ଭୁବନେଶ୍ୱର: ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିବା ଫଳରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। କାଶୀପୁରରେ ସର୍ବାଧିକ ୩୩୦ ମିଲି ମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀରେ ୩୧୭.୪, ସୋନପୁର ତରଭାରେ ୧୨୯, ମୁନିଗୁଡାରେ ୨୧୦, ଦାରିଙ୍ଗବାଡିରେ ୧୪୫ ଓ ମାଲକାନଗିରି କୋରକୋଣ୍ଡାରେ ୧୭୫ମିମି ବର୍ଷା ରେକର୍ଡ କରାଯାଇଛି। ୭ଟି ବ୍ଲକରେ ବୃଷ୍ଟିପାତ ୨୦୦ରୁ ୩୦୦ ଓ ୬୭ଟି ବ୍ଲକରେ ୧୦୦ରୁ ୨୦୦ ମିଲି ମିଟର ବର୍ଷା ରେକର୍ଡ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି।
ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ତୀବ୍ର ଅବପାତର ରୂପ ନେଇଛି। ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ଘଣ୍ଟା ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ତହସିଲଦର, ଜିଲ୍ଲାପାଳ, ଏଡିଏମ୍ଓ ଓ ବିଡ଼ିଓ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଗଜପତି ବଂଶଧାରା ଜଳସ୍ତର ବୃଦ୍ଧି କାରଣରୁ ବନ୍ୟା ପରିସ୍ଥିତି ଉପୁଜିଥିବା ତଳିଆ ସ୍ଥାନରୁ କାଶୀନଗରର ୨୦୦ ଲୋକଙ୍କୁ ଉଦ୍ଧାର କରି ସ୍କୁଲକୁ ସ୍ଥାନାନ୍ତର କରାଯାଇଛି। ଏହାସହ ରାୟଗଡା ଜିଲ୍ଲା ଗୁଣୁପୁରରେ ମଧ୍ୟ ନଦୀଜଳ ପଶିଥିବାରୁ ଗୁଡାରୀ ଓ ବିଷମକଟକ କୁଟରାଗଡାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। କଲ୍ୟାଣସିଂହପୁର, କନ୍ଧମାଳ, ତୁମୁଡିବନ୍ଧ ଓ ମାଲକାନଗିରିରେ ସବୁ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ମାଲକାନଗିରି ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବା ସୂଚନା ମିଳିଛି।
ଇତି ମଧ୍ୟରେ ଶ୍ରୀକାକୁଲମ ବ୍ୟାରେଜର ୨୨ଟି ଗେଟ୍ ଖୋଲାଯାଇଛି। ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ଜଳମଗ୍ନ ଅଂଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି। ସେହିଭଳି ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ଲାଞ୍ଜିଗଡରେ ସର୍ବାଧିକ ୩୮୨ ମିଲିମିଟର ବର୍ଷା ହୋଇଥିବା ବେଳେ ଥୁଆମୂଳ ରାମପୁରରେ ୨୦୦ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବର୍ଷା ଯୋଗୁଁ ଲାଞ୍ଜିଗଡ ବ୍ଲକର ବାଥେଲିମରୁ ଛତ୍ରପୁର ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି।
ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ହେବା ଫଳରେ ପ୍ରମୁଖ ନଦୀ, ନାଳ ଗୁଡ଼ିକରେ ବନ୍ୟା ଜଳ ବୃଦ୍ଧି ପାଇଛି। ଲଗାଣ ବର୍ଷା ଜିଲ୍ଲାର ଗାଁଗହଳିଠାରୁ ସହର ଯାଏଁ ଜନଜୀବନକୁ ପ୍ରଭାବିତ କରିଛି। ବ୍ରହ୍ମପୁର ସହରର କେତେକ ଅଞ୍ଚଳରେ ବର୍ଷାପାଣି ଅଟକି ରହି ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରିଛି। କେତକେ ସାହିରେ ଲୋକଙ୍କ ଘରେ ବର୍ଷାପାଣି ପଶିଛି ଏବଂ ଆଉ କେତେକ ସ୍ଥାନରେ ବର୍ଷା ଜଳ ବନ୍ୟା ଭଳି ସାହିର ରାସ୍ତା ଉପରେ ପ୍ରବାହିତ ହେଉଛି। ପ୍ରାୟ ଦେଢ଼ହଜାର ପରିବାର ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ଜଳ ନିଷ୍କାସନ ପାଇଁ ଯୁଦ୍ଧକାଳୀନ ପଦକ୍ଷେପ ନେଉଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲାର ଗଞ୍ଜାମ, ଆସିକା, କବିସୂର୍ଯ୍ୟନଗର, ସୋରଡା, ହିଞ୍ଜିଳି, ଶେରଗଡ, ଧରାକୋଟ, ଚିକିଟି ପ୍ରଭୃତି ଅଞ୍ଚଳରେ ଋଷିକୂଲ୍ୟା, ବଡନଦୀ, ଘୋଡାହାଡ, ବୁଗି, ଲୋହରଖଣ୍ଡି ନଦୀରେ ବନ୍ୟାଜଳର ପ୍ରଭାବ ଦେଖା ଦେଇଛି। ଜିଲ୍ଲାରେ ୨୮ଦଶମିକ ୨୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
ଲଘୁଚାପଜନିତ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭୀଷଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେବାସହ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଉପରକୋଲାବ ଜଳଭଣ୍ଡାର ଓ ମାଛକୁଣ୍ଡ ଜଳଭଣ୍ଡାର ଜଳସ୍ତର କ୍ରମାଗତ ବୃଦ୍ଧି ପାଇଛି। ଜିଲ୍ଲାରୁ ବିଭିନ୍ନ ଅଞ୍ଚଳକୁ ଯାନବାହନ ଚଳାଚଳ ପ୍ରଭାବିତ ହେବାସହ ଆଜି ବିଭିନ୍ନ ସ୍ଥାନରେ ଦୋକାନ, ବଜାର, ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଜନଶୂନ୍ୟ ଦେଖାଦେଇଥିଲା। ପ୍ରବଳ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲାର ଆମ୍ବାଦଳା ନିକଟରେ ରେଳଧାରଣା ଧୋଇହୋଇ ଯିବା ଫଳରେ ଗୋଟିଏ ମାଲବାହୀ ଟ୍ରେନ୍ର ୩ଟି ବଗି ତଳକୁ ଖସିପଡିଛି। ରେଳବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସେହି ରୁଟରେ ଚଳାଚଳ କରୁଥିବା କେତେକ ଟ୍ରେନ୍କୁ ବାତିଲ କରାଯାଇଥିବାବେଳେ ଅନ୍ୟ କେତେକ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି।



