କରାଚୀ: ଜେଲ ଦଣ୍ଡ ଭୋଗୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ ଲିଗ (ନୱାଜ) ଉପସଭାପତି ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କଡା ଭାଷାରେ ସମାଲୋଚନା କରିବା ସହ ସେ ଜଣେ ‘ଅସମର୍ଥ’ ରାଜନେତା ବୋଲି କହିଛନ୍ତି। ୧୯୯୮ ଆଜିର ଦିନରେ ପାକିସ୍ତାନ ପରମାଣୁ ପରୀକ୍ଷା କରିଥିଲା ଓ ସେହି ଘଟଣାକୁ ମାନେ ପକାଇବାକୁ ଯାଇ ମରିୟମ ଲାହୋରଠାରେ ୟୋମ-ଏ-ତକବୀର ଜାତୀୟ ଦିବସ ପାଳନ ଅବସରରେ କହିଛନ୍ତି, ନୱାଜ ସରିଫ ପାକିସ୍ତାନକୁ ପରମାଣୁ କ୍ଷମତା ସମ୍ପନ୍ନ ରାଷ୍ଟ୍ର କରାଇ ପାରିଥିଲେ।
ମରିୟମ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଲକ୍ଷ୍ୟ କରି କହିଛନ୍ତି, ନୱାଜ ଯଦି ଆଜି ଜେଲରୁ ମୁକ୍ତ ହେବେ, ଏ ସରକାର ଅଧିକ ଦିନ ତିଷ୍ଠିବ ନାହିଁ। ସେ, ଇମ୍ରାନ ନୱାଜ ସରିଫଙ୍କ ଉପରେ ଧ୍ୟାନ କେନ୍ଦ୍ରୀଭୂତ ନ କରି ଅନ୍ୟ ପ୍ରସଙ୍ଗ ଦେଖନ୍ତୁ ବୋଲି ବ୍ୟଙ୍ଗ କରିବା ସହ କହିଛନ୍ତି ଯେ,’ତୁମକୁ ଚୟନ କରାଯାଇଛି କିନ୍ତୁ ତୁମେ ପାକିସ୍ତାନର ସର୍ବୋଚ୍ଚ ପଦ ପାଇଁ ଅସମର୍ଥ। ମରିୟମ ପାକିସ୍ତାନ-ଭାରତ କୂଟନୈତିକ ସମ୍ପର୍କ ନେଇ ମଧ୍ୟ ଇମ୍ରାନଙ୍କୁ ସମାଲୋଚନା କରି କହିଛନ୍ତି, ଫେବୃଆରୀରେ ଭାରତ-ପାକିସ୍ତାନ ଯୁଦ୍ଧ ଭଳି ପରିସ୍ଥିତିରେ ଗତି କରୁଥିବା ବେଳେ, ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇମ୍ରାନଙ୍କ ଫୋନ ଉଠାଇନଥିଲେ। କିନ୍ତୁ ସେହି ମୋଦୀ ନୱାଜଙ୍କ ସମୟରେ ପାକିସ୍ତାନ ଆସିଥିଲେ। ଇମ୍ରାନ କ୍ଷମତା ଲିପସୁ ତେଣୁ କେହି ବି ରାଷ୍ଟ୍ର ତାଙ୍କୁ ସମ୍ମାନ ଦେଉନାହାନ୍ତି।



