ନୂଆଦିଲ୍ଲୀ: ପାକିସ୍ତାନ କିପରି ବିଶ୍ଵବାସୀଙ୍କୁ ଭୁଆଁ ବୁଲାଇ ଆତଙ୍କବାଦୀଙ୍କୁ ସମର୍ଥନ କରିଆସୁଛି ତାହାର ଗୁମର ଖୋଲିଛି। ଅନ୍ତର୍ଜାତୀୟ ସ୍ତରରେ ଚାପ ପଡ଼ିବା ପରେ ପାକିସ୍ତାନ ନିଜ ମାଟିରେ ବଢ଼ୁଥିବା ଆତଙ୍କବାଦୀଙ୍କ ବିରୋଧରେ ନେଉଥିବା କାର୍ଯ୍ୟାନୁଷ୍ଠାନ କେବଳ ଲୋକଦେଖାଣିଆ ବୋଲି ଜଣାପଡ଼ିଛି। ଏହାର ଗୁମର ଖୋଲିବା ପରେ ପାକିସ୍ତାନ ନିଜେ ବୁଲିଥିବା ଜାଲରେ ନିଜେ ଫଶିବାକୁ ଯାଉଛି। ଆତଙ୍କବାଦୀଙ୍କ ବିରୋଧରେ ମିଥ୍ୟା ଏଫଆଇଆର ରୁଜୁ କରାଯାଉଛି। ସେମାନଙ୍କ ବିରୋଧରେ ମିଥ୍ୟା କାର୍ଯ୍ୟାନୁଷ୍ଠାନର ଗୁମର ପାକିସ୍ତାନର ଏକ ଥାନାରେ ରୁଜୁ ହୋଇଥିବା ଏତଲାରୁ ସାମ୍ନାକୁ ଆସିଛି।
ରିପୋର୍ଟ ମୁତାବକ, ପାକିସ୍ତାନର ଗୁଜରୱାଲାଙ୍ଗରେ ଗତ ଜୁଲାଇ ୧ରେ ଲଶ୍କର-ଏ-ତୋଇବା ଏବଂ ଜମାତ-ଉଦ-ଦାୱା ସଂଗଠନର କିଛି ଆତଙ୍କବାଦୀଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା। କିନ୍ତୁ ଏତଲାରେ ଆତଙ୍କବାଦୀଙ୍କର ସମ୍ପର୍କ ଦାୱାତ-ବଲ୍-ଇରଶଦ ନାମକ ସଂଗଠନ ସହିତ ରହିଥିଲା ବୋଲି ଦର୍ଶାଯାଇଛି ଏବଂ ମାମଲା ଏକ ଜମି କାରବାରକୁ ନେଇ ରୁଜୁ ହୋଇଛି। ଆଇନ ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ମାମଲା କୋର୍ଟରେ ଚାଲିପାରିବ ନାହିଁ। କାରଣ ଏତଲାରେ ଯେଉଁ ଦାୱାତ-ବଲ୍-ଇରଶଦ ସଂଗଠନର ନାମ ରହିଛି, ତାହାର ନାମ ପରିବର୍ତ୍ତନ ହୋଇ ଏବେ ଜମାତ-ଉଦ-ଦାୱା ହୋଇସାରିଛି, ଯାହାର ସମ୍ପର୍କ ଲଶ୍କର-ଏ-ତୋଇବା ସଂଗଠନ ସହିତ ରହିଛି। ମାତ୍ର ଏତଲାରେ ତାହା ଦର୍ଶାଯାଇ ନାହିଁ।
କେବଳ ଏତିକି ନୁହେଁ, ଏହି ଏତଲାରେ ଆତଙ୍କବାଦୀ ସଂଗଠନର ମୁଖ୍ୟ ହାପିଜ ସୟିଦ ସମେତ ଅନ୍ୟ ୪ ଆତଙ୍କବାଦୀଙ୍କ ନାମ ମଧ୍ୟ ନାହିଁ। ଏହି ୫ ଜଣ ଉକ୍ତ ଜାଗାକୁ ବ୍ୟବହାର କରୁଥିଲେ ମଧ୍ୟ ସେମାନଙ୍କ ନାମ ନ ରହିବା ଆଶ୍ଚର୍ଯ୍ୟର ବିଷୟ। ଆତଙ୍କବାଦୀମାନେ ସଂଗ୍ରହ କରୁଥିବା ପାଣ୍ଠିରୁ ସର୍ବାଧିକ ଅର୍ଥ ଜାଗା କାରବାରରୁ ହିଁ ଆସିଥାଏ। ପାକିସ୍ତାନର ଏଭଳି ଚାଲ ବିଶ୍ଵ ସମୁଦାୟଙ୍କୁ ଭୂଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ବୋଲି ସ୍ପଷ୍ଟ ଜଣାପଡୁଛି।
ଅନ୍ୟପଟେ ଆଗାମୀ ଅକ୍ଟୋବରରେ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ) ବୈଠକ ଅନୁଷ୍ଠିତ ହେବ। ଆତଙ୍କବାଦୀଙ୍କ ଶରଣଦାତା ପାକିସ୍ତାନକୁ କଳା ତାଲିକାଭୁକ୍ତ କରାଯିବ କି ନାହିଁ ସେନେଇ ଏଥିରେ ନିଷ୍ପତ୍ତି ନିଆଯିବ। ତେବେ ବର୍ତ୍ତମାନ ଏହି ଗୁମର ଖୋଲିବା ପରେ ପାକିସ୍ତାନ ପାଇଁ ଅଡୁଆ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।



