କଟକ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୧ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ‘ସମାଜ’ ଓ ଲୋକସେବକ ମଣ୍ଡଳ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ‘ଓଜସ୍ବିନୀ ଓଡ଼ିଶା’ ତର୍କ ପ୍ରତିଯୋଗିତାର ବରିଷ୍ଠ ବିଭାଗରେ ପଞ୍ଚାୟତ କଲେଜ (ବୌଦ୍ଧ)ର ଛାତ୍ର ସାରଦା ପ୍ରସନ୍ନ ବୋଷ ଓ କନିଷ୍ଠ ବିଭାଗରେ ରାଉରକେଲା ଚିନ୍ମୟ ଇଂରାଜୀ ମାଧ୍ୟମିକ ସ୍କୁଲର ଛାତ୍ରୀ ପ୍ରିଶା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବରିଷ୍ଠ ବିଭାଗରେ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରୀ ପ୍ରେରଣା ଜେନା ଦ୍ବିତୀୟ, ଗଞ୍ଜାମ ଜିଲା ନୀଳକଣ୍ଠନଗର ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଛାତ୍ର ସୌମ୍ୟରଞ୍ଜନ ମିଶ୍ର ତୃତୀୟ ଏବଂ କନିଷ୍ଠ ବିଭାଗରେ ଖୋର୍ଦ୍ଧା ଜିଲା ଦାଶରଥୀ ବାଳିକା ହାଇସ୍କୁଲର ଛାତ୍ରୀ ଅନନ୍ୟା ରାୟ ଦ୍ବିତୀୟ, ଯାଜପୁର ଜିଲା ସ୍କୁଲର ଛାତ୍ର ରିତେଶ କୁମାର ମହାରଣା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୨୦ ହଜାର ଟଙ୍କା, ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧୫ ହଜାର ଟଙ୍କା, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧୦ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ପ୍ରତିଯୋଗୀମାନଙ୍କୁ ଆସନ୍ତାକାଲି (ମଙ୍ଗଳବାର) ସନ୍ଧ୍ୟାରେ ଶହୀଦ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୧ତମ ଶ୍ରାଦ୍ଧୋତ୍ସବ ଅବସରରେ ଅର୍ଥରାଶି, ଟ୍ରଫି ସହ ସମ୍ବର୍ଦ୍ଧିତ କରାଯିବ।
ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ ସୋମବାର ଆୟୋଜିତ ଏହି ପ୍ରତିଯୋଗିତାକୁ ଅତିଥିମାନେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାର୍ଲ୍ୟାର୍ପଣ କରି ଉଦ୍ଘାଟନ କରିଥିଲେ। ଜିଲାସ୍ତରୀୟ ’ଓଜସ୍ବିନୀ ଓଡ଼ିଶା’ ତର୍କ ପ୍ରତିଯୋଗିତାର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ୫ ମିନିଟ୍ର ସମୟ ଅବଧି ମଧ୍ୟରେ ବେଶ ପ୍ରଭାବୀ ଢଙ୍ଗରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ତର୍କ ପ୍ରତିଯୋଗିତା ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ବରିଷ୍ଠ ବିଭାଗର ପ୍ରତିଯୋଗିତାରେ ‘ଭାରତୀୟ କଷ୍ଟଲବ୍ଧ ଗଣତନ୍ତ୍ର ସଫଳ ହୋଇଛି କି?’ ଶୀର୍ଷକରେ ପ୍ରତିଯୋଗୀମାନେ ସେମାନଙ୍କର ମତ ରଖିଥିଲେ। ଦୂରଦର୍ଶନ ନିର୍ଦେଶକ ରବୀନ୍ଦ୍ର ନାଥ ମିଶ୍ର, ସମାଜସେବୀ ସୁଲତା ଦେଓ ଓ ଅବସରପ୍ରାପ୍ତ ପ୍ରଶାସକ ଗୋସ୍ବାମୀ ଗୋଲାମ ଦେବତା ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କ ବିତର୍କର ମୂଲ୍ୟାୟନ କରିଥିଲେ।
ଦ୍ବିତୀୟ ପର୍ଯ୍ୟାୟ କନିଷ୍ଠ ବିଭାଗ ପ୍ରତିଯୋଗିତା ‘ଗୋପବନ୍ଧୁଙ୍କ ଶିକ୍ଷାନୀତି ଏକବିଂଶ ଶତାବ୍ଦୀରେ ପ୍ରଯୁଜ୍ୟ କି?’ ଶୀର୍ଷକରେ ପ୍ରତିଯୋଗୀମାନେ ବକ୍ତବ୍ୟ ରଖିଥିଲେ। ବରିଷ୍ଠ ଆଇନ୍ଜୀବୀ ପିତାମ୍ବର ଆଚାର୍ଯ୍ୟ, ପ୍ରଶାସନିକ ଅଧିକାରୀ ଡ. ସ୍ମିତା ମହାପାତ୍ର ଓ ଅବସରପ୍ରାପ୍ତ ପ୍ରଶାସକ ଗୋସ୍ବାମୀ ଗୋଲାମ ଦେବତା ୨ୟ ପର୍ଯ୍ୟାୟରେ ବିଚାରକ ଭାବେ ମୂଲ୍ୟାୟନ କରିଥିଲେ। ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ, ସମ୍ପାଦକ ବାମାପଦ ତ୍ରିପାଠୀ ଓ ବିଚାରକମାନେ ସମସ୍ତ ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ‘ସମାଜ’ର ବିଜ୍ଞାପନ ପରିଚାଳକ ସଞ୍ଜୟ ମିଶ୍ର ବିଚାରକମାନଙ୍କୁ ପୁଷ୍ପଗୁଚ୍ଛ ଓ ବ୍ୟାଜ୍ ପ୍ରଦାନ କରି ସ୍ବାଗତ କରିଥିଲେ। ସେହିପରି ବିଚାରକମାନଙ୍କୁ ଶ୍ରୀଜଗନ୍ନାଥଙ୍କୁ ଫଟୋଚିତ୍ର ସମ୍ବଳିତ ସ୍ମୃତିଚିହ୍ନ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ’ସମାଜ’ ରିଲିଫ କମିଟି ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ‘ସମାଜ’ର ସହପ୍ରଶାସନିକ ଅଧିକାରୀ ସୟଦ ଇମ୍ତିଆଜ ଅହମ୍ମଦ, ଆଇନ୍ ଅଧିକାରୀ ସନ୍ତୋଷ ସାହୁ, ସହସମ୍ପାଦକ ମମତା ବିଶୋଇ, ମହେଶ୍ବର ସାହୁ, ଅନୁପମ ପ୍ରହରାଜ, କଟକ ବ୍ୟୁରୋ ମୁଖ୍ୟ ସୁରେନ୍ଦ୍ର ପଲେଇ, ଦେବେନ୍ଦ୍ର ସାହୁ ସମେତ କର୍ମଚାରୀବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ପ୍ରତିଯୋଗୀଙ୍କ ମହାନତା: ପୁରସ୍କାର ରାଶିରୁ ରିଲିଫ୍ ପାଣ୍ଠିକୁ ଦାନ
କଟକ : ‘ସମାଜ’ ଓ ଲୋକ ସେବକ ମଣ୍ଡଳ ମିଳିତ ଆନୁକୂଲ୍ୟରେ ସାରଳା ଭବନଠାରେ ସୋମବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ‘ଓଜସ୍ବିନୀ ଓଡ଼ିଶା’ ତର୍କ ପ୍ରତିଯୋଗିତାର ୨ ଜଣ ପ୍ରତିଯୋଗୀ ‘ସମାଜ ରିଲିଫ ପାଣ୍ଠି’କୁ ସେମାନଙ୍କର ପୁରସ୍କାର ରାଶିରୁ କିଛି ଅଂଶ ଦାନ କରି ନିଜ ମହାନତାର ପରିଚୟ ଦେଇଛନ୍ତି। ଏହି ତର୍କ ପ୍ରତିଯୋଗିତାରେ ୩୦ ଜିଲାରୁ ୬୨ ଜଣ ପ୍ରତିଯୋଗୀ ଯୋଗଦେଇଥିଲେ। ସେମାନେ ପ୍ରତ୍ୟେକ ଜିଲାସ୍ତରୀୟ ‘ଓଜସ୍ବିନୀ ଓଡ଼ିଶା’ ତର୍କ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ନଗଦ ୫ ହଜାର ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରାପ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ବରଗଡ଼ ସରସ୍ବତୀ ଶିଶୁବିଦ୍ୟାମନ୍ଦିରର ଛାତ୍ର ତେଜସ୍ବୀ ହିନ୍ଦୁକୁମାର ସାହୁ ଓ ଭଦ୍ରକ ଜିଲା ସ୍କୁଲର ଛାତ୍ରୀ ଶୁଭଲକ୍ଷ୍ମୀ ମହାନ୍ତି ନିଜ ପୁରସ୍କାର ରାଶିରୁ ୧ ହଜାର ଟଙ୍କା ଲେଖାଏ ସମାଜ ରିଲିଫ ପାଣ୍ଠିକୁ ଦାନ କରିଥିଲେ। ରାଜ୍ୟସ୍ତରୀୟ ପ୍ରତିଯୋଗିତା ମଞ୍ଚରେ ଅତିଥି ତଥା ପ୍ରତିଯୋଗୀମାନଙ୍କ ଗହଣରେ ଉଭୟ ପ୍ରତିଯୋଗୀ ସେମାନଙ୍କ ଦାନ ଅର୍ଥରାଶି ‘ସମାଜ’ ରିଲିଫ୍ କମିଟି ସଭାପତି ନିରଞ୍ଜନ ରଥଙ୍କୁ ପ୍ରଦାନ କରିଥିଲେ। ଫଣି ପ୍ରପୀଡ଼ିତ ଉଦ୍ଦେଶ୍ୟରେ ଏହି ଦାନ କରିଥିବା ତେଜସ୍ବୀ ପ୍ରକାଶ କରିଥିଲେ। ସେହିପରି ବିଚାରକ ଭାବେ ଯୋଗଦେଇଥିବା ବରିଷ୍ଠ ଆଇନ୍ଜୀବୀ ପିତାମ୍ବର ଆଚାର୍ଯ୍ୟ ମଧ୍ୟ ୧୦ ହଜାର ଟଙ୍କା ସମାଜ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ। ଏଭଳି ପ୍ରୟାସକୁ ଉପସ୍ଥିତ ସଭାସଦ୍ବୃନ୍ଦ ଅତ୍ୟନ୍ତ ପ୍ରଶଂସା କରିଥିଲେ।



