www.samajalive.in
Monday, December 8, 2025
14.1 C
Bhubaneswar

ଭାରତ-ଚୀନ୍‍ ବିବାଦ ପରେ ବିସିସିଆଇର ଘୋଷଣା ; ଭିଭୋ ଆଇପିଏଲ୍‍ର ପ୍ରାୟୋଜକ ରହିବା ନିଷ୍ପତ୍ତିର ପୁନର୍ବିଚାର ହେବ

ମୁମ୍ବଇ : ଚଳିତ ସପ୍ତାହରେ ଗଲ୍‍ୱାନ ଉପତ୍ୟକାରେ ଭାରତ-ଚୀନ୍‍ ସୀମାରେ ଉଭୟ ଦେଶର ସେନା ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା; ଯାହା ପରେ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଥିଲା। ଏହି ସଂଘର୍ଷରେ ଚୀନ୍‍ ସେନା ୨୦ ଜଣ ଭାରତୀୟ ଯବାନଙ୍କୁ ହତ୍ୟା କରିଥିଲା। ୪ ଦଶନ୍ଧି ପରେ ଏହା ଭାରତ ଓ ଚୀନ୍‍ ମଧ୍ୟରେ ସୀମା ବିବାଦ। ଏପରି ଘଟଣା ପରେ ସାରାଦେଶରେ ଏବେ ଚୀନ୍‍ ବିରୋଧୀ ମନୋଭାବ ବୃଦ୍ଧି ପାଇବାରେ ଲାଗିଛି। ୨୦ ଜଣ ସୈନିକଙ୍କୁ ହରାଇଥିବା ଭାରତୀୟଙ୍କ ଆକ୍ରୋଶ ଏପରି ସ୍ତରରେ ପହଞ୍ଚିଛି ଯେ ସେମାନେ ଭାରତରେ ଚୀନ୍‍ ସାମଗ୍ରୀ ବର୍ଜନ ପାଇଁ ଦାବି କରିଛନ୍ତି। କିଛି ସଂଗଠନ, ବ୍ୟକ୍ତିବିଶେଷ ଓ ରାଜନୈତିକ ଦଳ ଭାରତରେ ଚୀନ୍‍ ନିର୍ମିତ ସାମଗ୍ରୀର ବିକ୍ରି ଉପରେ କଟକଣା ଲଗାଇବାକୁ ଦୃଢ଼ ଦାବି କରିଛନ୍ତି।

ବିଶ୍ୱର ସବୁଠାରୁ ଧନଶାଳୀ ଓ ପେସାଦାର କ୍ରିକେଟ୍‍ ଲିଗ୍‍ ଆଇପିଏଲ୍‍ର ପ୍ରାୟୋଜକ ରହିଛି ଚୀନ୍‍ର ଅଗ୍ରଣୀ ମୋବାଇଲ୍‍ ଫୋନ୍‍ ନିର୍ମାତା କମ୍ପାନୀ ଭିଭୋ। ଏହା ଆଇପିଏଲ୍‍ର ଟାଇଟଲ ପ୍ରାୟୋଜକ ଥିବାରୁ ଟୁର୍ଣ୍ଣାମେଣ୍ଟକୁ ଭିଭୋ ଆଇପିଏଲ୍‍ ବୋଲି କୁହା ଯାଇଥାଏ। ସାରାଦେଶରେ ଚୀନ୍‍ ବିରୋଧୀ ମନୋଭାବ ତୀବ୍ର ହେବାରେ ଲାଗିଥିବା ବେଳେ ଭିଭୋକୁ ଆଇପିଏଲ୍‍ର ପ୍ରାୟୋଜକ ରଖିବା ନିଷ୍ପତ୍ତିର ପୁନର୍ବିଚାର କରିବ ବୋଲି ଏହାର ଆୟୋଜକ ବିସିସିଆଇ କହିଛି। ବିସିସିଆଇର ଆଇପିଏଲ୍‍ ଟ୍ୱିଟର ପୃଷ୍ଠାରେ ଶନିବାର ଭାରତୀୟ ବୋର୍ଡ ଲେଖିଛି- ଭାରତ ଓ ଚୀନ୍‍ ମଧ୍ୟରେ ସୀମା ବିବାଦ; ଯେଉଁଥିରେ ଆମର ବୀର ଯବାନ୍‍ମାନେ ସହିଦ୍‍ ହୋଇଥିଲେ; ଏହାକୁ ଦୃଷ୍ଟିରେ ରଖି ଆଇପିଏଲ୍‍ର ବିଭିନ୍ନ ପ୍ରାୟୋଜକ ଚୁକ୍ତିର ପୁନର୍ବିଚାର କରିବ ବିସିସିଆଇ। ଏଥିପାଇଁ ଆସନ୍ତା ସପ୍ତାହରେ ଆଇପିଏଲ୍‍ ପରିଚାଳନା ପରିଷଦ (ଗଭର୍ଣ୍ଣିଂ କାଉନ୍‍ସିଲ୍‍)ର ବୈଠକ ଡକାଯାଇଛି। ଏଥିରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସୂଚନାଯୋଗ୍ୟ; ଆଇପିଏଲ୍‍ର ଟାଇଟଲ ପ୍ରାୟୋଜକ ହେବା ପାଇଁ ବିସିସିଆଇ ସହ ଭିଭୋ ୨୦୧୮ରୁ ୨୦୨୨ ପର୍ୟ୍ୟନ୍ତ ୫ ବର୍ଷ ଲାଗି ଚୁକ୍ତିକରିଛି। ଏହି ଚୁକ୍ତି ଅନୁସାରେ ବିସିସିଆଇକୁ ଭିଭୋ ବାର୍ଷିକ ୪୪୦ କୋଟି ଟଙ୍କା ପ୍ରଦାନ କରୁଛି। ଶନିବାର ଆଇପିଏଲ୍‍ ପକ୍ଷରୁ ପ୍ରାୟୋଜକ ଚୁକ୍ତିର ପୁନର୍ବିଚାର କରାଯିବ ବୋଲି କୁହା ଯାଇଥିବା ବେଳେ ଶୁକ୍ରବାର ଅବଶ୍ୟ ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଭିନ୍ନ କଥା କହିଥିଲେ। ଧୁମଲ କହିଥିଲେ, ଆସନ୍ତାବର୍ଷ ପାଇଁ ବିସିସିଆଇ ତା’ର ପ୍ରାୟୋଜକ ନୀତିର ପୁନର୍ବିଚାର କରିବାକୁ ପ୍ରସ୍ତୁତ। ତେବେ ଭିଭୋ ସହ ପ୍ରାୟୋଜକ ଚୁକ୍ତିର ଅନ୍ତଃ ଘଟାଇବାର ସେପରି କିଛି ଯୋଜନା ନାହିଁ। କାରଣ ଭିଭୋ କମ୍ପାନୀ ଦେଉଥିବା ଅର୍ଥ ଭାରତର କାମରେ ଆସୁଛି; ଚୀନ୍‍ର ନୁହେଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories