ନୂଆଦିଲ୍ଲୀ : ଚଳିତ ବର୍ଷର ଆନ୍ତର୍ଜାତିକ ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ଦିଲ୍ଲୀ, ସିମ୍ଳା, ମହୀଶୂର, ଅହମ୍ମଦାବାଦ ଓ ରାଞ୍ଚି ଭଳି ୫ଟି ସହରକୁ ମନୋନୀତ କରିଛନ୍ତି ।
ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ଏହା କେନ୍ଦ୍ର ସରକାରଙ୍କର ପ୍ରଥମ ବୃହତର ସର୍ବସାଧାରଣ କାର୍ଯ୍ୟକ୍ରମ ହେବ । ସରକାରୀ ସୂତ୍ରରେ କୁହାଯାଇଛି, ଏହି ସହରଗୁଡ଼ିକର ନାମ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ପଠାଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସେଗୁଡ଼ିକୁ ଚୂଡ଼ାନ୍ତ କରିବ । ଆସନ୍ତା ୨୧ ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ଯଦି ଅନୁମୋଦିତ ହୋଇଯାଏ, ତେବେ ରାଜଧାନୀ ଦିଲ୍ଲୀ ଦ୍ୱିତୀୟ ଥର ପାଇଁ କାର୍ଯ୍ୟକ୍ରମର ଆୟୋଜନ କରିବ। ଏହି କାର୍ଯ୍ୟକ୍ରମ ପୂର୍ବରୁ ଦିଲ୍ଲୀର ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନରେ ଶନିବାର ଠାରୁ ଏକ ଦୁଇଦିନିଆ ଯୋଗ ମହୋତ୍ସବ ଆରମ୍ଭ ହୋଇଛି । ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଏଥିରେ ଯୋଗ ଦେଇଛନ୍ତି।
ସୂଚନାଯୋଗ୍ୟ ୨୦୧୪ ମସିହାରେ ଜାତିସଂଘଦ୍ୱାରା ଜୁନ୍ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ଘୋଷଣା କରାଯାଇଥିଲା ।



