବୀଣ ଚିତ୍ରାଭେଲ କାଂସ୍ୟ ପଦକ ଜିତିଛନ୍ତି। ମଙ୍ଗଳବାର ପ୍ରବୀଣ ଫାଇନାଲରେ ୧୬.୬୮ ମିଟର ଅତିକ୍ରମ କରି ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ଜିତିଛନ୍ତି। ଏଥିରେ ଅନ୍ୟତମ ଭାରତୀୟ ପ୍ରତିଯୋଗୀ ଅବଦୁଲ୍ଲା ଅବୁବେକର ୧୬.୬୨ ମିଟର ଅତିକ୍ରମ କରି ୪ର୍ଥ ସ୍ଥାନରେ ରହିଥିଲେ।
ମୁଷ୍ଟିଯୁଦ୍ଧରେ ନରେନ୍ଦରଙ୍କୁ କାଂସ୍ୟ
ପୁରୁଷ ୯୨ କିଗ୍ରା ବର୍ଗରୁ ଉର୍ଦ୍ଧ୍ବ ବର୍ଗ ବକ୍ସିଂରେ ଭାରତର ନରେନ୍ଦର କାଂସ୍ୟ ପଦକ ହାସଲ କରିଛନ୍ତି। ସେମିଫାଇନାଲରେ ନରେନ୍ଦର କାଜାଖିସ୍ତାନର କାମ୍ ସେକ୍ ବେଗ୍ଙ୍କଠାରୁ ୦-୫ ରେଫରୀ ନିଷ୍ପତ୍ତିରେ ପରାଜିତ ହୋଇଥିଲେ। ତେବେ ଏସୀୟ କ୍ରୀଡ଼ାର ନିୟମ ଅନୁଯାୟୀ ସେମିଫାଇନାଲରେ ପ୍ରବେଶ କରିଥିବାରୁ ନରେନ୍ଦରଙ୍କୁ କାଂସ୍ୟ ପଦକ ମିଳିଛି।
ଫାଇନାଲରେ ପ୍ରବେଶ ସହ ଲଭଲିନାଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
ଭାରତର ତାରକା ମହିଳା ମୁଷ୍ଟିଯୋଦ୍ଧା ଲଭଲିନା ବର୍ଗିହାନ ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାର ଫାଇନାଲରେ ପ୍ରବେଶ କରିବା ସହ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ କାଂସ୍ୟ ବିଜେତା ଲଭଲିନା ମହିଳା ୭୫ କିଗ୍ରା ବର୍ଗ ସେମିଫାଇନାଲରେ ଥାଇଲାଣ୍ଡର ବାଇସନଙ୍କୁ ୫-୦ ନିଷ୍ପତ୍ତିରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି। ଲଭଲିନା ବାଇସେନଙ୍କ ଉପରେ ପ୍ରଥମରୁୁ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଖେଳିଥିଲେ। ଲଭଲିନା ପଞ୍ଚ ପରେ ପଞ୍ଚ ମାରିବା ସହିତ ବାଇସେନଙ୍କୁ ପ୍ରତି ଆକ୍ରମଣ ନେଇ ସୁଯୋଗ ଦେଇନଥିଲେ। ବାଇସେନ୍ ମ୍ୟାଚକୁ ଫେରିବା ନେଇ ଉଦ୍ୟମ କରି ବିଫଳ ହୋଇଥିଲେ। ଲଭଲିନା ଗତ ଏସିଆନ ଚମ୍ପିଆନସିପ୍ ଫାଇନାଲରେ ବାଇସେନଙ୍କ ନିକଟରୁ ପରାଜିତ ହୋଇ ରୌପ୍ୟ ପଦକ ଜିତିଥିଲେ। ଏସୀୟ କ୍ରୀଡ଼ାରେ ଲଭଲିନା ପ୍ରତିଶୋଧ ନେବାରେ ସଫଳ ହୋଇଛନ୍ତି। ବୁଧବାର ଲଭ୍ଲିନା ସ୍ବର୍ଣ୍ଣ ପଦକ ପାଇଁ ଲେଢଇ କରିବେ।
ମହିଳା ହକି : ସେମିଫାଇନାଲରେ ଭାରତ
ଭାରତୀୟ ମହିଳା ହକି ଦଳ ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା-୨୦୨୨ର ସେମିଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଭାରତ ଗ୍ରୁପ-ଏ ର ଶେଷ ଲିଗ୍ ମ୍ୟାଚରେ ହଂକଂ ଚାଇନାକୁ ୧୩-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଏଥି ସହିତ ଭାରତ ପଦକ ହାସଲର ପଥରେ ଆଉ ପାଦେ ଆଗକୁ ବଢିଛି। ଏକତରଫା ଭାବେ ଖେଳାଯାଇଥିବା ମ୍ୟାଚରେ ଭାରତ ପକ୍ଷରୁ ଦୁଇ ମିନିଟ୍ରେ ବନ୍ଦନା କଟାରିଆ ପ୍ରଥମ, ୪ ମିନିଟ୍ରେ ଦୀପିକା ଦ୍ବିତୀୟ, ୭ ମିନିଟ୍ରେ ମୋନିକା ୩ୟ, ୧୧ ମିନିଟ୍ରେ ଦୀପ୍ଗ୍ରେସ ଏକ୍କା ୪ର୍ଥ ଗୋଲ ଦେଇଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ଭାରତ ୪-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟର ତଥା ଖେଳର ୧୬ ମିନିଟ୍ରେ ବନ୍ଦନା କଟାରିଆ ୫ମ, ୨୭ ମିନିଟ୍ରେ ସଙ୍ଗୀତା କୁମାରୀ୬ଷ୍ଠ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୬-୦ ଗୋଲରେ ଆଗୁଆ ରହିଥିଲା ତୃତୀୟ କ୍ବାର୍ଟରରେ ଭାରତ ପକ୍ଷରୁ ୩୪ ମିନିଟ୍ରେ ବୈଷ୍ଣବୀ ବିଥାଲ ପାଖଲେ ୭ମ,୪୨ ମିନିଟ୍ରେ ଦୀପ୍ଗ୍ରେସ ଏକ୍କା ୮ମ,୪୮ ମିନିଟ୍ରେ ବନ୍ଦନା କଟାରିଆ ୯ମ,୫୪ ମିନିଟ୍ରେ ଦୀପାଳି ୧୦ମ, ୫୫ ମିନିଟ୍ରେ ସଙ୍ଗୀତା କୁମାରୀ ୧୧ତମ, ୫୮ ମିନିଟ୍େର ଦୀପିକା ୧୨ତମ ଓ ନବନୀତ କୌର ୧୩ତମ ଗୋଲ ଦେଇଥିଲେ। ଭାରତ ଦକ୍ଷିଣ କୋରିଆ ସହିତ ମ୍ୟାଚ ୧-୧ ଗୋଲ ଡ୍ର ରଖିଥିବାବେଳେଳ ୬-୦ ଗୋଲରେ ମାଲେସିଆକୁ ,୧୩-୦ ଗୋଲରେ ସିଙ୍ଗାପୁରକୁ ପରାସ୍ତ କରିଥିଲା। ଦଳ ୪ଟି ମ୍ୟାଚରୁ ୩ଟି ବିଜୟ ଓ ଗୋଟିଏ ଡ୍ର ସହ ୧୦ ପଏଣ୍ଟ ପାଇ ଗ୍ରୁପ ଦ୍ବିତୀୟ ସ୍ଥାନରେ ରହି ସେମିଫାଇନାଲରେ ପହଞ୍ଚିଛି। ଦଳ ୫ରେ ସେମିଫାଇନାଲ ଖେଳିବ।
ତୀରନ୍ଦାଜୀ : ପୁରୁଷ କମ୍ପାଉଣ୍ଡ ବିଭାଗ ଫାଇନାଲରେ ଦୁଇ ଭାରତୀୟ
ଏସୀୟ କ୍ରୀଡ଼ାର ତୀରନ୍ଦାଜୀ ପୁରୁଷ ବ୍ୟକ୍ତିଗତ କମ୍ପାଉଣ୍ଡ ବିଭାଗ ଫାଇନାଲରେ ଦୁଇ ଭାରତୀୟ ଖେଳାଳି ପ୍ରବେଶ କରିଛନ୍ତି। ଫଳରେ ଭାରତକୁ ଏହି ବିଭାଗରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ମିଳିବା ନିଶ୍ଚିତ ହୋଇଯାଇଛି। ପ୍ରଥମ ସେମିଫାଇନାଲରେ ଭାରତୀୟ ତୀରନ୍ଦାଜ ତଥା ବିଶ୍ବ ଚମ୍ପିଆନ ଓଜାସ୍ ଡିଓଟଲେ ଚମତ୍କାର ପ୍ରଦର୍ଶନ କରିବା ସହ ଦକ୍ଷିଣ କୋରିଆର ୟାଙ୍ଗ ଜାଇୱନ୍ଙ୍କୁ ୧୫୦-୧୪୬ ପଏଣ୍ଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ଅନ୍ୟଏକ ସେମିଫାଇନାଲରେ ଭାରତର ଅଭିଷେକ ବର୍ମା ଦକ୍ଷିଣ କୋରିଆର ତୀରନ୍ଦାଜ ଜୋ ଜାଇହୁନ୍ଙ୍କୁ ୧୪୭-୧୪୫ ପଏଣ୍ଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବିଭାଗରେ ଭାରତର ତୀରନ୍ଦାଜ ଜ୍ୟୋତି ସୁରେଖା ଭେନମ୍ ନିଜ ଦେଶର ଅଦିତି ସ୍ବାମୀଙ୍କୁ ୧୪୯-୧୪୬ ପଏଣ୍ଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ଜ୍ୟୋତିଙ୍କ ମୁକାବିଲା ଦକ୍ଷିଣ କୋରିଆର ସୋ ଚାଇୱନ୍ଙ୍କ ସହ ହେବ।
ସେମିରେ ଭାରତୀୟ ପୁରୁଷ କ୍ରିକେଟ୍ ଦଳ; ଜୟସ୍ବାଲ୍ଙ୍କ ଶତକ
ଏସୀୟ କ୍ରୀଡ଼ାର ପୁରୁଷ ବିଭାଗ କ୍ରିକେଟ୍ର ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ମଙ୍ଗଳବାର ଖେଳାଯାଇଥିବା ପ୍ରଥର କ୍ବାର୍ଟର ଫାଇନାଲ ମ୍ୟାଚ୍ରେ ନେପାଳକୁ ୨୩ ରନ୍ରେ ପରାସ୍ତ କରିଥିଲା ଭାରତ। ଏହି ମ୍ୟାଚ୍ରେ ଭାରତ ତରଫରୁ ଓପନର୍ ଯଶସ୍ବୀ ଜୟସ୍ବାଲ୍ ଶତକ ହାସଲ କରିଥିବା ବେଳେ ନେପାଳ ଦଳ ମଧ୍ୟ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିଲା।
ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୦୨ ରନ୍ ସଂଗ୍ରହ କରିଥିଲା। ଦଳ ତରଫରୁ ଅଧିନାୟକ ଋତୁରାଜ ଗାଏକ୍ବାଡ୍ ଓ ଯଶସ୍ବୀ ଜୟସ୍ବାଲ୍ ବ୍ୟାଟିଂ ଓପନ କରିଥିଲେ। ଉଭୟ ପ୍ରଥମ ୱିକେଟ୍ ନିମନ୍ତେ ୯.୫ ଓଭରରେ ୧୦୩ ରନ୍ ସଂଗ୍ରହ କରିଥିଲେ। ଏହି ସ୍କୋରରେ ଋତୁରାଜ ୨୩ଟି ବଲ୍ରୁ ୪ଟି ଚୌକା ସହାୟତାରେ ୨୫ ରନ୍ କରି ଆଉଟ୍ ହୋଇଥିଲେ। ଭାରତର ପରବର୍ତ୍ତୀ ଦୁଇଜଣ ବ୍ୟାଟସମ୍ୟାନ୍ ସହଳ ଆଉଟ୍ ହୋଇଥିଲେ। ତିଲକ ବର୍ମା ୨ ଓ ଜିତେଶ ଶର୍ମା ୫ ରନ୍ କରି ଆଉଟ ହେବା ପରେ ଶିବମ ଦୁବେ ଓ ଜୟସ୍ବାଲ୍ ନିଜ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା କରି ବ୍ୟାଟିଂ କରିବା ସହ ଦଳର ସ୍କୋରକୁ ୧୫୦ ରନ୍ରେ ପହଞ୍ଚାଇଥିଲେ। ଏହି ସ୍କୋରରେ ଜୟସ୍ବାଲ୍ ବ୍ୟକ୍ତିଗତ ଭାବେ ୪୯ଟି ବଲ୍ରୁ ୮ଟି ଚୌକା ଓ ୭ଟି ଛକା ସହାୟତାରେ ୧୦୦ ରନ୍ କରି ଆଉଟ୍ ହୋଇଥିଲେ। ଶେଷ ବେଳକୁ ରିଙ୍କୁ ସିଂହ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୫ଟି ବଲ୍ରୁ ୨ଟି ଚୌକା ଓ ୪ଟି ଛକା ସହାୟତାରେ ୩୭ ରନ୍ କରି ଅପରାଜିତ ରହିଥିଲେ। ଶିବମ୍ ଦୁବେ ୧୯ଟି ବଲ୍ରୁ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୨୫ ରନ୍ କରି ଅପରାଜିତ ରହିଥିଲେ।
ଜବାବରେ ନେପାଳ ଦଳ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୯ ରନ୍ କରି ପରାଜିତ ହୋଇଥିଲା। ନେପାଳ ତରଫରୁ ଓପନର୍ କୁଶଳ ଭୁର୍ଟେଲ୍ ୪ଟି ଚୌକା ଓ ୧ଟି ଛକା ସହାୟତାରେ ୨୮, କୁଶଳ ମାଲା ୨୨ଟି ବଲ୍ରୁ ୨ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୨୯, ଦିପେନ୍ଦ୍ର ସିଂହ ୧୫ଟି ବଲ୍ରୁ ୪ଟି ଛକା ସହାୟତାରେ ୩୨ ଓ ସନ୍ଦୀପ ଜୋରା ୧୨ଟ ବଲ୍ରୁ ୧ଟି ଚୌକା ଓ ୩ଟି ଛକା ସହାୟତାରେ ୨୯ ରନ୍ କରିଥିଲେ। ଭାରତୀୟ ବୋଲର ଆଭେସ୍ ଖାନ୍ ଓ ରବି ବିଷ୍ଣୋଇ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂହ ୨ଟି ୱିକେଟ୍ ହାସଲ କରିଥିଲେ।
ଦ୍ବିତୀୟ କ୍ବାର୍ଟର ଫାଇନାଲ ମ୍ୟାଚ୍ରେ ହଂକଂକୁ ୬୮ ରନ୍ରେ ପରାସ୍ତ କରି ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୧୬୦ ରନ୍ ସଂଗ୍ରହ କରିଥିଲା। ଦଳ ତରଫରୁ ଆମିର ଜମାନ୍ ୪ଟି ଛକା ଓ ୨ଟି ଚୌକା ସହାୟତାରେ ୪୧, ଆସିଫ ଅଲ୍ଲି ଓ ଆରାଫତ ମିନହାସ୍ ୨୫ ରନ୍ ଲେଖାଏଁ କରିଥିବା ବେଳେ ଓମାର ୟୁସୁଫ୍ ୨୧ ରନ୍ କରିଥିଲେ। ଜବାବରେ ହଂକଂ ଦଳ ୧୮.୫ ଓଭରରେ ୯୨ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଦଳ ତରଫରୁ ବାବର ହେୟତ୍ ୩ଟି ଚୌକା ଓ ୨ଟି ଛକା ସହାୟତାରେ ୨୯ ରନ୍ କରିଥିବା ବେଳେ ଅନ୍ୟ ବ୍ୟାଟସମ୍ୟାନ୍ମାନେ ଆଖିଦୃଶିଆ ପ୍ରଦଶନ କରିପାରିନଥିଲେ। ପାକିସ୍ତାନ ବୋଲର ଖୁସଦିଲ୍ ୩ଟି ୱିକେଟ୍ ହାସଲ କରିଥିଲେ।



