www.samajalive.in
Monday, December 8, 2025
27.1 C
Bhubaneswar

ଶ୍ରୀଜଗନ୍ନାଥ ଗ୍ରୀନ୍ ଫିଲ୍ଡ ବିମାନ ବନ୍ଦର ନିର୍ମାଣ: ପରିବେଶ, ଜଙ୍ଗଲ ଓ ସିଆର୍‌ଜେଡ୍‌ ହଁ’କୁ ଅପେକ୍ଷା

ପୁରୀ: ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ଗ୍ରିନ୍ ଫିଲ୍ଡ ବିମାନ ବନ୍ଦର ନିର୍ମାଣ ବିଳମ୍ବ ହେଉଛି। ପରିବେଶ ଅନୁମତି ମିଳୁ ନ ଥିବାରୁ ଆରମ୍ଭ ହୋଇପାରୁନି ନିର୍ମାଣ କାର୍ଯ୍ୟ। ଘରୋଇ ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଗଡିଚାଲିଛି। ଏବେ ମାମଲା ଜାତୀୟ ସବୁଜ ପ୍ରାଧିକରଣ(ଏନଜିଟି)ରେ ପହଞ୍ଚିଛି। ପୁରୀ ସମୁଦ୍ରକୂଳ ନିକଟ ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ଶିପସରୁବାଲି ଓ ଷଣ୍ଢପୁର ମୌଜାରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ୧୧୬୪ ଏକର ଜମି ଚିହ୍ନଟ କରାଯାଇଛି। ସେଥିରେ ୨୨୧ ଏକର ଘରୋଇ ଓ ୬୮ ଏକର ଜଙ୍ଗଲ ଜମି ରହିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦୁଇବର୍ଷ ପୂର୍ବେ ଏଥିପାଇଁ ସବୁଜ ସଙ୍କେତ ଦେଇସାରିଛି। ଓଡ଼ିଶା ଶିଳ୍ପ ବିକାଶ ନିଗମ (ଇଡ୍‌କୋ) ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ପାଇଁ ଗତବର୍ଷ ୨୨୦୩ କୋଟି ଟଙ୍କାର ଟେଣ୍ଡର ଆହ୍ବାନ କରିଥିଲା। ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇ ନ ଥିବା ଜଣାପଡ଼ିଛି। ତିନୋଟି ପର୍ଯ୍ୟାୟରେ ଏହି ବିମାନବନ୍ଦର ପାଇଁ ୫୬୩୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପିପିପି ବ୍ୟବସ୍ଥାରେ ଏହି ବିମାନବନ୍ଦର ନିର୍ମାଣ ଲାଗି ରାଜ୍ୟ ସରକାର ସ୍ଥିର କରିଛନ୍ତି।

ଏହି ପ୍ରକଳ୍ପକୁ ସିଆରଜେଡ୍ କ୍ଲିୟରାନ୍ସ ପ୍ରଦାନ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ଓଡ଼ିଶା ଉପକୂଳ ଅଞ୍ଚଳ ପରିଚାଳନା ପ୍ରାଧିକରଣ ସୁପାରିସ କରିଛି। ଗତ ମେ ୫ରେ ଏହି ପ୍ରକଳ୍ପକୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଅନୁମୋଦନ କରିଥିଲେ। ସେଠାରେ ବିମାନ ବନ୍ଦର ନିର୍ମାଣ କରାଗଲେ ବିଦେଶୀ ପକ୍ଷୀଙ୍କ ଯାତାୟାତ ଓ ବିରଳ ଏରାୱାଡ଼ି ଡଲଫିନ୍‌ଙ୍କ ବଂଶବୃଦ୍ଧି ବାଧାପ୍ରାପ୍ତ ହେବା ସହ ହଜାର ହଜାର ଗଛ କଟାଗଲେ ପରିବେଶ ସନ୍ତୁଳନ ପ୍ରଭାବିତ ହେବ ବୋଲି କେତେକ ବ୍ୟକ୍ତି ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାରଙ୍କ ଜଙ୍ଗଲ ପରାମର୍ଶଦାତା କମିଟିର ୪ ଜଣିଆ ବିଶେଷଜ୍ଞ ଦଳ ଗତ ଏପ୍ରିଲରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହାସତ୍ତ୍ୱେ ପରିବେଶ ଓ ଜଙ୍ଗଲ ଅନୁମତି ବିବାଦର ପରିସମାପ୍ତି ହୋଇନାହିଁ। ଜାତୀୟ ସବୁଜ ପ୍ରାଧିକରଣ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି।

- Advertisement -

ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ଜାନୁଆରୀ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଏହାଦ୍ବାରା ପୁରୀ ପର୍ଯ୍ୟଟନର ବ୍ୟାପକ ଅଭିବୃଦ୍ଧି ହେବା ସହ ଆର୍ଥିକ ଓ ସାମାଜିକ ବିକାଶ ତ୍ବରାନ୍ବିତ ହେବ ବୋଲି ସେ ଉଲ୍ଲେଖ କରିଥିଲେ। ଏଥିପାଇଁ ପ୍ରଥମେ ପୁରୀ ସାତପଡ଼ା ରାସ୍ତାର ଶିପସରୁବାଲି ଓ ପୁରୀ କୋଣାର୍କ ବେଳାମାର୍ଗର ବାଲୁଖଣ୍ଡ ରାଜସ୍ୱ ମୌଜାରେ ଜମି ଚିହ୍ନଟ କରାଯାଇଥିଲା। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଉଭୟ ସ୍ଥାନ ପରିଦର୍ଶନ କରି ଶିପସରୁବାଲିରେ ନୂତନ ବିମାନ ବନ୍ଦର ନିର୍ମାଣ ସପକ୍ଷରେ ମତ ଦେଇଥିଲେ। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରାଜସ୍ୱ ବିଭାଗ ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ସହ ଥଇଥାନ, କ୍ଷତିପୂରଣ ଓ ବିସ୍ଥାପନ ନୀତି ପ୍ରସ୍ତୁତ କରିଛି। ଜମି ଅଧିଗ୍ରହଣ ଯୋଗୁଁ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ଶୁଣାଣି କରାଯାଇଛି। ନିଜସ୍ବ ଅର୍ଥରେ ଏହି ବିମାନବନ୍ଦର ନିର୍ମାଣ ପାଇଁ ଆଗ୍ରହୀ ଥିବା ସଂସ୍ଥାକୁ ଆଗାମୀ ୭ ବର୍ଷ ପାଇଁ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ଦିଆଯିବ। ଏଥିପାଇଁ ଆଦାନୀ ଓ ଏମଜିଆଇ ପରି କେତେକ ବଡ଼ ଘରୋଇ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି।

ଏସବୁ ସତ୍ତ୍ୱେ ଏଥିପାଇଁ କେବଳ କେନ୍ଦ୍ରୀୟ ଅନୁମୋଦନ ମିଳିଥିବା ବେଳେ ପରିବେଶ, ସିଆରଜେଡ ଓ ଜଙ୍ଗଲ ଅନୁମତି ମିଳିପାରି ନାହିଁ। ପ୍ରସ୍ତାବିତ ଗ୍ରିନ୍ ଫିଲ୍ଡ ବିମାନ ବନ୍ଦର ନୂଆ ନୂଆ ବିବାଦରେ ଛନ୍ଦି ହେବାରେ ଲାଗିଛି। ଜମି ଅଧିଗ୍ରହଣ ପ୍ରକ୍ରିୟା ୧୭ ଧାରାରେ ଅଟକି ଥିବା ଜଣାପଡ଼ିଛି। ଥଇଥାନ ଓ କ୍ଷତିପୂରଣ ପ୍ୟାକେଜ ପ୍ରଶାସନିକ ଅନୁମୋଦନ ଅପେକ୍ଷାରେ ରହିଛି। ଏଥିପାଇଁ ଗତ ୨୨ ତାରିଖରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ଗ୍ରିନ୍ ଫିଲ୍ଡ ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କସ୍ତରରେ ତତ୍ପରତା ପ୍ରକାଶ ପାଉନଥିବା ପରିଲକ୍ଷିତ ହୋଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories