କ୍ୱାଣ୍ଟମ୍ ତତ୍ତ୍ୱର ଶତବାର୍ଷିକୀ ଏହି ବର୍ଷ ପୃଥିବୀ ସାରା ପାଳନ କରାହେଉଛି। ଏହା କେବଳ ଏକ ବୈଜ୍ଞାନିକ ମାଇଲ ଖୁଣ୍ଟକୁ ପାଳନ କରିବାକୁ ନୁହେଁ, ବରଂ ବାସ୍ତବତାର ପ୍ରକୃତି ବିଷୟରେ ଚିନ୍ତନ କରିବାକୁ ଆମକୁ ଆମନ୍ତ୍ରଣ କରୁଛି। ବିଂଶ ଶତାବ୍ଦୀର ପ୍ରାରମ୍ଭିକ ଭାଗରେ ଜନ୍ମିତ କ୍ୱାଣ୍ଟମ୍ ତତ୍ତ୍ୱ କେବଳ ଆମର ସମୀକରଣଗୁଡ଼ିକୁ ସଂଶୋଧନ କରିନଥିଲା, ଏହା ଆମର ଅସ୍ତିତ୍ୱଗତ ଦୃଷ୍ଟିକୋଣକୁ ପୁନଃପରିଭାଷିତ କରିଥିଲା। ଏହା ଆଧୁନିକ ଜୀବନର ଡିଜିଟାଲ୍ ସ୍ପନ୍ଦନ ପଛରେ ଥିବା ଏକ ଅଦୃଶ୍ୟ ସ୍ଥପତି। ଆମର ପ୍ରଯୁକ୍ତିବିଦ୍ୟା, ଜୀବନ ବିଷୟରେ ଆମର ବୁଝାମଣା, ସ୍ୱାସ୍ଥ୍ୟ ଏବଂ ଅସ୍ତିତ୍ୱ ବିଷୟରେ ଆମର ଧାରଣାକୁ ଆକାର ଦେଉଥିବା ଏକ ନୀରବ ଶକ୍ତି। ଏହା ଦ୍ୱିତୀୟ କ୍ୱାଣ୍ଟମ୍ ବିପ୍ଳବର ମଧ୍ୟ ଆରମ୍ଭ। ବିଶ୍ୱ ଏହି ବର୍ଷକୁ କ୍ୱାଣ୍ଟମ୍ ବର୍ଷ (ଆଇ.ୱାଇ.କ୍ୟୁ) ଭାବରେ ପାଳନ କରୁଛି।
କ୍ୱାଣ୍ଟମ୍ ତତ୍ତ୍ୱର ଅନିଶ୍ଚିତତା ନୀତି ନିଶ୍ଚିତତାର ସିଦ୍ଧାନ୍ତ ନୁହେଁ – ଏହା ବିରୋଧାଭାସର ଏକ ନୃତ୍ୟ। ଉଦାହରଣ ସ୍ୱରୂପ, ଅନିଶ୍ଚିତତା ନୀତି ଆମକୁ ମନେ ପକାଇ ଦିଏ ଯେ ସଠିକତା ସମ୍ପୂର୍ଣ୍ଣ ନୁହେଁ। ଦୃଷ୍ଟାନ୍ତରେ, ଏକ କଣିକାର ସ୍ଥିତି ଜାଣିବା ଏହାର ଗତି ଉପରେ ସ୍ପଷ୍ଟତା ତ୍ୟାଗ କରିବା ଅଟେ। ଏହାର ବିପରୀତ, ଅର୍ଥାତ୍ ଗତି ବିଷୟରେ ଜାଣିବା ଏହାର ସ୍ଥିରତାକୁ ଅସ୍ପଷ୍ଟତା କରିବା, ମଧ୍ୟ ଅଟେ। ଏହା ମାପରେ କୌଣସି ତ୍ରୁଟି ନୁହେଁ, ବରଂ ଏକ ମୌଳିକ ସତ୍ୟ। ବାସ୍ତବତାକୁ ସମ୍ପୂର୍ଣ୍ଣ ଭାବରେ ଜାଣିବା ସମ୍ଭବ ନୁହେଁ। ଏହାର ଅର୍ଥ ହେଉଛି ବ୍ରହ୍ମାଣ୍ଡ ନିଜ ରହସ୍ୟ ଉପରେ ଜିଦ୍ ଧରିଥାଏ। ଏକାଥରେ କେବଳ ଆଂଶିକ ଭାବରେ ସ୍ପଷ୍ଟତା ପ୍ରଦାନ କରେ, କେବେ ବି ସମ୍ପୂର୍ଣ୍ଣ ଭାବରେ ନୁହେଁ।
ଏକ ନୂତନ କ୍ୱାଣ୍ଟମ୍ କ୍ଷେତ୍ର ଆକୃତି ପାଉଛି, ଯେଉଁଠାରେ ଦୁଇଟି କ୍ୱାଣ୍ଟମ୍ ଧାରଣା, ସୁପରପୋଜିସନ୍ ଏବଂ ଏନଟାଙ୍ଗଲମେଣ୍ଟ, ଗଭୀର ସତ୍ୟର ରୂପକ ଭାବରେ ଉଭା ହେଉଛି। ଏକ କ୍ୟୁବିଟ୍, ଏକ ଶାସ୍ତ୍ରୀୟ ବିଟ୍ ପରି ନୁହେଁ। ଏହା ଏକ ଦ୍ୱୈତ, ଶୂନ୍ୟ ଏବଂ ଏକର ଏକାସଙ୍ଗରେ ବିଦ୍ୟମାନର, ଅବସ୍ଥା। ଏହାକୁ ସୁପରପୋଜିସନ୍ କୁହାଯାଏ। ଉଦାହରଣରେ, ଏହାକୁ ମଝି ଆକାଶରେ ଝୁଲୁଥିବା ଏକ ମୁଦ୍ରା ଭାବରେ କଳ୍ପନା କରାଯାଇପାରେ, ମୁଣ୍ଡ କିମ୍ବା ଲାଞ୍ଜ ନୁହେଁ, ବରଂ ଉଭୟର ସମ୍ଭାବନା; କିନ୍ତୁ ଯେତେବେଳେ ଏହା ଭୂମିରେ ପଡ଼େ, ଆମେ ଏହାର ଏକ ଅଂଶ ଦେଖିଥାଉ, ଏବଂ ଅନ୍ୟ ଅଂଶଟି ଲୁଚି ରହିଥାଏ। ଯେତେବେଳେ ଆମେ ଏହାକୁ ପୁଣି ଥରେ ଫିଙ୍ଗିଥାଉ, ଆମେ ଏକ ଭିନ୍ନ ଚିତ୍ର ଦେଖିପାରୁ!
ଏନଟାଙ୍ଗଲମେଣ୍ଟ ଅର୍ଥାତ୍ ଜଡ଼ିତତା ମଧ୍ୟ ଶାସ୍ତ୍ରୀୟ ଅନ୍ତର୍ଜ୍ଞାନର ପରିଧିର ବାହାରେ। ଦୁଇଟି କଣିକା, ଥରେ ସଂଯୋଗ ହୋଇଗଲେ, ବିସ୍ତୃତ ଦୂରତା ପର୍ଯ୍ୟନ୍ତ ରହସ୍ୟମୟ ଭାବରେ ସଂଯୁକ୍ତ ହୋଇ ରହିଥାଏ। ଗୋଟିଏରେ ପରିବର୍ତ୍ତନ ଅନ୍ୟ କଣିକାରେ ପ୍ରତିଫଳିତ ହୁଏ, କୌଣସି ସଙ୍କେତ କିମ୍ବା ବଳ ବିନା। ଆଇନଷ୍ଟାଇନ୍ ଏହାକୁ ଦୂରତାରେ ଘଟୁଥିବା ଗୋଟିଏ ବିଚିତ୍ର ଘଟଣା ବୋଲି ଆକ୍ଷେପ କରିଥିଲେ। ବୋଧହୁଏ, ଏହା ବିଚିତ୍ର ଅପେକ୍ଷା ଅଧିକ ସୂକ୍ଷ୍ମ। ଏହାର ଦାର୍ଶନିକ ପରିଭାଷା ହେଲା ଦୂରତା ଏକ ଭ୍ରମ ଏବଂ ବାସ୍ତବତା ଏକତାର ବିଭିନ୍ନ ସୂତ୍ରର ଏକ ଅଦୃଶ୍ୟ ସୂକ୍ଷ୍ମ ମାଳା। ଶାସ୍ତ୍ରୀୟ ପଦାର୍ଥ ବିଜ୍ଞାନରେ, ବସ୍ତୁଗୁଡ଼ିକର ଗୁଣ ପର୍ଯ୍ୟବେକ୍ଷଣ ବିନା ମଧ୍ୟ ନିର୍ଦ୍ଧାରିତ ହୋଇପାରେ; କିନ୍ତୁ କ୍ୱାଣ୍ଟମ୍ ମେକାନିକ୍ସରେ ପର୍ଯ୍ୟବେକ୍ଷଣ ବାସ୍ତବତାକୁ ଆକାର ଦିଏ। ପର୍ଯ୍ୟବେକ୍ଷଣ ପ୍ରକ୍ରିୟା ନିଷ୍କ୍ରିୟ ନୁହେଁ ; ଏହା ବାସ୍ତବତା ସହ ଜଡିତ।
ଏହି ରହସ୍ୟ ଭାରତୀୟ ଦର୍ଶନ ପାଇଁ ଅପରିଚିତ ନୁହେଁ। ଭଗବଦ୍ ଗୀତାରେ, କୃଷ୍ଣ କହିଛନ୍ତି ଜ୍ଞାନ କାମନା ଦ୍ୱାରା ଆଚ୍ଛାଦିତ। ଏହି କାମନା ଏକ ତାମସିକ ପ୍ରଭାବ। ଯେପରି ଅଗ୍ନି ଧୂଆଁ ଦ୍ୱାରା ଆଚ୍ଛାଦିତ ହୁଏ, ସେହିପରି ସତ୍ୟ ମନର କୁହୁଡ଼ି ଦ୍ୱାରା ଲୁଚି ରହିଥାଏ; କିନ୍ତୁ ଶୃଙ୍ଖଳା, ଧ୍ୟାନ ଏବଂ ଆଭ୍ୟନ୍ତରୀଣ ସ୍ପଷ୍ଟତା ଦ୍ୱାରା ଜ୍ଞାନ ଦୃଶ୍ୟମାନ ହୁଏ। ସାଧାରଣତଃ ମନେ ହୁଏ, କ୍ୱାଣ୍ଟମ ଜଗତ ଆଧ୍ୟାତ୍ମିକ ଜଗତ ସଦୃଶ ବିରୋଧାଭାସ ଏବଂ ଅସ୍ପଷ୍ଟତାର ଦାସ; କିନ୍ତୁ କ୍ୱାଣ୍ଟମ ଜଗତରେ ତତ୍ତ୍ୱ ଏବଂ ପରୀକ୍ଷା-ନିରୀକ୍ଷା ଦ୍ୱାରା ଜ୍ଞାନ ଅନେକାଂଶରେ ଆବରଣ ମୁକ୍ତ ହୋଇଥାଏ। ସେହିପରି ଆଧ୍ୟାତ୍ମିକ ଜଗତରେ ସତ୍ୟ ସାଧନା ଏବଂ ଅଭିଜ୍ଞତା ଦ୍ୱାରା ଅନାବରଣ ହୁଏ। ଅଭିଜ୍ଞତା ଏକପ୍ରକାର ପରୀକ୍ଷା-ନିରୀକ୍ଷା ଅଟେ। ଏହା କ୍ୱାଣ୍ଟମ ଜଗତ ଏବଂ ଆଧ୍ୟତ୍ମିକ ଜଗତ ମଧ୍ୟରେ ଏକ ସାମାନ୍ୟ ସଦୃଶତା ଦର୍ଶାଏ, ଯଦିଓ ଗୂଢ ଭାବରେ ଏହି ଦୁଇ ଜଗତ ପରସ୍ପର ଠାରୁ ଅନେକ ଭିନ୍ନ।
କ’ଣ ଜଡିତତା ଆଲୋକର ଗତିକୁ ବିରୋଧ କରେ? ନା। ଏହା ଆଲୋକ ଅପେକ୍ଷା ଦ୍ରୁତ ଗତିରେ ସୂଚନା ପ୍ରସାରଣ କରେ ନାହିଁ; କିନ୍ତୁ ଏହା ସ୍ଥାନୀୟତା ଏବଂ ବାସ୍ତବତା ବିଷୟରେ ଆମର ଧାରଣାକୁ ଚାଲେଞ୍ଜ କରେ। ବେଲ୍ଙ୍କ ଉପପାଦ୍ୟ ପ୍ରକାଶ କରେ ଯେ ସ୍ଥାନୀୟ ଲୁକ୍କାୟିତ ଚଳକ ଉପରେ ଆଧାରିତ କୌଣସି ତତ୍ତ୍ୱ କ୍ୱାଣ୍ଟମ୍ ସହସଂଯୋଗ ବୁଝାଇ ପାରିବ ନାହିଁ। ବାସ୍ତବତା, ବୋଧହୁଏ, ଅଣସ୍ଥାନୀୟ – ସ୍ଥାନ ଏବଂ ସମୟକୁ ଅତିକ୍ରମ କରୁଥିବା ଆନ୍ତଃସଂଯୋଗର ଏକ ଜାଲ।
କ୍ୱାଣ୍ଟମ୍ ତତ୍ତ୍ୱ କେବଳ ଏକ ବୈଜ୍ଞାନିକ ଢାଞ୍ଚା ନୁହେଁ – ଏହା ଏକ ଦାର୍ଶନିକ ନିମନ୍ତ୍ରଣ। ଏହା ଆମକୁ ଶିକ୍ଷା ଦିଏ ଯେ ବାସ୍ତବତା ସ୍ଥିର ନୁହେଁ, ଜ୍ଞାନର କୌଣସି ଶେଷ ସୀମା ନାହିଁ ଏବଂ ରହସ୍ୟ ଏକ ତ୍ରୁଟି ନୁହେଁ ବରଂ ଅସ୍ତିତ୍ୱର ଏକ ବୈଶିଷ୍ଟ୍ୟ। କ୍ୱାଣ୍ଟମ୍ ଜଗତ ବିକଶିତ ହେଉଛି ଏବଂ ଏଥି ସହିତ ଆମର ବୁଝିବାର ଆବଶ୍ୟକତା ମଧ୍ୟ। ଏହାକୁ ସମ୍ପୂର୍ଣ୍ଣ ଭାବରେ ବୁଝିବା ପାଇଁ ଆମକୁ ଏହାର ଆଶ୍ଚର୍ଯ୍ୟରେ ରହିବାକୁ ପଡ଼ିବ। ଏହି ଆଶ୍ଚର୍ଯ୍ୟକୁ ଖୋଳତାଡ଼ କରି ସତ୍ୟର ସୌନ୍ଦର୍ଯ୍ୟକୁ ଉଦ୍ଭାସିତ କରିବାକୁ ହେବ। ଜୀବନ ବିଭିନ୍ନ ରଙ୍ଗରେ ରଙ୍ଗାୟିତ। ଆମେ ଏହାର ଆଶ୍ଚର୍ଯ୍ୟର ଗନ୍ତାଗର ଦ୍ୱାରା ମୁଗ୍ଧ, ଏହାର ଆହ୍ୱାନଗୁଡ଼ିକରେ ବିସ୍ମିତ ଏବଂ ଏହାର ରହସ୍ୟଗୁଡ଼ିକରେ ସ୍ତବ୍ଧ। ତଥାପି, ଏକ ସାତ୍ତ୍ୱିକ ପଥ ଆମକୁ ଠିକ୍ ଭାବରେ ଆଗେଇ ନେଇଥାଏ ଏବଂ ଆମେ ସତ୍ୟକୁ, ଆଂଶିକ ଭାବରେ ହେଲେ ମଧ୍ୟ, ଦେଖିଲେ ଆନନ୍ଦିତ ହେଉ ଏବଂ ସନ୍ଧାନ ସେଠାରେ ବନ୍ଦ ହୁଏ ନାହିଁ, ଜାରି ରହେ। କ୍ୱାଣ୍ଟମ ତତ୍ତ୍ୱ ଏବଂ ଦର୍ଶନ ଏହା ହିଁ ଘୋଷଣା କରନ୍ତି।
ଲେଖକ ପ୍ରାକ୍ତନ ପଦାର୍ଥ ବିଜ୍ଞାନ ପ୍ରଫେସର,
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ



