www.samajalive.in
Monday, December 8, 2025
27.1 C
Bhubaneswar

ଧାରା ୭୫ର ସଂଶୋଧନ

ରାଜନୀତି ଓ ଶାସନ ପରିଚାଳନା ବ୍ୟବସ୍ଥାରେ ସ୍ବଚ୍ଛତା, ନିରପେକ୍ଷତା ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଜରୁରୀ। ଏହି କ୍ରମରେ ଦାଗୀ ନେତାଙ୍କୁ ଶାସନ କ୍ଷମତାରୁ ଦୂରେଇ ରଖିବା ଲାଗି କେନ୍ଦ୍ର ସରକାର ବୁଧବାର ଲୋକସଭାରେ ସମ୍ବିଧାନ ସଂଶୋଧନ ବିଧେୟକ ୨୦୨୫ ଆଗତ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଲ୍‌କୁ ଆଗତ କରିବା କ୍ଷଣି ବିରୋଧୀ ଦଳ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏପରି କି ବିରୋଧୀ କିଛି ସାଂସଦ ଚିଠା ବିଧେୟକକୁ ଚିରି ସିଧାସଳଖ ଗୃହମନ୍ତ୍ରୀଙ୍କ ଉପରକୁ ଫିଙ୍ଗିଥିଲେ। ବିଧେୟକ ପ୍ରତ୍ୟାହାର ଦାବି କରିଛନ୍ତି କଂଗ୍ରେସ ସମେତ ଅନେକ ବିରୋଧୀ ଦଳ। ଶେଷରେ ଏହାକୁ ଯୁଗ୍ମ ସଂସଦୀୟ ସମିତି(ଜେପିସି)କୁ ଅଧିକ ବିଚାର ବିମର୍ଶ ଲାଗି ପଠାଇବାକୁ ଆପତତଃ ସ୍ଥିର ହୋଇଛି। ଏହା ୧୩୦ ତମ ସମ୍ବିଧାନ ସଂଶୋଧନ ବିଧେୟକ। ନୂତନ ଚିଠା ବିଧେୟକରେ ଥିବା ବ୍ୟବସ୍ଥା ଅନୁଯାୟୀ, ଜେଲରେ ରହି ଏଣିକି ଆଉ ସରକାର ବା ଶାସନ କରି ପାରିବେ ନାହିଁ। ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ। ଦାଗୀ ମନ୍ତ୍ରୀଙ୍କୁ ପ୍ରସ୍ଥାନ ଦ୍ବାର ଦେଖାଇ ଦିଆଯିବ। କୌଣସି ଗୁରୁତର ଆପରାଧିକ ମାମଲାରେ ଜଣେ ଯଦି ୩୦ ଦିନ ଜେଲରେ ରହନ୍ତି ଓ ୫ ବର୍ଷରୁ ତଦୂର୍ଦ୍ଧ୍ବ ଜେଲଦଣ୍ଡାଦେଶ ବ୍ୟବସ୍ଥା ଥାଏ, ତେବେ ସଂପୃକ୍ତ ମନ୍ତ୍ରୀଙ୍କୁ ୩୧ ଦିନରେ ହିଁ ସ୍ବତଃ ପଦ ହରାଇବାକୁ ପଡିବ। ସଂପ୍ରତି ନେତା ତଥା ମନ୍ତ୍ରୀଙ୍କୁ ପଦରୁ ବହିଷ୍କାର କରିବା ଲାଗି ପ୍ରଚଳିତ ସମ୍ବିଧାନରେ କୌଣସି ବ୍ୟବସ୍ଥା ନାହିଁ। ଏବେ ଗୁରୁତର ମାମଲା ରହିଥିଲେ ବି ନେତାମାନେ ଶାସନ କ୍ଷମତାରେ ରହୁଛନ୍ତି। ଏପରି କି ଜେଲରେ ମାସାଧିକକାଳ ରହିବା ପରେ ମଧ୍ୟ ଜାମିନରେ ଆସି ପୁନର୍ବାର କ୍ଷମତାରେ ରହୁଛନ୍ତି; କିନ୍ତୁ ନୂଆ ବିଧେୟକରେ ଏଭଳି ଗୁରୁତର ଅପରାଧରେ ଅଭିଯୁକ୍ତ ଦାଗୀ ନେତାଙ୍କୁ ପଦରୁ ହଟାଇବା ପ୍ରସ୍ତାବ ରଖାଯାଇଛି। ଏଥିପାଇଁ ସମ୍ବିଧାନର ଧାରା ୭୫ରେ ସଂଶୋଧନ ଜରୁରୀ ହୋଇଛି।
ବିରୋଧୀ ଦଳ ଆଶଙ୍କା କରୁଛନ୍ତି, ସରକାର ଏଭଳି ବିଧେୟକକୁ ଆଇନର ପୋଷାକ ପିନ୍ଧାଇ ବିରୋଧୀଙ୍କୁ ନିଶାଣ କରିବେ। ମିଛ ମାମଲାରେ ଜେଲ ପଠାଇ କ୍ଷମତାଚ୍ୟୁତ କରିବେ। ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଭଳି ପ୍ରମୁଖ ତଦନ୍ତକାରୀ ସଂସ୍ଥା ଏହା ଦ୍ବାରା ଅଧିକ ଦୁରୁପଯୋଗ ହେବାର ଆଶଙ୍କା ରହୁଛି। ବିରୋଧୀଙ୍କ ଉଦ୍‌ବେଗ ମଧ୍ୟ ଅମୂଳକ ହୋଇ ନ ପାରେ। ମାତ୍ର ଏହାର ସମାଧାନ ଲାଗି ଚିଠା ବିଧେୟକରେ ଆବଶ୍ୟକ ସଂଶୋଧନ କରିବାର ସୁଯୋଗ ମଧ୍ୟ ରହିଛି। ବିଧେୟକକୁ ଜେପିସିକୁ ପଠାଇ ଯେଉଁ ଯେଉଁ ପ୍ରସଙ୍ଗରେ ବିସଙ୍ଗତି କିମ୍ବା ଦୁରୁପଯୋଗ ଆଶଙ୍କା ରହିଛି, ସେଥିରେ ସଂଶୋଧନ ତଥା ସୁଧାର ଆଣିବାକୁ ବିରୋଧୀ ମିଳିତ ଉଦ୍ୟମ କରିବା ଉଚିତ। ଶାସକ ଦଳ ମଧ୍ୟ ଏନେଇ ବିରୋଧୀଙ୍କୁ ବୁଝାଇବା ଦରକାର। ଏହା ନକରି ଘରେ ପଶୁ ପଶୁ ମୁଣ୍ଡରେ ଚାଳ ବାଜିବା ଭଳି ହଠାତ୍ ବିରୋଧୀ ଦଳ ଶାସକର ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ଅଭିଯୋଗ କରିବା ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଠିକ୍ ନୁହେଁ।
ଶାସକ ଦଳର ଯୁକ୍ତି ହେଉଛି, ବିଧେୟକରେ କୌଣସି ସମସ୍ୟା ନାହିଁ। ଯିଏ ଅପରାଧୀ କିମ୍ବା ଦୁର୍ନୀତିଗ୍ରସ୍ତ ସେମାନେ ଏହାକୁ ନେଇ ଡରିବେ। ନିକଟରେ କିଛି ଘଟଣାକୁ ଦେଖିଲେ ଏହି ବିଧେୟକ ଆଗତ ପଛରେ ଶାସନ କ୍ଷେତ୍ରର ଆବଶ୍ୟକତା ଓ ବିରୋଧୀଙ୍କ ଆଶଙ୍କାକୁ ପ୍ରତିଫଳିତ କରୁଛି। ୨୦୦୩ ମସିହାରେ ତାମିଲନାଡୁର ଡିଏମ୍‌କେ ସରକାରରେ ମନ୍ତ୍ରୀ ଥିବା ବି. ସେନ୍ଥିନୀଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ମାମଲା ରୁଜୁ ହୋଇଥିଲା। ସେ ଗିରଫ ହୋଇ ଜେଲ ଯାଇଥିଲେ। ପରେ ରାଜ୍ୟପାଳ ସେନ୍ଥିନିଙ୍କୁ ମନ୍ତ୍ରିପଦରୁ ବିଦା କରିଥିଲେ। ମାତ୍ର ସୁପ୍ରିମକୋର୍ଟରୁ ଜାମିନରେ ଆସିବା ପରେ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍‌ ତାଙ୍କୁ ପୁଣି ମନ୍ତ୍ରିମଣ୍ଡଳରେ ନେଇଥିଲେ। ଅନୁରୂପ ଭାବେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ମଧ୍ୟ ଦୁର୍ନୀତି ଅଭିଯୋଗରେ ଜେଲ ଯାଇଥିଲେ। ମାତ୍ର ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ ମଧ୍ୟ ଜାମିନରେ ଆସି ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସବୁଠୁ ବିବାଦୀୟ ଥିଲା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘଟଣା। ମଦ ଦୁର୍ନୀତି ମାମଲାରେ ତାଙ୍କ ମନ୍ତ୍ରିମଣ୍ଡଳର ଏକାଧିକ ସଦସ୍ୟ ଜେଲ ଯିବାରୁ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ। ମାତ୍ର କେଜରିୱାଲ ଜେଲ ଯିବାର ଦୁଇ ସପ୍ତାହ ପରେ ବି ମୁଖ୍ୟମନ୍ତ୍ରୀ ପଦ ଛାଡି ନଥିଲେ। କାରଣ ସମ୍ବିଧାନରେ ଏଭଳି କୌଣସି ବ୍ୟବସ୍ଥା ନଥିବାରୁ ତାଙ୍କୁ ହଟାଇବା ସମ୍ଭବ ହୋଇ ନଥିଲା। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଶେଷରେ ବାଧ୍ୟହୋଇ ମନ୍ତ୍ରିମଣ୍ଡଳର ଅନ୍ୟତମ ସହଯୋଗୀ ଅାତିଶୀ ମର୍ଲେନାଙ୍କୁ ସେ ଦାୟିତ୍ବ ହସ୍ତାନ୍ତର କରିଥିଲେ। ବିହାର ମୁଖ୍ୟମନ୍ତ୍ରୀ ଥିବାବେଳେ ଗୋଖାଦ୍ୟ ଦୁର୍ନୀତିରେ ଲାଲୁ ଜେଲ ଯିବା ପୂର୍ବରୁ ପତ୍ନୀ ରାବଡି ଦେବୀଙ୍କୁ ରାତାରାତି ମୁଖ୍ୟମନ୍ତ୍ରୀ କରାଇବା କିଛି କମ୍‌ ରୋଚକ ଘଟଣା ନଥିଲା! ତେବେ ସବୁ ଦଳରେ ଏଭଳି ନେତାଙ୍କ ସଂଖ୍ୟା ଭାରତୀୟ ରାଜନୀତିରେ କିଛି କମ୍‌ ନୁହେଁ। ମାତ୍ର ଦାଗୀଙ୍କୁ ସୁଯୋଗ ମଧ୍ୟ ଗ୍ରହଣୀୟ ନୁହେଁ। ଅଦାଲତରେ ଦଣ୍ଡିତ ନହେବା ପର୍ଯ୍ୟନ୍ତ କାହାରିକୁ ଦୋଷୀ କୁହାଯାଇପାରିବ ନାହିଁ ସତ; ମାତ୍ର ଦୁର୍ନୀତି ବା ଗୁରୁତର ଅପରାଧରେ ଅଭିଯୁକ୍ତ ବ୍ୟକ୍ତି ମଧ୍ୟ ଶାସନ କ୍ଷମତାରେ ରହିବା ଅନୁଚିତ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories