www.samajalive.in
Monday, December 8, 2025
20.1 C
Bhubaneswar

ସମ୍ପାଦକୀୟ: ଶ୍ରୀମନ୍ଦିର ସଂସ୍କାର

କୋଟି କୋଟି ଭକ୍ତଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଦେବତା ନୁହନ୍ତି, ସେ ହେଉଛନ୍ତି ଜୀବନର ଆଶା, ଭରସା ଓ ପ୍ରାଣର ଭାବନା। ତାଙ୍କ ଚକାଆଖିରେ ଥରେ ଆଖି ମିଶାଇ ଦେବା ପାଇଁ ଶ୍ରଦ୍ଧାଳୁମାନେ ଦୂରଦୂରାନ୍ତରୁ ଧାଇଁ ଆସନ୍ତି ଶ୍ରୀକ୍ଷେତ୍ର ପୁରୀକୁ। ତାଙ୍କୁ ଥରେ ଦର୍ଶନ କରିଦେଲେ ସବୁ ଦୁଃଖ ଲାଘବ ହୋଇଯାଏ, ଜୀବନର ସକଳ କ୍ଳେଶ ମୁହୂର୍ତ୍ତକରେ ଦୂର ହୋଇଯାଏ ବୋଲି ଭକ୍ତର ଦୃଢ଼ ବିଶ୍ୱାସ। ଆଜି ମହାପ୍ରଭୁଙ୍କ ଦର୍ଶନ ଏକ କଠିନ ପରୀକ୍ଷାରେ ପରିଣତ ହୋଇଛି, ଯାହା ଅତ୍ୟନ୍ତ ପୀଡ଼ାଦାୟକ। ବିଶେଷକରି ପର୍ବପର୍ବାଣୀ ସମୟରେ, ଅସମ୍ଭବ ଭିଡ଼ ଭିତରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିବାକୁ ଡହଳବିକଳ ହେଉଛନ୍ତି। ଏହା କେବଳ ଏକ ସାମାନ୍ୟ ଅସୁବିଧା ନୁହେଁ, ଏହା ହେଉଛି ଭକ୍ତି ଓ ଆସ୍ଥା ଉପରେ ଏକ ଗଭୀର ଆଘାତ। ସରକାର ଏହି ଅସୁବିଧା ପ୍ରତି ସମ୍ବେଦନଶୀଳ ନହେବା ନିଶ୍ଚିତ ଭାବେ ଦୁଃଖଦାୟକ ।

ନିକଟରେ ସାତପାହାଚରେ ଭୟଙ୍କର ଭିଡ଼ ଯୋଗୁଁଁ ଜଣେ ୭୬ ବର୍ଷ ବୟସ୍କ ବୃଦ୍ଧ ଭକ୍ତଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ବ୍ୟଥିତ କରିଥିଲା। ସେ ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିଲେ। ଏହା କେବଳ ଏକ ମୃତ୍ୟୁ ନୁହେଁ, ଏହା ହେଉଛି ଆମ ବ୍ୟବସ୍ଥାର ବିଫଳତା, ଯାହା ଭକ୍ତର ଶେଷ ଇଚ୍ଛାକୁ ପୂରଣ କରିପାରିଲା ନାହିଁ। ମନ୍ଦିର ଭିତରେ ଅତ୍ୟଧିକ ଭିଡ଼, ଠେଲାଠେଲି, ଗୁଳୁଗୁଳିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା – ଏସବୁ ବିଶେଷତଃ ବୟସ୍କ, ମହିଳା ଓ ପିଲାମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ।

- Advertisement -

ଓଡ଼ିଶା ସରକାର ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ବହୁଦିନରୁ କହି ଆସୁଥିଲେ ବି ଏଯାଏଁ ତାହା ହୋଇନାହିଁ। ଏହି ବ୍ୟବସ୍ଥା ‘ପଦ୍ମ ଘୁଞ୍ଚିବା ପରି’ ଚାଲିଛି। ନିକଟରେ ଆଇନମନ୍ତ୍ରୀ କହିଛନ୍ତି ଯେ କାର୍ତ୍ତିକ ମାସ ଶେଷ ହେବା ପରେ ଏହି ନୂଆ ବ୍ୟବସ୍ଥା ଲାଗୁ ହେବ। ଏଥିରେ ଛଅଟି ଅଲଗା ଲାଇନ୍ ରହିବ – ମହିଳା, ପିଲା, ବୟସ୍କ ଓ ବିଶେଷ ଭାବେ ସକ୍ଷମଙ୍କ ପାଇଁ ପୃଥକ୍ ବ୍ୟବସ୍ଥା ହେବ। ଜଗନ୍ନାଥ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଦର୍ଶନାର୍ଥୀ ଆସନ୍ତି ଏବଂ ପର୍ବ ଦିନରେ ତାହା ଲକ୍ଷ ଲକ୍ଷରେ ପହଞ୍ଚେ। ବ୍ୟବସ୍ଥିତ ପ୍ରବେଶ ଓ ପ୍ରସ୍ଥାନ ସୁବିଧା ବିନା ଦୁର୍ଘଟଣା ଓ ଦଳାଚକଟା ଆଶଙ୍କା ସବୁବେଳେ ରହେ। ଧାଡ଼ି ଦର୍ଶନ ବ୍ୟବସ୍ଥା ଭକ୍ତି ଓ ଶୃଙ୍ଖଳାକୁ ଏକାଠି କରିବାର ଏକ ସୁଯୋଗ; କିନ୍ତୁ ଏହି ସଂସ୍କାରକୁ ଆଉ ବିଳମ୍ବ କରିବା ଉଚିତ ନୁହେଁ।

ସରକାର ଜାଣିବା ଉଚିତ ଯେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଏମିତି ଏକ ପୀଠ ଯାହା ଶତାବ୍ଦୀ ପୁରୁଣା ପରମ୍ପରା ଓ ନିୟମ ଦ୍ୱାରା ପରିଚାଳିତ। ତେଣୁ, ସରକାରଙ୍କୁ ଅତ୍ୟନ୍ତ ସାବଧାନତା ସହ, ସମସ୍ତଙ୍କ ସମ୍ମତିରେ ଏହି ବ୍ୟବସ୍ଥାକୁ ଶୀଘ୍ର ଲାଗୁ କରିବାକୁ ହେବ। କାର୍ତ୍ତିକ ମାସ ଭଳି ପବିତ୍ର ସମୟରେ ମନ୍ଦିରରେ ଭକ୍ତମାନଙ୍କ ଦର୍ଶନକୁ ଶୃଙ୍ଖଳିତ କରାଯିବା ଆବଶ୍ୟକ। ଭକ୍ତଙ୍କ ସୁରକ୍ଷା ଓ ସୁବିଧାକୁ ପରମ୍ପରା ଆଢୁଆଳରେ ଉପେକ୍ଷା କରିବା ଠିକ୍ ନୁହେଁ।
ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସବୁ ଭକ୍ତଙ୍କର କାମ୍ୟ। ସମସ୍ତେ ଚାହାନ୍ତି ଜୀବନରେ ଥରେ କାଳିଆ ଆଖିରେ ଆଖି ମିଶାଇବା ଲାଗି। ଭକ୍ତର ଏହି ଭାବାବେଗକୁ ସରକାର ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆଉ ଉପେକ୍ଷା କରିବା ଉଚିତ ନୁହେଁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories