୩୮ ବର୍ଷରେ ଏସିଆ କପ୍ କ୍ରିକେଟ୍ : ଭାରତ ସର୍ବାଧିକ ୭ ଥର ବିଜେତା
ନୂଆଦିଲ୍ଲୀ : କ୍ରିକେଟ୍ ଦୁନିଆରେ ଏସିଆ କପ୍ ଅନ୍ୟତମ ବଡ଼ ପ୍ରତିଯୋଗିତା। ଏସିଆର ଶ୍ରେଷ୍ଠ ଦଳଙ୍କ ମଧ୍ୟରେ ଏହି ମୁକାବିଲା ଖେଳାଯାଏ । ୩୮ ବର୍ଷ ତଳେ ଶାରଜାରେ ଏସିଆ କପ୍ କ୍ରିକେଟ୍ ଆରମ୍ଭ ହୋଇଥିଲା। ୧୯୮୪ରେ ପାକିସ୍ତାନ, ଶ୍ରୀଲଙ୍କା ଓ ଭାରତ ରାଉଣ୍ଡ ରବିନ୍ ଲିଗ୍ ଭିତ୍ତିରେ ଏହି ଖେଳିଥିଲେ। ସୁନୀଲ ଗାଭାସ୍କର ନେତୃତ୍ବରେ ଭାରତ ପ୍ରଥମ ଏସିଆ କପ୍ ଚମ୍ପିଆନ୍ ହୋଇଥିଲା । ୨ ବର୍ଷରେ ଥରେ ଏହା ଆୟୋଜନ ହେବାର ଥିଲେ ହେଁ ନିୟମିତ ଭାବେ ଆୟୋଜନ ହୋଇ ପାରୁ ନଥିଲା । ହେଲେ ୨୦୦୮ରୁ ଏହା ନିୟମିତ ଭାବେ ୨ ବର୍ଷରେ ଥରେ ଆୟୋଜନ ହୋଇଥିବା ବେଳେ କୋଭିଡ୍ ସଂକ୍ରମଣ ଯୋଗୁଁ ୨୦୨୦ ସଂସ୍କରଣ ଖେଳା ଯାଇନଥିଲା।
ଅଦ୍ୟାବଧି ୧୪ଟି ଏସିଆ କପ୍ ଖେଳାଯାଇଛି । ୨୦୧୮ରେ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯାଇଥିବା ବେଳେ ଫାଇନାଲରେ ବାଂଲାଦେଶକୁ ହରାଇ ରୋହିତ ଶର୍ମା ନେତୃତ୍ବାଧୀନ ଭାରତ ଶେଷଥର ଚମ୍ପିଆନ୍ ହୋଇଥିଲା। ଏଥର ମଧ୍ୟ ରୋହିତଙ୍କ ନେତୃତ୍ବରେ ୟୁଏଇରେ ଭାରତ ଏସିଆ କପ୍ ଖେଳିବାକୁ ଯାଉଛି। ଭାରତ ସର୍ବାଧିକ ୭ ଥର ଏସିଆ କପ୍ ଜିତିଥିବା ବେଳେ ଶ୍ରୀଲଙ୍କା ୫ ଥର ଓ ପାକିସ୍ତାନ ୨ ଥର ଏହାକୁ ଜିତିଛି । ଏସିଆ କପ୍ର କିଛି ସ୍କୃତି ଏବେ ମଧ୍ୟ କ୍ରିକେଟ୍ପ୍ରେମୀଙ୍କ ମନରୁ ଲିଭିନାହିଁ । ୧୯୮୪ରେ ସୁରିନ୍ଦର ଖାନ୍ନାଙ୍କ ବିସ୍ଫୋରକ ବ୍ୟାଟିଂ, ୨୦୦୮ ଫାଇନାଲରେ ଅଜନ୍ତା ମେଣ୍ଡିସ୍ଙ୍କ ସ୍ପିନ୍ ସମ୍ମୁଖରେ ଭାରତୀୟଙ୍କ ଆତ୍ମ ସମର୍ପଣ, ୨୦୧୦ ଫାଇନାଲରେ ଶେଷ ଓଭରର ୫ ବଲ୍ରେ ପାକିସ୍ତାନର ମହମ୍ମଦ ଆମିରଙ୍କୁ ଛକାମାରି ହରଭଜନ ସିଂହ ଭାରତକୁ ଜିତାଇବା, ୨୦୧୨ରେ ପାକିସ୍ତାନର ୩୩୦ ରନ୍ର ପିଛାକରିବା ବେଳେ ବିରାଟ କୋହଲିଙ୍କ ଜୀବନର ସର୍ବାଧିକ ଦିନିକିଆ ସ୍କୋର୍ ୧୮୩ ରନ୍, ୨୦୧୨ ଫାଇନାଲରେ ବାଂଲାଦେଶକୁ ୨ ରନ୍ରେ ପାକିସ୍ତାନ ହରାଇବା, ୨୦୧୪ରେ ଆର୍. ଅଶ୍ବିନଙ୍କ ଶେଷ ଓଭରରେ କ୍ରମାଗତ ୨ଟି ଛକାମାରି ସାହିଦ୍ ଆଫ୍ରିଦି ପାକିସ୍ତାନକୁ ଜିତାଇବା, ୨୦୧୮ରେ ଆଫ୍ଗାନିସ୍ତାନ-ଭାରତ ମ୍ୟାଚ୍ ଟାଇ ହେବା ଘଟଣାକୁ କ୍ରିକେଟପ୍ରେମୀ ଏବେ ମଧ୍ୟ ଭୁଲି ନାହାନ୍ତି।
ଚଳିତବର୍ଷ ଅଗଷ୍ଟ ୨୦ରୁ ୨୪ ମଧ୍ୟରେ ଓମାନ୍, ୟୁଏଇ, ହଂକଂ, ସିଙ୍ଗାପୁର ଓ କୁଏତ୍ ଯୋଗ୍ୟତା ପର୍ଯ୍ୟାୟ ଖେଳିଛନ୍ତି । ଏହାର ବିଜେତା ହଂକଂ, ଭାରତ ଓ ପାକିସ୍ତାନ ସହ ଗ୍ରୁପ୍ ‘ଏ’ରେ ରହିଛଇ । ଗ୍ରୁପ୍ ‘ବି’ରେ ବାଂଲାଦେଶ, ଶ୍ରୀଲଙ୍କା ଓ ଆଫ୍ଗାନିସ୍ତାନ ରହିଛନ୍ତି । ଲିଗ୍ ପର୍ଯ୍ୟାୟ ପରେ ଉଭୟ ଗ୍ରୁପ୍ର ଶ୍ରେଷ୍ଠ ୨ ଦଳ ସୁପର୍-୪ ପର୍ଯ୍ୟାୟ ଖେଳିବେ। ସମସ୍ତେ ପରସ୍ପର ବିପକ୍ଷରେ ଖେଳିବେ ଏବଂ ଶୀର୍ଷ ୨ଟି ସ୍ଥାନରେ ଥିବା ଦଳ ଫାଇନାଲ ଖେଳିବେ। ଚଳିତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ଥିବାରୁ ଏସିଆ କପ୍ ଟ୍ବେଣ୍ଟି-୨୦ ଫର୍ମାଟରେ ଖେଳାଯାଉଛି । ୨୦୧୬ରେ ମଧ୍ୟ ଏହି ସମାନ କାରଣରୁ ଏସିଆ କପ୍ ଟି-୨୦ ଫର୍ମାଟରେ ଖେଳା ଯାଇଥିଲା ଏବଂ ଏଥିରେ ଭାରତ ଚମ୍ପିଆନ୍ ହୋଇଥିଲା। ଆସନ୍ତାବର୍ଷ ଦିନିକିଆ ବିଶ୍ବକପ୍ ଥିବାରୁ ପାକିସ୍ତାନରେ ହେବାକୁ ଥିବା ଏସିଆ କପ୍ ଦିନିକିଆ ଫର୍ମାଟରେ ଖେଳାଯିବ।
ଆଜି (ଶନିବାର) ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚ ଆୟୋଜକ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ଅଗଷ୍ଟ ୨୮(ରବିବାର) ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ଲିଗ୍ ମ୍ୟାଚ୍ ଖେଳାଯିବ। ଉଭୟ ଦଳ ଯଦି ଫାଇନାଲକୁ ଯାଆନ୍ତି; ତେବେ ୩ୟ ଥର ଭାରତ-ପାକ୍ ମୁକାବିଲା ଦେଖିବାକୁ ମିଳିପାରେ। ଭାରତ ଓ ପାକିସ୍ତାନ ସୁପର-୪ ଖେଳିବା ନିଶ୍ଚିତ ହୋଇଥିବାରୁ ଉଭୟ ଦଳଙ୍କ ମଧ୍ୟରେ ୨ୟ ଥର ମୁକାବିଲା ନିଶ୍ଚିତ। ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏହା ପ୍ରଥମ ମୁକାବିଲା ହେବ । ଏସିଆ କପ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ୧୪ ଥର ମୁକାବିଲା ହୋଇଥିବା ବେଳେ ଭାରତ ୮ ଥର ଓ ପାକିସ୍ତାନ ୫ ଥର ଜିତିଛନ୍ତି । ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲା।
ଏସିଆ କପ୍ ଖେଳସୂଚୀ
୨୭।୮: ଆଫ୍ଗାନିସ୍ତାନ-ଶ୍ରୀଲଙ୍କା ଦୁବାଇ
୨୮।୮: ଭାରତ-ପାକିସ୍ତାନ ଦୁବାଇ
୩୦।୮: ଆଫ୍ଗାନିସ୍ତାନ-ବାଂଲାଦେଶ ଶାରଜା
୩୧।୮: ଭାରତ-ହଂକଂ ଦୁବାଇ
୦୧।୯: ବାଂଲାଦେଶ-ଶ୍ରୀଲଙ୍କା ଦୁବାଇ
୦୨।୯: ପାକିସ୍ତାନ-ହଂକଂ ଶାରଜା
ସୁପର-୪ ପର୍ଯ୍ୟାୟ
୦୩।୯: ବି-୧ ବନାମ ବି-୨ ଶାରଜା
୦୪।୯: ଏ-୧ ବନାମ ଏ-୨ ଦୁବାଇ
୦୬।୯: ଏ-୧ ବନାମ ବି-୧ ଦୁବାଇ
୦୭।୯: ଏ-୨ ବନାମ ବି-୨ ଦୁବାଇ
୦୮।୯: ଏ-୧ ବନାମ ବି-୨ ଦୁବାଇ
୦୯।୯: ଏ-୨ ବନାମ ବି-୧ ଦୁବାଇ
୧୧।୯: ଫାଇନାଲ ମ୍ୟାଚ୍ ଦୁବାଇ
Comments are closed.