www.samajalive.in
Tuesday, December 9, 2025
17.1 C
Bhubaneswar

ଆଜି ବଜେଟ : ଫଣି ପୁନରୁଦ୍ଧାର, ନିଯୁକ୍ତି, କୃଷି, ସଏଚଜିକୁ ମିଳିବ ଅଗ୍ରାଧିକାର

ଭୁବନେଶ୍ବର : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି (ଶୁକ୍ରବାର) ଅପରାହ୍ନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଚଳିତବର୍ଷର ବଜେଟ ଗତ ବଜେଟ ଆକାର ତୁଳନାରେ ୧୦ ପ୍ରତିଶତ ବଢ଼ିବ ବୋଲି ଆକଳନ କରାଯାଇଛି। ବଜେଟ ସମ୍ପର୍କରେ ସୂଚନା ମିଳି ନଥିଲେ ହେଁ ବଜେଟର ଆକାର ୧ଲକ୍ଷ ୩୬ହଜାର କୋଟିକୁ ଟପିବ ବୋଲି ଜଣାପଡ଼ିଛି।
ରାଜ୍ୟ ସରକାରଙ୍କ ପୂର୍ବ ଘୋଷିତ ଯୋଜନାର କାର୍ଯ୍ୟାନ୍ବୟନ ଏବଂ ଆଗାମୀ କାର୍ଯ୍ୟକ୍ରମ ପାଇଁ ଏଥର ବଜେଟରେ ଅଧିକ ବ୍ୟୟବରାଦ କରାଯିବାର ସମ୍ଭାବନା ରହିଛି। ବିଶେଷ କରି ଫଣି ପୁନରୁଦ୍ଧାର କାର୍ଯ୍ୟ, ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା, ଲୋକାଭିମୁଖୀ କାଳିଆ ଯୋଜନା , ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ଅଧିକ ସକ୍ରିୟ କରାଇବା, କୃଷି ନୀତି ପ୍ରଚଳନ ଏବଂ ଅନ୍ୟାନ୍ୟ ସାମାଜିକ କ୍ଷେତ୍ରର ବିକାଶକୁ ଦୃଷ୍ଟିରେ ରଖି ଏଥର ବ୍ୟୟବରାଦ କରାଯାଇଥିବା ସୂଚନା ମିଳିଛି।
ରାଜ୍ୟ ସରକାରଙ୍କ ରାଜସ୍ବ ସଂଗ୍ରହ କ୍ଷେତ୍ରରେ ୧୯ ପ୍ରତିଶତ ବୃଦ୍ଧି ଘଟିଛି। ଅବକାରୀ, ଖଣି ଆଦି କ୍ଷେତ୍ରରୁ ମଧ୍ୟ ରାଜକୋଷକୁ ଅଧିକ ରାଜସ୍ବ ଆସୁଛି। ତେବେ ରାଜ୍ୟ ସରକାର ​‌ଯେତେଗୁଡ଼ିଏ ଯୋଜନା ପୂର୍ବରୁ ପ୍ରଚଳନ କରିଥିଲେ ସେସବୁକୁ ଚଳାଇ ରଖିବା ନିମନ୍ତେ ପୂର୍ବରୁ ଯେତେ ଅର୍ଥ ବରାଦ ହେଉଥିଲା ଏବେ କାଳିଆ ଭଳି ସ୍ବତନ୍ତ୍ର ଯୋଜନା ଓ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି। ସେଥିନିମନ୍ତେ ରାଜ୍ୟ ସରକାରଙ୍କୁ ଅଧିକ ରାଜସ୍ବ ସଂଗ୍ରହ ବା ଆୟର ଉତ୍ସ ​‌ଦେଖିବାକୁ ‌ ପଡ଼ିବ। ଏବେ ରାଜ୍ୟ ସରକାରଙ୍କ ମୁଣ୍ଡରେ ଋଣ ଭାର ପ୍ରାୟ ୯୦ହଜାର କୋଟି ଟଙ୍କାରେ ପହଞ୍ଚିଲାଣି। ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ପରିମାଣ ୧ଲକ୍ଷ କୋଟିକୁ ଟପିଯାଇପାରେ ବୋଲି ସରକାରଙ୍କ ପକ୍ଷରୁ ଆକଳନ କରାଯାଇଛି। ପୂର୍ବରୁ ରାଜ୍ୟ ସରକାର ଖୋଲା ବଜାରରୁ ଋଣ ଆଣିବା ଉପରେ ଅଙ୍କୁଶ ପ୍ରୟୋଗ କରିଥିଲେ। ଏବେ ପୁଞ୍ଜିନିବେଶ ସହିତ ବିଭିନ୍ନ ନିଜସ୍ବ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ହେଲେ ବଜେଟ ବାହାରେ ଖୋଲା ବଜାରରୁ ଋଣ କରାଯିବା ଛଡ଼ା ଅନ୍ୟ କିଛି ବାଟ ନାହିଁ। ସରକାର ଚଳିତ ବର୍ଷ ନିଯୁକ୍ତିକୁ ସର୍ବାଧିକ ଗୁରୁତ୍ବ ଦେବାର ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ବଜେଟରେ ନିର୍ଦିଷ୍ଟ ଭାବେ ଅର୍ଥ ବରାଦ କରାଯିବାର ସମ୍ଭାବନା ରହିଛି। ଏହାଛଡ଼ା ରାଜ୍ୟରେ କୃଷିର ବିକାଶ ଯେଉଁ ଅନୁପାତରେ ହେବା କଥା ସେଥିରେ ବିଶେଷ କିଛି ଫରକ ଦେଖିବାକୁ ମିଳୁନି। ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ ସରକାର ଯୋଜନା ରଖିଛନ୍ତି। ହେଲେ ବାସ୍ତବରେ ଚାଷୀଙ୍କ ଆୟ ଯେଉଁ ଅନୁପାତରେ ବଢ଼ିବା କଥା ବଢ଼ି ନାହିଁ। ତେଣୁ ସରକାର ନୂଆ କୃଷି ନୀତି ଆଣିବା ନିମନ୍ତେ ଅଧିକ ଅର୍ଥବରାଦ କରିବାର ଯୋଜନା ରହିଛି। ରାଜ୍ୟ ସରକାର କୃଷି ପାଇଁ ସ୍ବତନ୍ତ୍ର ବଜେଟ ପ୍ରସ୍ତୁତ କରୁଥିବାରୁ ଏଥର ବଜେଟରେ ନୂଆ ନୀତି ପାଇଁ ଅଧିକ ଅର୍ଥ ବରାଦର ସମ୍ଭାବନା ରହିଛି। କିଛି ବର୍ଷ ହେଲା ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାର ଅର୍ଥ କାଟ କରିବା ପରେ ସେ ବାବଦରେ ରାଜ୍ୟ ସରକାରଙ୍କୁ ଅଧିକ ଅର୍ଥ ବରାଦ କରିବାକୁ ପଡ଼ୁଛି। କେତେକ ଯୋଜନାରେ କେନ୍ଦ୍ର-ରାଜ୍ୟ ଅନୁଦାନ ଅନୁପାତ ହ୍ରାସ ପାଇବା ଦ୍ବାରା ଏହାକୁ ଚଳାଇ ରଖିବା ନିମନ୍ତେ ଅଧିକ ଅର୍ଥ ଲୋଡ଼ାପଡ଼ୁଛି। ତେଣୁ ବଜେଟ ବାହାରେ ଅତିରିକ୍ତ ଖର୍ଚ୍ଚ ତୁଲାଇବା ନିମନ୍ତେ ରାଜ୍ୟ ସରକାର ଆୟର ବିକଳ୍ପ ଉତ୍ସ ଦେଖିବେ ନଚେତ ଋଣ କିମ୍ବା ଅନ୍ୟାନ୍ୟ କ୍ଷେତ୍ରର ଅର୍ଥ ଯୋଗାଡ଼ କରିବାର ଯୋଜନା ରଖିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories