www.samajalive.in
Monday, December 8, 2025
17.1 C
Bhubaneswar

କରୋନା ଟାର୍ଗେଟରେ ପଞ୍ଚାୟତ – ଆହୁରି ଅଢେଇ ଲକ୍ଷ ଶଯ୍ୟା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ

ସମାଜ ପୋର୍ଟାଲ ଡେସ୍କ: ମାର୍ଚ୍ଚ ୧୫ରେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜିକୁ ୪୦ ଦିନ ବିତି ସାରିଛି ଓ ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ଆଗୁଆ ପ୍ରଚେଷ୍ଟା ସ୍ୱରୂପ ୬ହଜାର ୭୯୮ଟି ପଂଚାୟତରେ ୭ହଜାର ୪୫ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ ମଧ୍ୟ ପ୍ରସ୍ତୁତ ହୋଇ ସାରିଛି ଯେଉଁଥିରେ କ୍ୱାରେଣ୍ଟାଇନ ପାଇଁ ୨ ଲକ୍ଷ ୨୨ ହଜାର ୯୬୩ଟି ଶଯ୍ୟା ଓ ସମସ୍ତ ଆନୁସଙ୍ଗିକ ବ୍ୟବସ୍ତା ରହିଛି। ତେବେ ଆଜି ଆଉ ୪୦ଦିନ ପୂର୍ବର ପରିସ୍ଥିତି ନାହିଁ। ଏହି ୪୦ ଦିନ ଭିତରେ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି ଯଦିଓ ସେମାନଙ୍କ ମଧ୍ୟରୁ ୩୨ ଜଣ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଛନ୍ତି। ତେବେ ଗତ ୩ ଦିନ ମଧ୍ୟରେ ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ନେଇ ଆଗାମୀ ଦିନ ଅର୍ଥାତ ମେ’ ୩ ଲକ ଡାଉନ ପରବର୍ତ୍ତୀ ସମୟରେ ପରିସ୍ଥିତି କଣ ହେବ ତାହା ଆକଳନ କରାଯାଇଛି।

ରାଜ୍ୟ ସୀମାରେଖା ସିଲ ଥିଲେ ମଧ୍ୟ ସୀମାବର୍ତ୍ତୀ ଗ୍ରାମ ସଂଯୋଗୀକରଣ ରାସ୍ତା ଦେଇ ପଶ୍ଚିମବଙ୍ଗରୁ କିଛି ଲୋକ ଇତିମଧ୍ୟରେ ଆସିଥିବାରୁ ଓ ସେମାନଙ୍କ ମଧ୍ୟରୁ ଅନେକ ଏହି ଭୁତାଣୁରେ ସଂକ୍ରମିତ ହୋଇଥିବାରୁ, ଲକ ଡାଉନ ପରେ ରାଜ୍ୟ ମଧ୍ୟକୁ ଲକ୍ଷାଧିକ ସଂଖ୍ୟାରେ ଛାତ୍ର, ଶ୍ରମିକ, କର୍ମଜୀବି ଓ ଅଟକି ରହିଥିବା ତୀର୍ଥ ଯାତ୍ରୀ ଆସିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଏକ ଆକଳନ ଅନୁଯାୟୀ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ ରାଜ୍ୟ ଭିତରକୁ ପ୍ରବେଶ କରିବା ସମ୍ଭାବନା ରହିଥିବାରୁ ଏତେ ଲୋକଙ୍କୁ କିପରି କ୍ୱାରେଣ୍ଟାଇନ ବ୍ୟବସ୍ଥା ଯୋଗାଇ ଦିଆଯିବ ସେ ନେଇ ପ୍ରାରମ୍ଭିକ କାର୍ଯ୍ୟ ପାଇଁ ପ୍ରସ୍ତୁତି ସ୍ୱରୂପ ରାଜ୍ୟ ସରକାରଙ୍କ ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ବିଡ଼ିଓ, ଡ଼ିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ପଞ୍ଚାୟତ ଅଧିକାରୀମାନଙ୍କ ନିକଟକୁ ପତ୍ର ଲେଖାଯାଇଛି।

- Advertisement -

ଏହି ନିର୍ଦ୍ଦେଶନାମା ଅନୁଯାୟୀ ବିଭିନ୍ନ ପଞ୍ଚାୟତ ଅଂଚଳରେ ଜନବସତି ଠାରୁ ଦୂରରେ ବା ଜନବସତି ବାହାରେ ପାଚେରୀ ଥିବା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ, କଲେଜ, ବାତ୍ୟା ଆଶ୍ରୟସ୍ଥଳୀ, କଲ୍ୟାଣ ମଣ୍ଡପ, ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟଗୁଡ଼ିକରେ ଅଧିକ ସଂଖ୍ୟାରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ (କ୍ୱାରେଣ୍ଟାଇନ କେନ୍ଦ୍ର) ସ୍ଥାପନ କରାଯିବ। ସେହି ସବୁ ଅନୁଷ୍ଠାନର କୋଠାରୀଗୁଡିକୁ ସାନିଟାଈଜ କରାଯିବା ସହ ଜଳ ଯୋଗାଣ, ଟଏଲେଟ ଓ ହାତଧୂଆ ବେସିନ ଲଗାଇବାକୁ କୁହାଯାଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଯୋଗ୍ୟ ଯେ ଇତି ମଧ୍ୟରେ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୮୩ରେ ଥିବାବେଳେ ୩୨ ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ଏଥିରେ ମୃତ୍ୟୁ ଘଟିଛି । ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ୮୦ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି। ଭଦ୍ରକ ଜିଲ୍ଲାରେ ୯ ଜଣ, ବାଲେଶ୍ୱର ଜିଲ୍ଲାରେ ୭ ଜଣ ଓ ଯାଜପୁର ଜିଲ୍ଲାରେ ୭ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସଂକ୍ରମିତଙ୍କ ତାଲିକାରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୪୬ ଜଣଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇଥିବା ବେଳେ ୨୪ ଜଣ ଚିକିତ୍ସିତ ହେଉଛନ୍ତି ଓ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଭଦ୍ରକର ୧୧, ବାଲେଶ୍ୱରର ୮, ଯାଜପୁରର ୭, ସୁନ୍ଦରଗଡ଼ର ୩, କେନ୍ଦ୍ରାପଡାର ୨, କଳାହାଣ୍ଡିର ୨, ଢେଙ୍କାନାଳ, କଟକ ଓ ପୁରୀରେ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୧, ଭଦ୍ରକରୁ ୨, ଯାଜପୁରରୁ ୧, ସୁନ୍ଦରଗଡ଼ରୁ ୨, କେନ୍ଦ୍ରାପଡାରୁ ୧, କଳାହାଣ୍ଡିରୁ ୨ ଢେଙ୍କାନାଳ, କଟକ ଓ ପୁରୀରୁ ଜଣେ ଲେଖାଏଁ ଅଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories