ନୂଆଦିଲ୍ଲୀ: ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ତୀବ୍ର ଗ୍ରୀଷ୍ମପ୍ରବାହ ଲାଗିରହିଥିବାବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଉତ୍ତର-ପୂର୍ବ ଓ କେନ୍ଦ୍ରୀୟ ଭାରତରେ ଗୁରୁବାରଠାରୁ ଗ୍ରୀଷ୍ମପ୍ରବାହ ଆହୁରି ବୃଦ୍ଧି ପାଇବ ବୋଲି ବୁଧବାର ପୂର୍ବାନୁମାନ କରିଛି। ଅପରପକ୍ଷରେ ଭାରତର ଦାକ୍ଷିଣାତ୍ୟ ପ୍ରାକ୍ ମୌସୁମ ବର୍ଷାରେ ଜଳାର୍ଣ୍ଣବ ହୋଇଛି। କେରଳରେ ମଙ୍ଗଳବାରଠାରୁ ବର୍ଷା ବିତ୍ପାତ ଲାଗିରହିଥିବାବେଳେ କର୍ଣ୍ଣାଟକରେ ମଧ୍ୟ ନାହିଁ ନ ଥିବା ବିପର୍ଯ୍ୟୟ ଘଟିଛି। କେରଳର ୪ଟି ଜିଲା ଜଳପ୍ଳାବିତ ହୋଇଛି; କିନ୍ତୁ ବିଶେଷ କ୍ଷୟକ୍ଷତିର ଖବର ମିଳି ନାହିଁ। କୋଝିକୋଡ, ୱାୟାନାଡ଼, କନ୍ନୁର ଓ କସରଗଡ଼ ଜିଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଅପରପକ୍ଷରେ ବେଙ୍ଗାଲୁରୁ ମହାନଗରୀ ବର୍ଷାଜଳରେ ଉବୁଟୁବୁ ହେଉଛି। ଗତ ୨୪ଘଣ୍ଟା ମଧ୍ୟରେ ବେଙ୍ଗାଲୁରୁରେ ପ୍ରାୟ ୧୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କାବେରୀ ପାଇପ୍ ଲାଇନ୍ କାର୍ଯ୍ୟ ଚାଲିଥିବାବେେଳ ପ୍ରବଳ ବର୍ଷା ଯୋଗୁଁ ଦୁଇ ଶ୍ରମିକ ପ୍ରାଣ ହରାଇଛନ୍ତି। କର୍ଣ୍ଣାଟକର ଉପକୂଳ ଜିଲାଗୁଡ଼ିକରେ ଗୁରୁବାରଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ଆଇଏମ୍ଡି କହିଛି। ମେ ୨୦ ପର୍ଯ୍ୟନ୍ତ ବର୍ଷ ଲାଗିରହିବ ବୋଲି ଏହା ଦର୍ଶାଇଛି। ସେହିପରି ଆସାମରେ ଦୁଇ ଦିନ ଧରି ଲାଗି ରହିଥିବା ବର୍ଷାଜନିତ
ବନ୍ୟା ଯୋଗୁଁ ୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟର ୭ ଜିଲାରେ ନାହିଁ ନ ଥିବା କ୍ଷତି ଘଟିଛି। ବନ୍ୟା ଓ ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି। ଏହି ସଂଖ୍ୟା ମଙ୍ଗଳବାର ୭ ଥିଲା। ଆସାମର ବିଭିନ୍ନ ରାଜପଥ ବନ୍ୟା ଓ ଭୂସ୍ଖଳନ ଯୋଗୁଁ କ୍ଷତିଗ୍ରସ୍ତ ହେବାରୁ ଶତାଧିକ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ପଡ଼ୋଶୀ ମିଜୋରାମ, ମଣିପୁର ଓ ତ୍ରିପୁରାରେ ମଧ୍ୟ ବର୍ଷା ଓ ବନ୍ୟା ନାହିଁ ନ ଥିବା କ୍ଷତି ଘଟାଇଛି। ଅରୁଣାଚଳ ପ୍ରଦେଶ ଓ ମେଘାଳୟରେ ମଧ୍ୟ ବର୍ଷା ଲାଗିରହିଛି। ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀବାସୀଙ୍କୁ ଗ୍ରୀଷ୍ମପ୍ରବାହରୁ ମୁକ୍ତି ପାଇବାର ଆଶା ଦେଇଛି ଆଇଏମ୍ଡି। ଏଠାରେ ଉତ୍ତାପ ୪୯ଡିଗ୍ରୀ ସେଲ୍ସିୟସ୍ ଛୁଇଁଥିଲେ ମଧ୍ୟ ଆସନ୍ତା ତିନି ଦିନ ମଧ୍ୟରେ ଏହା ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି। ବର୍ଷା ବିତ୍ପାତର ମୁକାବିଲା ପାଇଁ ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ବୁଧବାର ସମ୍ପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ରିଲିଫ କମିସନମାନଙ୍କୁ ଉଦ୍ଧାର ତଥା ସହାୟତା କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦେଶ ଦେଇଛନ୍ତି। ଏଥିସହିତ ମୌସୁମୀ ବର୍ଷା ପ୍ରତି ପ୍ରସ୍ତୁତ ରହିବାକୁ ସେ ନିର୍ଦେଶ ଦେଇଛନ୍ତି। ବିମାନବାହିନୀକୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ମଙ୍ଗଳବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମାଙ୍କ ସହ ସ୍ଥିତି ସମୀକ୍ଷା କରିଥିଲେ।



