ସମାଜ ଡିଜିଟାଲ ଡେସ୍କ: କଟକ ଯୋବ୍ରା ବ୍ୟାରେଜରୁ ଡେଇଁ ନିଖୋଜ ଥିବା ଯୁବତୀଙ୍କ ମୃତଦେହ ମିଳିଛି। ଚିତ୍ରୋତ୍ପଳା ନଦୀର ଶିଶୁଆ ବ୍ୟାରେଜ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀଙ୍କ ନାଁ ଶିବାନୀ ମଲ୍ଲିକ ବୋଲି ଜଣାପଡ଼ିଛି। ଶିବାନୀଙ୍କ ଘର ଜଗତପୁର ଅଡେଇଁ ସାହିରେ। ଗତ ଗୁରୁବାର ସେ ଯୋବ୍ରା ବ୍ୟାରେଜଠାରେ ମହାନଦୀକୁ ଡେଇଁ ପଡ଼ିଥିଲେ।
ଶିବାନୀ ନଦୀକୁ ଡେଇଁବା ପରେ ତାଙ୍କୁ ଖୋଜାଖୋଜି କରାଯାଇଥିଲେ ହେଁ କୌଣସି ସନ୍ଧାନ ମିଳି ନ ଥିଲା। ସେ କ’ଣ ଏହି ପଦକ୍ଷେପ ନେଲେ ତାହା ବି ଜଣାପଡ଼ି ନାହିଁ। ଶୁକ୍ରବାର ସକାଳେ ଚିତ୍ରୋତ୍ପଳାର ଶିଶୁଆ ବ୍ୟାରେଜ ନିକଟରେ ଜଣେ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଖବର ଦିଆଯାଇଥିଲା। ଏହା ପରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା।



