www.samajalive.in
Tuesday, December 9, 2025
16.1 C
Bhubaneswar

୧୦ରୁ କମ୍ ଛାତ୍ରଛାତ୍ରୀ :୯୬୬ ବିଦ୍ୟାଳୟରେ ପଡ଼ିବ ତାଲା

ଭୁବନେଶ୍ୱର : ଦୁଇଦଶନ୍ଧି ତଳେ ରାଜ୍ୟରେ ଛତୁ ଫୁଟିବା ଭଳି ଗଢ଼ି ଉଠିଥିବା ବିଦ୍ୟାଳୟକୁ ଏବେ ସରକାରୀ ନୀତି ନିୟମ ଅନୁସାରେ ଚଳାଇବାକୁ ଗଣଶିକ୍ଷା ବିଭାଗ ତତ୍ପର ହୋଇ ଉଠିଛି। ଯେଉଁ ବିଦ୍ୟାଳୟରେ ୧୦ରୁ କମ୍ ଛାତ୍ରଛାତ୍ରୀ ରହିଛନ୍ତି ସେଗୁଡିକୁ ପ୍ରାଥମିକ ପର୍ଯ୍ୟାୟରେ ବନ୍ଦ କରାଯିବ। ସେଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ। ପ୍ରାଥମିକ ପର୍ଯ୍ୟାୟ ସର୍ଭେ ପରେ ଏବେ ରାଜ୍ୟର ୯୬୬ଟି ବିଦ୍ୟାଳୟରେ ୧୦ରୁ କମ୍ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏହାକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଟିକିନିଖି ଅନୁସନ୍ଧାନ ପରେ ଚଳିତ ଶିକ୍ଷାବର୍ଷଠାରୁ ଉକ୍ତ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଯେଉଁଠାରେ କମ୍ ରହିଛି ସେହି ବିଦ୍ୟାଳୟର ଛାତ୍ରଛାତ୍ରୀ ନିକଟସ୍ଥ ବିଦ୍ୟାଳୟକୁ ପଠାଯିବ। ଯଦି ଛାତ୍ରଛାତ୍ରୀଙ୍କୁ ଯାତାୟାତରେ ଅସୁବିଧା ଦେଖାଦେଲା, ତେବେ ସେକ୍ଷେତ୍ରରେ ଗସ୍ତଖର୍ଚ୍ଚ ଦିଆଯିବ।
ଏଥିପାଇଁ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଦ୍ଧାରଣ କରାଯାଇଛି। ଯେଉଁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ୭୫ପ୍ରତିଶତରୁ ଅଧିକ ରହିଥିବ ସେଠାରେ ମାସକୁ ୬ଶହ ହିସାବରେ ବାର୍ଷିକ ୬ହଜାର ଟଙ୍କା ଦିଆଯିବ। ସେହିପରି ୫୦ରୁ ୭୫ ପ୍ରତିଶତ ଉପସ୍ଥାନ ଥିଲେ ମାସକୁ ୪ଶହ ଏବଂ ବର୍ଷକୁ ୪ହଜାର ଏବଂ ୩୦ରୁ ୪୯ପ୍ରତିଶତ ଉପସ୍ଥାନ କ୍ଷେତ୍ରରେ ମାସକୁ ବାର୍ଷିକ ୩ହଜାର ଟଙ୍କା ଯାତାୟାତ ଖର୍ଚ୍ଚ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।
ଅନ୍ୟପକ୍ଷରେ ବିଭାଗୀୟ ସୂଚନା ଅନୁଯାୟୀ ରାଜ୍ୟରେ ପ୍ରାୟ ୧୭ହଜାର ବିଦ୍ୟାଳୟରେ ୨୫ରୁ କମ୍ ଛାତ୍ରଛାତ୍ରୀ ରହିଛନ୍ତି। ସେକ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଅନୁପାତ ହେଉ ଅବା ବାଧ୍ୟବାଧକତାରେ ଜଣେ କିମ୍ବା ଦୁଇଜଣ ଶିକ୍ଷକଙ୍କ ସହିତ ଅନ୍ୟାନ୍ୟ ଷ୍ଟାଫ ରଖି ଚଳାଇବାକୁ ପଡୁଛି। ଏହାଦ୍ବାରା ରାଜ୍ୟ ସରକାରଙ୍କୁ ପ୍ରାୟ ୧ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡୁଛି। ତେଣୁ ପରବର୍ତ୍ତୀ ପର୍ଯ୍ୟାୟରେ ୨୫ରୁ କମ୍ ଛାତ୍ରଛାତ୍ରୀ ଉପସ୍ଥାନ ଥିବା ବିଦ୍ୟାଳୟକୁ ବନ୍ଦ କରିଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସୂଚନା ଅନୁଯାୟୀ ଯେଉଁ ବିଦ୍ୟାଳୟଗୁଡିକରେ ମାଟ୍ରିକ ପରୀକ୍ଷାରେ ଖରାପ ପ୍ରଦର୍ଶନ ହୋଇଛି ସେଠିକାର ପ୍ରଧାନଶିକ୍ଷକ, ଭାରପ୍ରାପ୍ତ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ସେମାନଙ୍କ ବିରୋଧରେ କାହିଁକି ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ ସେନେଇ ବିଭାଗପକ୍ଷରୁ ରିପୋର୍ଟ ଲୋଡାଯାଇଥିଲା। ଏବେ କେତେକ ଜିଲାର ଶିକ୍ଷା ଅଧିକାରୀ ଏନେଇ ରିପୋର୍ଟ ରଖିଛନ୍ତି। ଆସନ୍ତା ସପ୍ତାହରେ ଏହାର ସମୀକ୍ଷା କରାଯାଇ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories