ଖୋର୍ଦ୍ଧା ଜିଲାରୁ ଅଷ୍ଟମ ଶତାବ୍ଦୀ ପ୍ରାଚୀନ ବୌଦ୍ଧ ମୂର୍ତ୍ତି ଉଦ୍ଧାର, ନୂଆ ଇତିହାସ ଉନ୍ମୋଚନ ସମ୍ଭାବନା

ଭୁବନେଶ୍ବର: ଖୋର୍ଦ୍ଧା ଜିଲାର ଟାଙ୍ଗୀ ବ୍ଲକସ୍ଥିତ ଲେଣ୍ଡ ଗ୍ରାମରୁ ଏକ ମୁଣ୍ଡ ବିହୀନ ବୁଦ୍ଧମୂର୍ତ୍ତି ଓ ପଥର ନିର୍ମିତ ୨ଟି ଆଙ୍କୋର ଉଦ୍ଧାର କରାଯାଇଛି। ଏହି ମୂର୍ତ୍ତି କାରୁକାର୍ଯ୍ୟ ଶୈଳୀକୁ ଅନୁଧ୍ୟାନ ପରେ ଏହା ଅଷ୍ଟମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଜଣାପଡ଼ିଛି। ସୁଶାନ୍ତ କୁମାର ବିଶ୍ବାଳଙ୍କ ସହାୟତାରେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାଚୀନ ଭାରତ ଇତିହାସ ସଂସୃତି ଏବଂ ପ୍ରତ୍ନତତ୍ତ୍ବ ବିଭାଗ ସହକାରୀ ପ୍ରଫେସର ଅନାମ ବେହରା ଓ ଗବେଷକ ଅମିତ କୁମାର ପ୍ରଧାନ ଘୋଡାପଦର ନିକଟସ୍ଥ ଭୁଜଳପଦାସ୍ତିତ ସାନସାଆନ୍ତ ପୋଖରୀ ନିକଟରୁ ଅଷ୍ଟମ ଶତାବ୍ଦୀ ପ୍ରାଚୀନ ବୌଦ୍ଧମୂର୍ତ୍ତି ଏବଂ ୨ଟି ଆଙ୍କୋର ଉଦ୍ଧାର କରିଛନ୍ତି।

ସୂଚନା ମୁତାବକ ଉକ୍ତ ମୂର୍ତ୍ତିଟି ବିଗତ ପନ୍ଦର ବର୍ଷ ପୂର୍ବେ ପୋଖରୀ ଖୋଳା ଯାଉଥିବା ସମୟରେ ବାହାରିଥିବା ଜଣାଯାଇଛି। ସେହି ଦିନ ଠାରୁ ଏହି ମୂର୍ତ୍ତିଟି ସେହି ପୋଖରୀରେ ପୋତି ହୋଇ ରହିଥିଲା। ଘୋଡାପଦର ନିକଟବର୍ତ୍ତି ସ୍ଥାନରେ ସହକାରୀ ପ୍ରଫେସର ଅନାମ ବେହେରାଙ୍କ ପକ୍ଷରୁ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ କରାଯାଉଥିବା ସମୟରେ ଉକ୍ତ ମୂର୍ତି ବିଷୟ ରେ ସୂଚନା ମିଳିଥିଲା। ଖରାଯୋଗୁ ପୋଖରୀ ଶୁଖି ଯାଇଥିଲା ଏବଂ ପୋଖରୀ ପଙ୍କରେ ପୋତି ହୋଇ ରହି ଥିବା ମୂର୍ତିଟିକୁ ଉଦ୍ଧାର କରିବା ସମ୍ଭବ ହୋଇ ଥିଲା।

ଲୋକଙ୍କ କହିବା ଅନୁସାର ରେ ଏଠାରେ ଯେଉଁ ସମୟ ରେ ପୋଖରୀ ଖୋଲାଯାଇଥିଲା ସେଥିମଧ୍ୟରୁ ଅନେକ ପଥର ନିର୍ମିତ ସାମଗ୍ରୀମାନ ବାହାରିଥିଲା। ପ୍ରାଚୀନ ପ୍ରସ୍ତରମୂର୍ତ୍ତି ଓ ଅନ୍ୟାନ୍ୟ ସାମଗ୍ରୀ ବାହାରୁ ଥିବାରୁ ଏଠାକାର ଖନନ ପ୍ରକ୍ରିୟାକୁ ଅଧାରୁ ବନ୍ଦ କରାଯାଇଥିଲା। ଏହାପରେ ଏହି ସ୍ଥାନ ବଣ ବୁଦା ଘେରାରେ ପରିଣତ ହୋଇଥିଲାଏବଂ ଏହା ଲୋକ ଲୋଚନ ଆଢୁଆଳ ରହି ଯାଇଥିଲା।

ସହକାରୀ ପ୍ରଫେସର ଅନାମ ବେହେରା କହିଛନ୍ତି ଯେ ପୋଖରୀର ପଶ୍ଚିମ ଦିଗକୁ ଲାଗି ଏକ ଉଚ୍ଚ ମାଟିକୁଦା ଦେଖିବାକୁମିଳେ। ସମ୍ଭବତଃ ଏଠାରେ ଏକ ବୌଦ୍ଧ ସ୍ଥଳୀ ଏବେବି ପୋତି ହୋଇ ରହିଥିବାର ଅନୁମାନ କରାଯାଏ। ଏହି ସ୍ଥାନର ନିକଟବର୍ତ୍ତି ଅନ୍ୟ ଏକ ପୋଖରୀରୁ ଖୋଦିତ ପଥର ଏବଂ ମୂର୍ତି ସମୂହ ବାହାରିଛି। ଏହାସହିତ ଲେଣ୍ଡ ଗ୍ରାମରେ ଲଡୁକେଶ୍ବର ମନ୍ଦିର ପ୍ରାଙ୍ଗଣରୁ ଏକ ସ୍ତୂପ ପଡ଼ିଥିବାର ଦେଖି ବାକୁ ମିଳୁଛି। ଏହି ସ୍ଥାନର ଶହେ ମିଟର ପଶ୍ଚିମ କୁ ଘୋଡାପଦର ଠାରେ ପ୍ରାଚୀନ କାଳରେ ରାଜା ମାନଙ୍କର ଘୋଡଶାଳା ଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଏହି ନୂତନ ପ୍ରତନତାତ୍ତ୍ବିକ ତଥ୍ୟ ସମୂହ ଯାହାକି ଉକ୍ତ ଅଞ୍ଚଳର ଏତିହାସିକ ଗୁରୁତ୍ବ କୁ ସମୃଦ୍ଧ କରୁଛି। କାରଣ ଉକ୍ତ ଗ୍ରାମର ପୂର୍ବ ଭାଗରେ ଅବସ୍ଥିତ ଦୟା ନଦୀ ଅବବାହିକାରେ ଅନେକ ତାମ୍ର ପ୍ରସ୍ତର ବସତି, ଗୋଳବାଈ, କାଞ୍ଚିଲା ପାଣିଛତର ଅସୁରଡିହ ସହିତ ମୌର୍ଯ୍ୟ ଯୁଗର ଇତିହାସକୁ ବହନ କରୁଥିବା ତଳପଡା ସମୂହକୁ ମିଶାଇ ଓଡ଼ିଶାର ପ୍ରତ୍ନତାତ୍ତ୍ବିକ ବିଭବକୁ ସମୃଦ୍ଧ କରିଛି। ଫଳରେ ଏହା ଓଡ଼ିଶା ଇତିହାସର ନୂତନ ଦିଗନ୍ତ ଉନ୍ମୋଚନ ଦିଗରେ ଅନେକ ତଥ୍ୟ ଉନ୍ମୋଚନ କରିବାରେ ସହାୟକ ହେବ। ତେଣୁ ଏହି ଅଞ୍ଚଳରେ ଅଧିକ ପ୍ରତ୍ନତାତ୍ତ୍ବିକ ଗବେଷଣା କରିବା ଉଚିତ ବୋଲି ସହକାରୀ ପ୍ରଫେସର ଅନାମବେହେରା ପ୍ରକାଶ କରିଛନ୍ତି।

Comments are closed.