ଆଗାମୀ ଚଳଚ୍ଚିତ୍ର ‘ମେଣ୍ଟାଲ୍ ହୈ କ୍ୟା’ ପାଇଁ ପୁଣି କଙ୍ଗନା ରଣାୱତ୍ ଚର୍ଚ୍ଚା ପରିସରକୁ ଆସିଛନ୍ତି। ମଣିକର୍ଣ୍ଣିକା ପରି ଦମଦାର୍ ଚଳଚ୍ଚିତ୍ର ପ୍ରଶଂସକଙ୍କୁ ଭେଟି ଦେଇଥିବା କଙ୍ଗନା ସବୁବେଳେ ବିବାଦ ଘେରରେ ରହିଥାନ୍ତି। ହେଲେ ଏଥିପାଇଁ ତାଙ୍କର ଆଦୌ ଅନୁଶୋଚନା ନାହିଁ। ମେଣ୍ଟାଲ୍ ହୈ କ୍ୟା’ର ପୋଷ୍ଟର ପାଇଁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପାଖେ ନିର୍ଦେଶକ ଓ ପ୍ରଯୋଜକ ମହେଶ ଭଟ୍ଟଙ୍କ ପତ୍ନୀ ସୋନି ରାଜଦାନ୍ ମଧ୍ୟ କଙ୍ଗନାଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। ତାଙ୍କ କହିବା ମୁତାବକ, ମହେଶ ସେସମୟରେ କଙ୍ଗନାଙ୍କ ଭଳି ନବାଗତାଙ୍କୁ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରାଇଥିଲେ। ଅଥଚ କଙ୍ଗନା ଏହି ସୁଯୋଗକୁ ଭୁଲିଯାଇ ସବୁବେଳେ ମହେଶଙ୍କ ଝିଅ ଆଲିୟା ଭଟ୍ଟଙ୍କ ବିରୋଧରେ ଗଣମାଧ୍ୟମ ସମ୍ମୁଖରେ ୟାଡ଼ୁ ସାଡ଼ୁ କହୁଛନ୍ତି। ଖବରଟି ପ୍ରଚାରିତ ହେବା ପରେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଶ୍ରୀମତୀ ଭଟ୍ଟ ମନେ ପକାନ୍ତୁ ଯେ କଙ୍ଗନାଙ୍କୁ ଆପଣଙ୍କ ସ୍ବାମୀ ମହେଶ ନୁହେଁ, ବରଂ ନିର୍ଦେଶକ ଅନୁରାଗ ବସୁ ହିଁ ପ୍ରଥମେ ‘ଗ୍ୟାଙ୍ଗଷ୍ଟାର୍’ରେ ସୁଯୋଗ ଦେଇଥିଲେ। ଏଇ ଚଳଚ୍ଚିତ୍ରର ସୁଟିଂ ସମୟରେ କଙ୍ଗନାଙ୍କ ଅଭିନୟରେ ଆକର୍ଷିତ ହୋଇ ମହେଶ ଭଟ୍ଟ ତାଙ୍କୁ ‘ଧୋକା’ ଚଳଚ୍ଚିତ୍ର ପାଇଁ ଚୁକ୍ତି କରାଇବାକୁ ଚାହିଁଥିଲେ। ହେଲେ ‘ଧୋକା’ରେ ଜଣେ ସୁଇସାଇଡ୍ ବମ୍ବର ଭୂମିକାରେ ଅଭିନୟ କରିବାକୁ କଙ୍ଗନା ରାଜି ହୋଇନଥିଲେ। ଏ ଘଟଣା ପାଇଁ ମହେଶ ଖୁବ୍ ରାଗିଯାଇଥିଲେ। ‘ଗ୍ୟାଙ୍ଗଷ୍ଟର’ ଚଳଚ୍ଚିତ୍ରର ଲେଖକ ଥିଲେ ମହେଶ। ପରିସ୍ଥିତି ଏପରି ହୋଇଥିଲା ଯେ ଚଳଚ୍ଚିତ୍ରର ସ୍କ୍ରିନିଂରେ ମଧ୍ୟ କଙ୍ଗନାଙ୍କୁ ପ୍ରବେଶ ପାଇଁ ମହେଶ ଅନୁମତି ଦେଇନଥିଲେ। ନିର୍ଦେଶକ ଅନୁରାଗ ମଧ୍ୟ ଅନନ୍ୟୋପାୟ ଥିଲେ, ଭୋଭୋ ହୋଇ କାନ୍ଦୁଥାନ୍ତି କଙ୍ଗନା। ସେସମୟରେ ତାଙ୍କୁ ମୋଟେ ୧୯ ବର୍ଷ। ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ କଙ୍ଗନା ପ୍ରବେଶ କରିପାରିନଥିଲେ। ଶେଷରେ ଉତ୍ତ୍ୟକ୍ତ ମହେଶ ଅଭିନେତ୍ରୀ କଙ୍ଗନାଙ୍କ ଉପରକୁ ଜୋତା ଫିଙ୍ଗିଥିଲେ। ସେଇ ସମୟରେ ଅନୁରାଗ ହିଁ କଙ୍ଗନାଙ୍କୁ ଜୋର୍ ଜବରଦସ୍ତ ନେଇ ତାଙ୍କ ଘେର ଛାଡ଼ିଆସିଥିଲେ। ଏସବୁ କଥା ରଙ୍ଗୋଲୀ ନିିଃସଙ୍କୋଚରେ ସୋସିଆଲ ସାଇଟ୍ରେ ଉଲ୍ଲେଖ କରିବା ସହ ଗଣମାଧ୍ୟମକୁ ମଧ୍ୟ କହିଛନ୍ତି। କଙ୍ଗନାଙ୍କ ସଫଳତା ଆଜି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛି ବୋଲି ରଙ୍ଗୋଲୀଙ୍କ ମତ।
Popular Categories



